କିଟ୍‌ ଓ କିସ୍‌ ପୁଣି ରଗ୍‌ବି ଇଣ୍ଡିଆ ପ୍ରାୟୋଜକ: କିଟ୍‍ ଓ ଭାରତୀୟ ରଗ୍‍ବି ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗ୍‍ବିର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବି ଫୁଟ୍‌ବଲ୍‌ ସଂଘ (ଆଇଆର୍‌ଏଫ୍‌ୟୁ) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗ୍‍ବି ଇଣ୍ଡିଆର ପ୍ରାୟୋଜକ ହୋଇପାରିଛି। ପୂର୍ବରୁ ୩ ବର୍ଷ ପାଇଁ କିଟ୍‍ ଓ କିସ୍‍ ଏହାର ପ୍ରାୟୋଜକ ଥିଲା। ପୁଣି ଥରେ ଆଉ ୩ ବର୍ଷ ପାଇଁ ଏହି ଦାୟିତ୍ବ ନେଇଛି କିଟ୍‌ ଓ କିସ। ରାଜ୍ୟ ସରକାର ଭାରତୀୟ ରଗ୍‌ବିର ମୁଖ୍ୟ ପ୍ରାୟୋଜକ ରହିଥିବା ବେଳେ କିଟ୍‍ ଓ କିସ୍‍ ସହ ପ୍ରାୟୋଜକ ରହିବ। ଏହି ବୁଝାମଣାପତ୍ରରେ କିଟ୍‍ ଓ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ଆଇଆର୍‌ଏଫ୍‌ୟୁ ପକ୍ଷରୁ ଏହାର ସଭାପତି ରାହୁଲ୍‍ ବୋଷ ସ୍ୱାକ୍ଷର କରିଥିଲେ।

ଏହି ବୁଝାମଣା ଅନୁଯାୟୀ ଆଇଆର୍‌ଏଫ୍‌ୟୁ ପକ୍ଷରୁ ସମସ୍ତ ପ୍ରକାର ଜାତୀୟ ଓ ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତା, ତାଲିମ ଏବଂ ଚୟନ ଶିବିର ନିମନ୍ତେ କିଟ୍‍ ଓ କିସ୍‍ ତାର ସମସ୍ତ ଭିତ୍ତିଭୂମି ଯୋଗାଇଦେବ। ଏହା ଛଡ଼ା କିଟ୍‍ କ୍ୟାମ୍ପସରେ ଖେଳାଳି, ପ୍ରଶିକ୍ଷକ ଓ ଅଫିସିଆଲ୍‍ଙ୍କ ରହିବା, ଖାଇବା ବ୍ୟବସ୍ଥା ସହ ଲଜିଷ୍ଟିକ୍‍ ସହଯୋଗ ଯୋଗାଇ ଦିଆଯିବ। ୨୦୦୪ରୁ ରଗ୍‌ବିକୁ କିସ୍‍ ପ୍ରୋତ୍ସାହିତ କରିଆସୁଛି। ଫଳରେ ବର୍ତମାନ ରଗ୍‌ବି ସମଗ୍ର ଦେଶରେ ପରିଚିତି ଲାଭ କରିଛି। ସେଥିରେ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବୁଝାମଣା ସ୍ୱାକ୍ଷର ସମୟରେ ଭାରତୀୟ ରଗ୍‍ବି ୧୫-ଏସ୍‍ ଦଳର ପ୍ରଶିକ୍ଷକ ଓ ଚୟନକର୍ତ୍ତା ନାସ ବୋଥା, କିଆନୋ ଫୁରୀ ଓ ଆଣ୍ଡ୍ରେ ଭେଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର