ଦୁବାଇରୁ ଅଜନାଲା, ଅମୃତପାଲ ସିଂହଙ୍କ ରୂପାନ୍ତର

ଅମୃତସର: ୱାରିସ୍ ପଞ୍ଜାବ ଦେ ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମୃତପାଲ ସିଂହ ଏବେ ପୁଲିସର ରାଡାରରେ। ଏକଦା ଦୁବାଇରେ ବାସ କରୁଥିବା ଓ ଏକ ଅଣ-ରୂଢ଼ିବାଦୀ ଜୀବନଶୈଳୀ ବିତାଉଥିବା ୩୦ ବର୍ଷୀୟ ଅମୃତପାଲ ୱାରିସ୍ ପଞ୍ଜାବ ଦେ ମୁଖ୍ୟ ହେବା ପରେ ଖଲିସ୍ତାନୀ ଆଦର୍ଶକୁ ଆପଣାଇ ବିଚ୍ଛିନ୍ନତାବାଦୀ ନେତା ବନିଗଲ‌ା। ଅମୃତସର ଅନ୍ତର୍ଗତ ଜାଲୁପୁର ଗାଁରେ ଅମୃତପାଲର ଜନ୍ମ। ୨୦୨୨ ଫେବ୍ରୁଆରି ପର୍ଯ୍ୟନ୍ତ ସେ ଦୁବାଇରେ ସମ୍ପର୍କୀୟଙ୍କୁ ପରିବହନ ବ୍ୟବସାୟରେ ସହଯୋଗ କରୁଥିଲା। ତେବେ କୌତୂହଳର ବିଷୟ ହେଉଛି ଅତୀତର ଅନ୍ୟ ଖଲିସ୍ତାନୀ ନେତାଙ୍କ ପରି ଅମୃତପାଲ ରୂଢ଼ିବାଦୀ ଶିଖ୍ ଜୀବନଶୈଳୀ ଅବଲମ୍ବନ କରୁ ନ ଥିଲା। ସେ ଅନ୍ୟ ଶିଖ୍‌ମାନଙ୍କ ପରି ପାରମ୍ପରିକ ପଗଡ଼ି ପିନ୍ଧୁ ନ ଥିଲା। ସୋସିଆଲ ମିଡ଼ିଆରେ ମଧ୍ୟ ସେ ଅଧିକ ସମୟ ବିତାଉଥିଲା।

୨୦୨୨ ଫେବ୍ରୁଆରି ୧୫ ପରେ ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଦୀପ ସିଦ୍ଧୁଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସବୁକିଛି ବଦଳିଗଲା। ହଠାତ୍ ଅମୃତପାଲ ଆସି ପଞ୍ଜାବରେ ପହଞ୍ଚିଲା ଏବଂ ତାକୁ ସେପ୍ଟେମ୍ବର ୨୯, ୨୦୨୨ରେ ମୋଗା ଜିଲ୍ଲାର ରୋଡେ ଗାଁରେ ଅନୁଷ୍ଠିତ ଏକ ସଭାରେ ଦୀପ ସିଦ୍ଧୁଙ୍କ ଉତ୍ତରାଧିକାରୀ ତଥା ସଂଗଠନର ମୁଖ୍ୟ ଘୋଷଣା କରିଦିଆଗଲା। ସୂଚନାଯୋଗ୍ୟ ଏହି ରୋଡ଼େ ଗାଁ ହେଉଛି ସ୍ବର୍ଗତ ବିଚ୍ଛିନ୍ନତାବାଦୀ ନେତା ଜର୍ଣ୍ଣେଲ ସିଂହ ଭି‌େନ୍ଦ୍ରନୱାଲେଙ୍କ ଗାଁ।

ତେବେ ଦୀପ ସିଦ୍ଧୁଙ୍କ ସମ୍ପର୍କୀୟମାନେ ଅମୃତପାଲଠାରୁ ନିଜକୁ ଦୂରେଇ ରଖିବା ସହ ସେ ବିଚ୍ଛିନ୍ନତାବାଦୀ ଭାବଧାରାର ପ୍ରଚାର କରୁଥିବା ଅଭିଯୋଗ କରନ୍ତି। ଅମୃତପାଲ ଭିନ୍ଦ୍ରନୱାଲେଙ୍କ ଖଲିସ୍ତାନୀ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କରି ପରି ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଦୀପ ସିଦ୍ଧୁଙ୍କ ବଦଳରେ ଅମୃତପାଲ ସଂଗଠନକୁ ଭି‌େନ୍ଦ୍ରନୱାଲେଙ୍କ ଖଲିସ୍ତାନୀ ଭାବଧାରାରେ ପରିଚାଳିତ କରୁଥିଲା।

ସମ୍ବନ୍ଧିତ ଖବର