ଜାଲ ସାର୍ଟିଫିକେଟ୍ କେଳେଙ୍କାରୀ: ୮ ରାଜ୍ୟକୁ ଲମ୍ବିଛି ନେଟ୍‌ୱର୍କ

ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼, ଜବତ ସାମଗ୍ରୀ ହେପାଜତକୁ ନେଲା ଟିମ୍, ଉତ୍ତରପ୍ରଦେଶ ଯିବ ସ୍ବତନ୍ତ୍ର ଟିମ୍

କଟକ/ବଲାଙ୍ଗୀର : ଓଡ଼ିଶାର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଯାଏ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କାରବାର ଏଭଳି ବ୍ୟାପିଛି ଯେ କ୍ରାଇମବ୍ରାଞ୍ଚ ତଦନ୍ତର ପ୍ରଥମ ଦିନରେ ତଦନ୍ତକାରୀ ଅଧିକାରୀଙ୍କ ହୋସ୍ ଉଡି ଯାଇଛି। ଏହି କାରବାରରେ ପ୍ରାୟ ୮ଟି ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଶନିବାର ବଲାଙ୍ଗୀର ଗସ୍ତ କରିଛି। ଜଣେ ଡିଏସପିଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ରାତିରେ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଡାକ ବିଭାଗ ଫେବ୍ରୁଆରିରେ ୮୩ଟି ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର, ଡାକ ସେବକ ପଦବି ପାଇଁ ବିଜ୍ଞାପନ ଦେଇଥିଲା। ଏହି ବିଜ୍ଞାପନ ବାହାରିବା ପରେ ଯେଉଁ ଆଶାୟୀମାନେ ଆବେଦନ କରିଥିଲେ ଏଥିରେ ବଡ଼ ଧରଣର କେଳେଙ୍କାରୀ ହୋଇଥିବା ପ୍ରଥମେ ବଲାଙ୍ଗୀର ଜିଲ୍ଲାରେ ଗଲା ମାର୍ଚ୍ଚ ୨୩ ତାରିଖରେ ସାମନାକୁ ଆସିଥିଲା। ବଲାଙ୍ଗୀର ଡାକ ମଣ୍ଡଳରେ ୩୮ ଜଣ ଆଶାୟୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଜାଲିଆତି ସାମନାକୁ ଆସିଥିଲା। ଏହି ଘଟଣାରେ ତଦନ୍ତ ପ୍ରଥମେ ବଲାଙ୍ଗୀର ଟାଉନ୍ ଥାନା କରିଥିଲା। ଓଡ଼ିଶା ବାହାର ଲିଙ୍କ୍ ସାମନାକୁ ଆସିବା ପରେ ଶୁକ୍ରବାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି।

କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ବରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ବଲାଙ୍ଗୀରରେ ଶନିବାର ରାତିରେ ପହଞ୍ଚିଛି। ଏହି ଟିମ୍ ପ୍ରଥମେ ବଲାଙ୍ଗୀର ଟାଉନ ଥାନା ପୁଲିସ ରୁଜୁ କରିଥିବା ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛି। କାରବାର ପଛର ମାଷ୍ଟରମାଇଣ୍ଡ ତଥା ଘରୋଇ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ରର କୋଚିଂ ସେଣ୍ଟରରେ ରବିବାର ଚଢ଼ଉ ଯୋଜନା କରାଯାଉଛି। ବଲାଙ୍ଗୀର ପୁଲିସ ନିକଟରୁ କ୍ରାଇମବ୍ରାଞ୍ଚ ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ଫୋନ୍, ୧ ହଜାର ସାର୍ଟିଫିକେଟ୍, ରବର୍ ଷ୍ଟାମ୍ପ, ଡାଏରୀ, ସିଲ୍ ଇତ୍ୟାଦି ଜବତ କରିଛି। ଏହି ଘଟଣା ପଛର ଅଧିକ ରହସ୍ୟ ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ମନୋଜକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରୁଛି।

ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର ପୁଲିସ ମନୋଜ ସମେତ ଏହି ମାମଲାରେ ୧୯ ଜଣଙ୍କୁ ଗିରଫ କରିସାରିଛି। କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଏହି ଜାଲିଆତି କାରବାର ପଛରେ ଆନ୍ଧ୍ର ପ୍ରଦେଶ, ସିକିମ୍, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ ଭଳି ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ୍ ରହିଛି। ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପରୋକ୍ତ ରାଜ୍ୟର ଏହି ଶିକ୍ଷାନୁଷ୍ଠାନ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ହାତେଇଥିବାରୁ ଏହା କ୍ରାଇମବ୍ରାଞ୍ଚ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପାଖାପାଖି ୪୧ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ୍ ଏଥିରେ ରହିଥିବା କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିଛି। ଏଭଳି ଜାଲିଆତି କାରବାର କେବଳ ବଲାଙ୍ଗୀର ଜିଲ୍ଲାରେ ସୀମିତ ନାହିଁ, ବଲାଙ୍ଗୀର ସମେତ ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଜିଲ୍ଲାକୁ ବି ବ୍ୟାପିଛି। ମନୋଜକୁ ପୁଣି ଥରେ କ୍ରାଇମବ୍ରାଞ୍ଚ ଜେରା କରିବାକୁ ଯୋଜନା କରୁଛି। ଯାହାଫଳରେ ରାଜ୍ୟ ବାହାରର ଅସଲ କାର୍ପଟଦାରଙ୍କୁ କ୍ରାଇମବ୍ରାଞ୍ଚ ସାମନାକୁ ଆଣିପାରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ପୁଲିସକୁ ଅଭିଯୁକ୍ତ ମନୋଜଙ୍କ ଡାଏରି ସହ ବହୁ ଗୁରୁତ୍ୱପୂର୍ଣ୍ଣ ମିଳିଛି। ଡାଏରି ଭିତରେ ସବୁ ହିସାବକିତାବ ଲେଖାଯାଇଛି। ଗାଁ ଗାଁରୁ ଟଙ୍କା ଆଦାୟ କରି ସାର୍ଟିଫିକେଟ ଦେଉଥିବା ଦଲାଲଙ୍କ ନାଁ ବି ରହିଛି। ତେଣୁ କ୍ରାଇମ୍‌ବ୍ରାଞ୍ଚ୍‌କୁ ବଲାଙ୍ଗୀରରେ ଅଧିକ ଲୋକଙ୍କୁ ଗିରଫ କରିବା ପାଇଁ ଏହି ଡାଏରି ସହାୟକ ହୋଇପାରେ। ଅନ୍ୟପକ୍ଷରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ୪ ଜଣ ପୋଷ୍ଟମାଷ୍ଟରଙ୍କ ଚେହେରା ସାମ୍ନାକୁ ଆସିସାରିଛି। ପୁଲିସ ବର୍ତ୍ତମାନ ସୁଦ୍ଧା ଡାକ ବିଭାଗରେ ଧରାପଡ଼ିଥିବା ୩୮ ନକଲି ସାର୍ଟିଫିକେଟ ଆବେଦନକାରୀଙ୍କ ମଧ୍ୟରୁ ୧୭ ଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ସାକ୍ଷୀ ରଖିଛି।

ନକଲି ସାର୍ଟିଫିକେଟ କାରବାରରେ ଆଉ ୧୯ ଜଣ ଧରାପଡ଼ି ନାହାନ୍ତି। ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଧରିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବ। ଏପରିକି ନକଲି ସାର୍ଟିଫିକେଟ ଆବେଦନକାରୀଙ୍କଠାରୁ କେଉଁମାନେ ମନୋଜ ମିଶ୍ରଙ୍କ ନେଟୱର୍କର ଦଲାଲ ରହିଥିଲେ ସେମାନଙ୍କ ନାଁ ବି ସାମ୍ନାକୁ ଆସିବ। ସେହିପରି ମାମଲାର ଆଉ ଜଣେ କାର୍ପଟଦାର ଭିନିତ ନାଏକ ପୂର୍ବରୁ ହିଁ କଳାହାଣ୍ଡି ଜେଲରେ ଥିବା ବେଳେ ମନୋଜ ଓ ଭିନିତଙ୍କ ଭିତରେ ସଂପର୍କ କଣ ଥିଲା? କେତେ ଟଙ୍କାର କାରବାର ହୋଇଥିଲା? ଏସବୁ ଜାଣିବାକୁ ରିମାଣ୍ଡରେ ଭିନିତଙ୍କୁ ଅଣାଗଲେ ଅନେକ ଗୁମର ଖୋଲିବ। କାରଣ ପାଖାପାଖି କୋଟିଏ ଟଙ୍କାର କାରବାର ମନୋଜ ଓ ଭିନିତଙ୍କ ଭିତରେ ହୋଇଥିବା ପୁଲିସ ଜବତ କରିଥିବା ଡାଏରି ଓ ଚେକ ବହିରୁ ଜଣାପଡ଼ିଛି।

ବିଗତ ଦିନରେ ନକଲି ସାର୍ଟିଫିକେଟ ଦେଇ ବିଭିନ୍ନ ବିଭାଗରେ ଚାକିରି କରୁଥିବା ବ୍ୟକ୍ତି ଧରାପଡ଼ିଥିଲେ ଓ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏବେ ବି ପୁଲିସ ଯାହା ରିପୋର୍ଟ ଦେବ ଏବଂ ଆମ ନଜରକୁ ଯାହା ଆସିବ ତାହାର ସମୀକ୍ଷା କରାଯିବ। ନକଲି ସାର୍ଟିଫିକେଟ ଦେଇ ଯେଉଁମାନେ ଚାକିରି କରୁଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଚଂଚଳ ରାଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର