ଚାକିରିରେ ଯୋଗଦେଲେ ନୂଆ ଲୋକାଲ୍ ଫଣ୍ଡ୍ ଅଡିଟର

ଭୁବନେଶ୍ବର: ଚାକିରିରେ ଯୋଗ ଦେଇଛନ୍ତି ୮୦ ଲୋକାଲ୍ ଫଣ୍ଡ୍ ଅଡିଟର ଓ ୧୫ ସ୍ମଲ ସେଭିଂ ଆଣ୍ଡ୍‌ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଅଫିସର। କଠିନ ପରିଶ୍ରମ କରିବା, ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିବା ଓ ରାଜ୍ୟର ଉନ୍ନତି ଲାଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କୁ ଆହ୍ବାନ ଦେଇଛନ୍ତି। ସେମାନଙ୍କ ଲାଗି ଲୋକସେବା ଭବନରେ ଆୟୋଜନ କରାଯାଇଥିବା ଓରିଏଣ୍ଟେନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହି‌ଛନ୍ତି ଯେ ଲୋକମାନଙ୍କ ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବା ଲାଗି ବିଭିନ୍ନ ଦକ୍ଷତାରେ କାମ କରିବାର ସ୍ବତନ୍ତ୍ର ସୁଯୋଗ କର୍ମଚାରୀମାନଙ୍କୁ ପ୍ରଶାସନିକ ସେବା ପ୍ରଦାନ କରିଥାଏ। ଗତ ଦୁଇ ଦଶନ୍ଧିରେ ରାଜ୍ୟର ପ୍ରଦର୍ଶନ ସମ୍ପର୍କରେ ସେ କହିଛନ୍ତି ରାଜ୍ୟର ଉଲ୍ଲେଖନୀୟ ପ୍ରଗତି ହୋଇଛି ଓ ଏକ ଗରିବ ଓ ପଛୁଆ ରାଜ୍ୟର ପରିଚୟ ବଦଳିଛି।

ଏବେ ଏହା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟରେ ପରିଣତ ହୋଇଛି। ୫-ଟି ଓ ମୋ ସରକାର ଭଳି ଅଭିଯାନ ପ୍ରଶାସନିକ ସେବା ପ୍ରଦାନର ଏକ ଉଚ୍ଚ ମାନକ ଧାର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ନୂତନ ଭାବେ ଚାକିରିରେ ଯୋଗ ଦେଇଥିବା ଲୋପାମୁଦ୍ରା ପଣ୍ଡା, ପ୍ରଜ୍ଞା ଭାରତୀ ସେଠୀ ଓ ପ୍ରଭାତ ସେନାପତି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର