ଧରାପଡ଼ିଲାଣି ୪୦ ହଜାର କୋଟି କଳାଧନ: ୫ ବର୍ଷରେ ୧୦,୬୯୦ ମାମଲା ରୁଜୁ

ସ୍ବିସ୍‌ ବ୍ୟାଙ୍କରେ ଥିବା କଳାଧନର ହିସାବ ନାହିଁ: ସରକାର

ନୂଆଦିଲ୍ଲୀ: କଳାଧନ ବିରୋଧରେ କେନ୍ଦ୍ର ସରକାର ଜାରି ରଖିଥିବା ଲଢ଼େଇରେ ବିଶେଷ ସଫଳତା ମିଳିଛି। ସରକାରଙ୍କ ଉଦ୍ୟମ ଯୋଗୁଁ କିଛି ବର୍ଷ ଭିତରେ ପ୍ରାୟ ୪୦ ହଜାର କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ଆଜି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୧ ମେ’ ଶେଷ ସୁଦ୍ଧା ୩୯,୭୭୯ କୋଟି ଟଙ୍କାର କଳାଧନ ଠାବ କରାଯାଇଛି।

କଳାଧନ ନିୟମ ୨୦୧୫କୁ କାର୍ଯ୍ୟକାରୀ କରାଯିବା ପରେ ୮,୨୧୬ କୋଟି ଟଙ୍କାର କଳାଧନ ଚିହ୍ନଟ କରାଯାଇଛି। ଏଚ୍‌ଏସ୍‌ବିସି ମାମଲାରେ ୮୪୬୫ କୋଟି ଟଙ୍କାର କଳାଧନ ଠାବ କରାଯାଇ ତାହାକୁ ଟିକସ ପରିସରକୁ ଅଣାଯାଇଛି ଏବଂ କଳାଧନ ଜମାକାରୀଙ୍କୁ ୧୨୯୪ କୋଟି ଟଙ୍କାର ଜରିମାନା ଗଣିବାକୁ କୁହାଯାଇଛି। ସେହିପରି, ଇଣ୍ଟରନ୍ୟାସନାଲ୍ କନ୍‌ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜମ୍ (ଆଇସିଆଇଜେ) ମାମଲାରେ ୧୧,୦୧୦ କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ପାନାମା ପେପର୍ସ ମାମଲାରେ ୨୦,୦୭୮ କୋଟି ଟଙ୍କା ଓ ପାରାଡାଇଜ୍ ପେପର୍ସ ମାମଲାରେ ୨୪୬ କୋଟି ଟଙ୍କାର କଳାଧନ ଠାବ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଟିକସ ଠକେଇ କରି କଳାଧନ ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ଆୟକର ବିଭାଗ ବିଭିନ୍ନ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିଭିନ୍ନ ସ୍ଥାନରେ ଚଢ଼ଉ, ସର୍ଭେ, ଅନୁସନ୍ଧାନ ଓ ଆୟର ଅନୁଶୀଳନ ଆଦି କରାଯାଉଛି। ଆବଶ୍ୟକ ହେଉଥିବା ସ୍ଥାନରେ କୋର୍ଟରେ ମାମଲା ରୁଜୁ କରାଯାଉଛି। ଗତ ପାଞ୍ଚ ବର୍ଷ ଭିତରେ ଆୟକର ବିଭାଗ ପକ୍ଷରୁ କଳାଧନକୁ ନେଇ ୧୦,୬୯୦ଟି ମାମଲା ରୁଜୁ କରାଯାଇଛି।

୦୧୬-୧୭ରେ ୧୨୫୨ଟି, ୨୦୧୭-୧୮ରେ ୪୫୨୭, ୨୦୧୮-୧୯ରେ ୩୫୧୨, ୨୦୧୯-୨୦ରେ ୧୨୨୬ ଓ ୨୦୨୦-୨୧ରେ ୧୭୩ଟି ମାମଲା ରୁଜୁ କରାଯାଇଛି। ଏହି ପାଞ୍ଚ ବର୍ଷ ଭିତରେ ୨୬୧ଟି ମାମଲାରେ କୋର୍ଟ କଳାଧନ ଜମାକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କଳାଧନ (ଅଘୋଷିତ ବିଦେଶ ଆୟ ଓ ସମ୍ପତ୍ତି) ଓ ଟିକସ ଲାଗୁ ନିୟମ, ୨୦୧୫ ଆଧାରରେ ୧୦୭ଟି ମାମଲା ରୁଜୁ କରାଯାଇଛି ବୋଲି ମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି। କଳାଧନ ବିରୋଧ ଲଢ଼େଇ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଦୁଇ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତା ଓ ସହ-ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଯାଞ୍ଚ ଟିମ୍ (ଏସ୍‌ଆଇଟି) ଗଠନ କରାଯାଇଥିବା ବେଳେ ଦ୍ବେତ ଟିକସ ଏଡ଼ାଇବା ଚୁକ୍ତି ସ୍ବାକ୍ଷରିତ ହୋଇଥିବା ଦେଶଗୁଡ଼ିକୁ ବିଭିନ୍ନ ପ୍ରକାର ସୂଚନା ଦେବା ଲାଗି କୁହାଯାଇଛି। ସ୍ବିଜରଲ୍ୟାଣ୍ଡ୍‌ କର୍ତ୍ତୃପକ୍ଷଙ୍କ ସହ ସ୍ବୟଂକ୍ରିୟ ବ୍ୟାଙ୍କିଙ୍ଗ୍‌ ତଥ୍ୟ ଆଦାନପ୍ରଦାନ ନେଇ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ୨୦୧୭ ଠାରୁ ଲାଗୁ ହୋଇଛି।

ସ୍ବିସ୍‌ ବ୍ୟାଙ୍କରେ ଥିବା କଳାଧନର ହିସାବ ନାହିଁ: ସରକାର
ନୂଆଦିଲ୍ଲୀ: ଗତ ୧୦ ବର୍ଷ ଭିତରେ ସ୍ବିସ୍‌ ବ୍ୟାଙ୍କରେ କେତେ କଳାଧନ ଜମା ହୋଇଛି ତାହାର କୌଣସି ଆକଳନ କରାଯାଇନାହିଁ ବୋଲି ଆଜି ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧାରୀ କହିଛନ୍ତି। ସ୍ବିସ୍‌ ବ୍ୟାଙ୍କରେ କେତେ କଳାଧନ ୧୦ ବର୍ଷରେ ଜମା ହୋଇଛି ଓ ତାହାକୁ ଫେରାଇ ଆଣିବା ଲାଗି ସରକାର କ’ଣ ସବୁ ପଦ‌କ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ପ୍ରଶ୍ନ କରାଯାଇଥିଲା। ତାହାର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି। ତେବେ କଳାଧନ ବିରୋଧ ଲଢ଼େଇ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ବି‌ଷୟରେ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର