ନୂଆ କାର୍‌ ଦାମ୍ ୧୨ ହଜାର ଟଙ୍କା ବଢ଼ିଯିବ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ଯାନ ଚଳାଚଳ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ଯୋଜନା ଯଦି କାର୍ଯ୍ୟକାରୀ ହେବ ତେବେ ପେଟ୍ରୋଲ୍ ଓ ଡିଜେଲ୍ କାର୍‌ଗୁଡ଼ିକର ଦାମ୍ ୧୨ ହଜାର ଟଙ୍କା ବଢ଼ିଯିବ। ନିତି ଆୟୋଗ ପକ୍ଷରୁ ଇଲେକ୍ଟ୍ରିକ୍ ଯାନକୁ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଉଛି ଓ ତାହା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ଯେଉଁମାନେ ପ୍ରଥମ ଥର ପାଇଁ ‌ଇଲେକ୍ଟ୍ରିକ୍ ଯାନ କିଣିବେ ସେମାନଙ୍କୁ ୨୫-୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସେଥିରେ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଟଙ୍କା ଯୋଗାଡ଼ କରିବା ନିମନ୍ତେ ନୂଆ ପେଟ୍ରୋଲ୍ ଓ ଡିଜେଲ୍ କାର୍‌ ଉପରେ ୧୨ ହଜାର ଟଙ୍କାର ଫି’ ଲାଗୁ କରିବାର ଯୋଜନା ରହିଛି। ଇଲେକ୍ଟ୍ରିକ୍ ଯାନ ଗ୍ରାହକମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ନୀତି ପ୍ରସ୍ତୁତ କରାଯାଉଛି। ଏହାକୁ ମନ୍ତ୍ରୀ ସ୍ତରୀୟ ମଞ୍ଜୁରି ମିଳିନାହିଁ।
ଇଲେକ୍ଟ୍ରିକ୍ ଯାନ ବିକ୍ରି ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ଯୋଜନା ରହିଛି। ଏହି ଗାଡ଼ିର ନୂଆ ମାଲିକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ବ୍ୟତୀତ ବ୍ୟାଟେରି ନିର୍ମାଣରେ ବ୍ୟବହାର ହେଉଥିବା ଉପକରଣ ଉପରୁ ଜିଏସ୍‌ଟି ପରିମାଣ ୧୨%କୁ ହ୍ରାସ କରାଯିବ। ସଡ଼କ ଟିକସ ଆଦାୟ କରାଯିବ ନାହିଁ, କିନ୍ତୁ ବିନା ଶୁଳ୍କରେ ସବୁ ଇଲେକ୍ଟ୍ରିକ୍ ଯାନର ପଞ୍ଜୀକରଣ କରାଯିବ।

ସମ୍ବନ୍ଧିତ ଖବର