ଆର୍‌ଏସ୍‌ପିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌

୫ ଶ୍ରମିକ ଗୁରୁତର

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଅସୁରକ୍ଷିତ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ଅନୁସନ୍ଧାନ କରି ଫେରିବାର ୨୪ ଘଣ୍ଟା ନପୂରୁଣୁ ଏହାର ମୁଖ୍ୟ ଉତ୍ପାଦନକାରୀ ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ରେ ଆଜି ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ (ସିଓ) ଲିକ୍‌ ହୋଇ ୫ ଜଣ ଠିକା ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ହରିବନ୍ଧୁ ସ୍ୱାଇଁ, ଶିବୁ ଦୁବେ, ଉମାକାନ୍ତ ମହାନ୍ତି, ପଙ୍କଜ ଶର୍ମା ଓ ରଂଜିତ ପାତ୍ରଙ୍କୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)ର ଆଇସିୟୁରେ ଚିକିତ୍ସା କରାଯାଉଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ରୁ ବିଷାକ୍ତ ସିଓ ଲିକ୍‌ ହୋଇ ଶ୍ରମିକମାନେ ଗୁରୁତର ହେବା ଘଟଣାର ତଦନ୍ତ ପାଇଁ ଆର୍‌ଏସ୍‌ପି ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉଚ୍ଚ ସ୍ତରୀୟ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଅଘଟଣ ଘଟିଥିବା ବେଳେ ଆଭ୍ୟନ୍ତରୀଣ ତଦନ୍ତର ଫଳ କେବଳ ‘ଧର୍ମକୁ ଆଖିଠାର’ ସଦୃଶ ହେବ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟା ବେଳେ ବ୍ଳାଷ୍ଟ୍‍ ଫର୍ଣ୍ଣେସ୍‌-୫ର ୪୩ ମିଟର ଉଚ୍ଚତାରେ ଥିବା କୁଲିଂ ପାଇପ୍‌ ନିକଟରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଲିକ୍‌ ହୋଇଥିଲା। ସେହି ଉଚ୍ଚତାରେ ନିୟୋଜିତ ଠିକା ଶ୍ରମିକମାନେ ବିନା ମାକ୍ସରେ ଥିବାରୁ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଜଣକ ପରେ ଜଣେ ଅଚେତ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁରୁତର ଶ୍ରମିକମାନଙ୍କୁ ନିରାପଦରେ ତଳକୁ ଅଣାଯାଇ ପ୍ଲାଣ୍ଟ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ସେମାନେ ସଙ୍କଟାପନ୍ନ ଥିବାରୁ ତୁରନ୍ତ ସେମାନଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଏହି ୫ ଜଣ ଶ୍ରମିକ ବିପଦମୁକ୍ତ ଥିବା ଅନୌପଚାରିକ ସୂତ୍ରରୁ ଖବର ମିଳିଛି। ଠିକା ସଂସ୍ଥା ‘ରୋଟୋଡ଼ାଇନ୍‌ ଇଞ୍ଜିନିୟରିଂ’ର ସବ୍‌ କଣ୍ଟ୍ରାକ୍ଟର୍‌ ଟିପିଏଲ୍‌ ଏହି ଠିକା ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ମୁତୟନ କରିଆସୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆର୍‌ଏସ୍‌ପିରେ କାର୍ଯ୍ୟରତ ଶ୍ରମିକ ଓ ମୁତୟନ ହେଉଥିବା ଠିକା ଶ୍ରମିକମାନେ ଅସୁରକ୍ଷିତ ତଥା ବିପଜ୍ଜନକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ବିଧାନସଭାରେ ସ୍ୱର ଉତ୍ତୋଳନ କରିବା ସହ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ନିର୍ଦ୍ଦେଶରେ ମୁମ୍ବାଇସ୍ଥିତ ‘ଫ୍ୟାକ୍ଟ୍ରି ସର୍ଭିସ୍‌ ଆଣ୍ଡ ଲେବର ଇନ୍‌ଷ୍ଟିଚ୍ୟୁଟ୍‌’ (ଏଫ୍‌ଏସ୍‌ଏଲ୍‌ଆଇ)ର ମହା ନିର୍ଦ୍ଦେଶକ ଡ. ଆର୍‌.କେ.ଏଲାନ୍‌ଗୋଭାନ୍‌, ଉପ ନିର୍ଦ୍ଦେଶକ (ମେଡ଼ିକାଲ), ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବଏଲର୍ସ ସେଫ୍ଟିର ଉପ ନିର୍ଦ୍ଦେଶକ ଡ. ମଳୟ ପ୍ରଧାନ, ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବଏଲର୍ସ ସେଫ୍ଟିର ପୂର୍ବତନ ନିର୍ଦ୍ଦେଶକ ଏଚ୍‌.ଏସ୍‌ ମହାନ୍ତିଙ୍କୁ ନେଇ ଗଠିତ ତଦନ୍ତକାରୀ ଦଳ ପ୍ଲାଣ୍ଟ୍‌ର ବିଭିନ୍ନ ଅଞ୍ଚଳ ବୁଲି ଗତକାଲି ଫେରିଯାଇଥିଲେ। ପ୍ରାୟ ୫ ଦିନ ଧରି କୋକୋଭେନ୍‌ରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ସମେତ ଆର୍‌ଏସ୍‌ପିରେ ଅନୁସୃତ ଶ୍ରମିକ ଓ କର୍ମଚାରୀଙ୍କ ନିରାପତ୍ତା ସଂକ୍ରାନ୍ତରେ ସେମାନେ କ’ଣ ଅନୁଧ୍ୟାନ କଲେ, ରିପୋର୍ଟ ଦାଖଲ ପରେ ତାହା ସ୍ପଷ୍ଟ ହେବ।

ଅପର ପକ୍ଷରେ ପ୍ରାୟ ୬୫ ହଜାର କୋଟି ବ୍ୟୟରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ବିବାଦୀୟ ଆଧୁନିକୀକରଣ ଓ ସମ୍ପ୍ରସାରଣ ଯୋଜନା (ଏମ୍‌ଇପି)ରେ ନିର୍ମିତ ଦେଶର ସର୍ବ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ ‘ଦୁର୍ଗା’ର ପିଛା ଛାଡୁନି ଦୁର୍ଘଟଣା। ପ୍ରାୟ ୩୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ଲାଷ୍ଟ ଫର୍ଣ୍ଣେସ୍‌ ଦୁର୍ଗାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଏପ୍ରିଲ ପହିଲାରେ ଉଦ୍‌ଘାଟନ କରିଥିଲେ। ଦୈନିକ ୮୦୦୦ ଟନ୍‌ ଉତ୍ତପ୍ତ ଲୌହ ଉତ୍ପାଦନ କ୍ଷମତାର ଏହି ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ ୧୫ରୁ ୨୦ ବର୍ଷ ତ୍ରୁଟିଶୂନ୍ୟ ଭାବେ ଚାଲିବା କଥା ବୋଲି ବିଶେଷଜ୍ଞମାନେ କହନ୍ତି। ମାତ୍ର ନିମ୍ନ ମାନର ନିର୍ମାଣ ଯୋଗୁଁ ଗତ ଦୁଇ ବର୍ଷ ମଧ୍ୟରେ ଏହା ୧୫ ଥର ଅଚଳ ହୋଇଛି। ଚଳିତ ଆର୍ଥିକ ବର୍ଷ ଆରମ୍ଭ (ଏପ୍ରିଲ୍‌)ରୁ ୩ଟି ଦଫାରେ ଦୁର୍ଗା ପ୍ରାୟ ୩୦ ଦିନ ବନ୍ଦ ରହିଥିବାରୁ ଆର୍‌ଏସ୍‌ପିର ଉତ୍ପାଦନ କ୍ଷତି ୫୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ମେ’ରେ ବ୍ଳାଷ୍ଟ ଫର୍ଣ୍ଣେସ୍‌-୪ ଓ ୧ ମଧ୍ୟରେ ଥିବା ଗ୍ୟାସ୍‌ କ୍ଲାନିଂ ପ୍ଳାଣ୍ଟରେ ବିସ୍ଫୋରଣ ଘଟି ୭ ଜଣ ଠିକା ଶ୍ରମିକ ଗୁରୁତର ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପାଇଁ ଜଣେ ଡିଜିଏମ୍‌ ଓ ଅନ୍ୟ ଜରେ ସହକାରୀ ମ୍ୟାନେଜରଙ୍କୁ ନିଲମ୍ବିତ କରି ଉଚ୍ଚ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡ଼ାଇଥିଲେ। ଦୁର୍ଘଟଣା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଉତ୍ତରଦାୟିତ୍ୱ ବହନ କରିବା ବଦଳରେ ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳୁଥିବାରୁ ସେମାନଙ୍କ ମନୋବଳ ଦୁର୍ବଳ ହେଉଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର