ବିତ୍ତୀୟ ନିଅଣ୍ଟ ବର୍ଷକର ଲକ୍ଷ୍ୟ ୭ ମାସରେ ଟପିଗଲା

ନୂଆଦିଲ୍ଲୀ: ସରକାର ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ମୋଟ ବିତ୍ତୀୟ ନିଅଣ୍ଟକୁ ୬ ଲକ୍ଷ ୨୪ ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଅକ୍ଟୋବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ରାଶି ବର୍ଷକର ଧାର୍ଯ୍ୟଠାରୁ ଟପିଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ୬ ଲକ୍ଷ ୪୯ ହଜାର କୋଟି ଟଙ୍କାରେ ପହଞ୍ଚି ଯାଇଛି। ବଜେଟରେ ଧାର୍ଯ୍ୟ ହୋଇଥିବା ବିତ୍ତୀୟ ନିଅଣ୍ଟ ରାଶିର ଏହା ୧୦୩.୯ %ରେ ପହଞ୍ଚିଯାଇଛି। ଅର୍ଥାତ୍ ୧୨ ମାସରେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ଯେତିକି ରହିବ ବୋଲି ଆକଳନ କରାଯାଇଥିଲା ମାତ୍ର ୭ ମାସ ମଧ୍ୟରେ ‌‌ନିଅଣ୍ଟ ରାଶି ତାହାକୁ ଟପିଯାଇଛି। ସରକାର ବିତ୍ତୀୟ ନିଅଣ୍ଟ ଚଳିତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୩ ପ୍ରତିଶତରେ ରହିବ ବୋଲି ଆକଳନ କରିଥିବାବେଳେ ଏହା ୩.୫% ସ୍ତରକୁ ଖସିଯାଇ ପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ପୂର୍ବବର୍ଷର ଏପ୍ରିଲ-ଅକ୍ଟୋବର ତୁଳନାରେ ଚଳିତବର୍ଷର ଏପ୍ରିଲ-ଅକ୍ଟୋବରରେ ବିତ୍ତୀୟ ନିଅଣ୍ଟରେ ୨୩.୫% ବୃଦ୍ଧି ଘଟିଥିବାରୁ ଏହି ଆଶଙ୍କା ବଢ଼ିଯାଇଛି।

କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟ୍‌ସ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଅକ୍ଟୋବରରେ ମୋଟ ବ୍ୟୟରାଶି ୧୪.୫ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ସମଗ୍ର ଆର୍ଥିକ ବର୍ଷ ପାଇଁ ସରକାର ଯେଉଁ ବ୍ୟୟ ବରାଦ ରଖିଛନ୍ତି ଏବେ ତାହା ୫୯.୬%ରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ନିଟ୍ ଟିକସ ରାଜସ୍ବ ୬ ଲକ୍ଷ ୬୧ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସରକାରଙ୍କ ରାଜସ୍ବ ଆଦାୟ ମଧ୍ୟ ସେତେଟା ଉତ୍ସାହଜନକ ନାହିଁ। ଗତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ସରକାରଙ୍କ ମୋଟ ରାଜସ୍ବ ସଂଗ୍ରହ ବଜେଟ ଆକଳନର ୪୮%ରେ ପହଞ୍ଚି ଥିବାବେଳେ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଏହା ୪୪.୪% ରହିଛି। ସେହିଭଳି ଟିକସ ରାଜସ୍ବ ରାଶି ଗତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ମୋଟ ବଜେଟ ଆକଳନର ୪୮.୧%ରେ ରହିଥିବାବେଳେ ଚଳିତବର୍ଷର ଅକ୍ଟୋବର ସୁଦ୍ଧା ଏହା ବଜେଟ ଆକଳନର ୪୫.୭%ରେ ରହିଛି। ରାଜସ୍ବ ନିଅଣ୍ଟ ବଜେଟରେ ଧାର୍ଯ୍ୟ ଲକ୍ଷ୍ୟକୁ ଟପିଯାଇଛି। ଅକ୍ଟୋବର ସୁଦ୍ଧା ଏହା ୧୧୭.୮%ରେ ପହଞ୍ଚି ଯାଇଛି। କେତେକ ଅଣ ଟିକସ ରାଜସ୍ବ ଆଦାୟ ମଧ୍ୟ କମ୍ ରହିଛି। ସେହିଭଳି ପୁଞ୍ଜି ପ୍ରତ୍ୟାହାରରୁ ସରକାର ଯେତିକି ଅର୍ଥ ଆଦାୟ କରିବେ ବୋଲି ଲକ୍ଷ୍ୟ ରଖିଥିଲେ ତାହାର ମାତ୍ର ୧୨.୬% ଅର୍ଥ (୧୦ ହଜାର କୋଟି ଟଙ୍କା) ଆଦାୟ କରିପାରିଛନ୍ତି। ଆଗାମୀ ଦିନରେ ଯଦିଓ ପୁଞ୍ଜି ପ୍ରତ୍ୟାହାର ବାବଦ ରାଶି ବୃଦ୍ଧି ପାଇବ ତଥାପି ସମଗ୍ର ଆର୍ଥିକ ବର୍ଷ ପାଇଁ ସରକାର ରଖିଥିବା ୮୦ ହଜାର କୋଟି ଟଙ୍କାର ଲକ୍ଷ୍ୟ ହାସଲ ହେବାର ଆଶଙ୍କା ରହିଛି। ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୧%କୁ ଖସିଆସିଛି। ଏଥିସହିତ ତୃତୀୟ ତ୍ରୟମାସ‌ର ଅଭିବୃଦ୍ଧି ମଧ୍ୟ କମ୍ ରହିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ନିର୍ବାଚନ ଥିବାରୁ ସରକାରଙ୍କ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ସେ ଦୃଷ୍ଟିରୁ ବିତ୍ତୀୟ ନିଅଣ୍ଟ ବଜେଟରେ ଧାର୍ଯ୍ୟ ଲକ୍ଷ୍ୟକୁ ଟପିଯିବା ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଜିଏସଟି ଆଦାୟ ରାଶି କମିଲା
ନୂଆଦିଲ୍ଲୀ: ଦେଶରେ ପୁଣି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ରାଶି କମିଛି। ନଭେମ୍ବରରେ ସରକାର ଏ ବାବଦରେ ୯୭,୬୩୭ କୋଟି ଟଙ୍କା ଆଦାୟ କରିଛନ୍ତି। ଅକ୍ଟୋବରରେ ଏହି ରାଶି ୧ ଲକ୍ଷ କୋଟି ଟଙ୍କା ଟପିଥିବା ବେଳେ ନଭେମ୍ବରରେ ଜିଏସଟି ରାଜସ୍ବ ହ୍ରାସ ପାଇଛି। ନଭେମ୍ବର ୩୦ ସୁଦ୍ଧା ସମୁଦାୟ ୬୯.୬ ଲକ୍ଷ ଜିଏସଟିଆର-୩ବି ଫର୍ମ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏତଦବ୍ୟତୀତ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ଗୁଡ଼ିକ ନିମନ୍ତେ କ୍ଷତିପୂରଣ ବାବଦରେ ୧୧,୯୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଦାୟ ହୋଇଥିବା ମୋଟ ୯୭,୬୩୭ କୋଟି ଟଙ୍କା ଜିଏସଟି ମଧ୍ୟରୁ ସିଜିଏସଟି ବାବଦରେ ୧୬,୮୧୨ କୋଟି, ଏସଜିଏସଟି ବାବଦରେ ୨୩୦୭୦ କୋଟି, ଆଇଜିଏସଟି ବାବଦରେ ୪୯,୭୨୬ କୋଟି( ଆମଦାନିରୁ ଆଦାୟ ହୋଇଥିବା ୨୪,୧୩୩ କୋଟି ସମେତ) ଟଙ୍କା ଆଦାୟ ହୋଇଛି। ଜିଏସଟି ଆଦାୟ ରାଶି ଚଳିତ ଆର୍ଥିକ ବର୍ଷ ଏପ୍ରିଲରେ ୧.୦୩ ଲକ୍ଷ କୋଟି, ମେ’ରେ ୯୪,୦୧୬ କୋଟି , ଜୁନରେ ୯୫,୬୧୦ କୋଟି, ଜୁଲାଇରେ ୯୬,୪୮୩କୋଟି, ଅଗଷ୍ଟରେ ୯୩,୯୬୦ କୋଟି, ସେପ୍ଟେମ୍ବରରେ ୯୪,୪୪୨ କୋଟି ଏବଂ ଅକ୍ଟୋବରରେ ୧,୦୦,୭୧୦ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର