କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ
କଟକ : କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ତ୍ରୁଟିପୂର୍ଣ୍ଣ କଟ୍-ଅଫ୍ ମାର୍କ ନିୟମ କରାଯାଇଥିବା ଅଭିଯୋଗ ନେଇ ଦାୟର ମାମଲାରେ ରାଜ୍ୟ ସରକାର, ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ(ଏସଏସବି) ଓ ଅନ୍ୟମାନଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ପୁରୀ ଜିଲ୍ଲାରେ କାର୍ଯ୍ୟରତ ମହିଳା ଗୃହରକ୍ଷୀଙ୍କ ଆବେଦନର ହାଇକୋର୍ଟ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଚୟନ ପ୍ରକ୍ରିୟାର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଲକ୍ଷ୍ମୀପ୍ରିୟା ଭୋଇ ଅନ୍ୟ ୪ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨, ଡିସେମ୍ବର ୩୦ରେ ୪ ହଜାର ୭୯୦ କନଷ୍ଟେବଳ (ସିଭିଲ) ପଦରେ ନିଯୁକ୍ତି ପାଇଁ ଏସଏସବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୁରୀ ଜିଲ୍ଲାରେ ପୂରଣ ହେବାକୁ ଥିବା ୩୧୮ କନଷ୍ଟେବଳ ପଦରୁ ୩୨ଟି ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିଲା। ପୁରୀ ଜିଲ୍ଲାରେ ୩୨ କନଷ୍ଟେବଳ ପଦବି ପାଇଁ ପରବର୍ତ୍ତୀ ପର୍ଯ୍ୟାୟକୁ ୧୬୦ଜଣ ପ୍ରାର୍ଥୀଙ୍କୁ ଡକାଯିବା କଥା। କିନ୍ତୁ ଏପରି କରାଯାଇ ନାହିଁ। ଆବେଦନକାରୀଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ମଧ୍ୟ ଡକାଯାଇ ନାହିଁ। ଏଭଳି ସ୍ଥିତିରେ କଟ୍-ଅଫ୍ ମାର୍କ ବ୍ୟବସ୍ଥା ରଦ୍ଦ କରାଯାଉ। ଆବେଦନକାରୀଙ୍କୁ ଚୟନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଅଂଶଗ୍ରହଣ ପାଇଁ ଡକାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।