୧୩ ଲକ୍ଷ କୋଟି ହରାଇବା ପରେ ଚେତିଲେ, ନିବେଶକଙ୍କ ଉପରୁ ହଟାଇବେ ସର୍‌ଚାର୍ଜ

ଅଧ୍ୟାଦେଶ ଜାରି କରିବେ

ନୂଆଦିଲ୍ଲୀ: ଅଧିକ ଟିକସ ପାଇବା ଆଶାରେ ବଜେଟ୍‌ରେ ନୂଆ ଟିକସ ଘୋଷଣା କରିଦେଲେ। ଟିକସ ବାବଦରେ ରାଜସ୍ବ ମିଳିବା ଆରମ୍ଭ ହେବା ପୂର୍ବରୁ ‌ହଜାର ହଜାର କୋଟି ଟଙ୍କା ଦେଶରୁ ଚାଲିଗଲା। ଟିକସକୁ ନେଇ ଅସନ୍ତୁଷ୍ଟ ଥିବା ବିଦେଶୀ ନିବେଶକମାନେ କିଛି ସପ୍ତାହ ଭିତରେ ବିପୁଳ ପରିମାଣର ପାଣ୍ଠି ଭାରତୀୟ ବଜାରରୁ ନେଇଗଲେ। ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା ହରାଇବା ପରେ ସରକାର ଚେତିଛନ୍ତି। ବିଦେଶୀ ନିବେଶକଙ୍କୁ ସନ୍ତୁଷ୍ଟ କରିବା ଲାଗି ସେମାନଙ୍କ ଉପରେ ବଜେଟ୍‌ରେ ଯେଉଁ ସର୍‌ଚାର୍ଜ ଲଗାଯାଇଥିଲା ତାହାକୁ ପ୍ରତ୍ୟାହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସହ ଆଲୋଚନା କରିବା ପରେ ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଖୁବ୍‌ଶୀଘ୍ର ସରକାର ଏନେଇ ଅଧ୍ୟାଦେଶ ଜାରି କରିବେ। ତାହାକୁ ଆଇନରେ ପରିଣତ କରିବା ଲାଗି ସଂସଦର ଆଗାମୀ ଅଧିବେଶନରେ ବିଲ୍ ଅଣାଯିବ। ଏହି ସର୍‌ଚାର୍ଜ ପ୍ରତ୍ୟାହାର କରାଗଲେ ସରକାର ୪୦୦ କୋଟି ଟଙ୍କାର ରାଜସ୍ବ ହରାଇବେ। କେବଳ ଏହି ସର୍‌ଚାର୍ଜ ନୁହେଁ, ଲଙ୍ଗ୍‌ ଟର୍ମ କ୍ୟାପିଟାଲ୍ ଗେନ୍ (ଏଲ୍‌ଟିସିଜି) ଟିକସକୁ ମଧ୍ୟ ପ୍ରତ୍ୟାହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି। ୨୦୧୮ରେ ଏହି ଟିକସ ଘୋଷଣା କରାଯାଇଥିଲା। ଲାଭାଂଶ ବଣ୍ଟନ ଟିକସକୁ ମଧ୍ୟ କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଧନୀଙ୍କ ଉପରେ ଲଗାଯାଇଥିବା ଟିକସକୁ ସରକାର ପ୍ରତ୍ୟାହାର କରିବେ ନାହିଁ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ଜୁଲାଇ ୫ରେ ନିଜର ପ୍ରଥମ ବଜେଟ୍‌ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଦେଶୀ ନିବେଶକ ଓ ଧନୀମାନଙ୍କ ଆୟ ଉପରେ ସର୍‌ଚାର୍ଜ ଲଗାଇଥିଲେ। ଏହି ଘୋଷଣା ହେବା ପର ଠାରୁ ବିଦେଶୀ ନିବେଶକମାନେ ୨୦ ହଜାର କୋଟି ଟଙ୍କା ପୁଞ୍ଜି ବଜାରରୁ ପ୍ରତ୍ୟାହାର କରିନେଇଥିଲେ। ଏହାର ପ୍ରଭାବରେ ନିବେଶକମା‌ନେ ବିପୁଳ ପରିମାଣର କ୍ଷତି ସହିଥିଲେ ଏବଂ ପରେ ସେମାନଙ୍କ ପାଖରେ ଥିବା ସେୟାର ବିକ୍ରି କରିଦେଇଥିଲେ। ସେଥିପାଇଁ ଷ୍ଟକ ବଜାରରେ ପଞ୍ଜୀକୃତ ହୋଇଥିବା କଂପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୧୩ ଲକ୍ଷ କୋଟି ହ୍ରାସ ପାଇଛି। ବିଦେଶୀ ନିବେଶକଙ୍କ ଉପରେ ଟିକସ ଲଗାଯିବା ପରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ନିୟମିତ ହ୍ରାସ ହେଉଥିଲା। ବଜେଟ୍‌ ଘୋଷଣା ପୂର୍ବରୁ ୪୦ ହଜାର ପଏଣ୍ଟ୍‌ ପାଖାପାଖି ଥିବା ସେନ୍‌ସେକ୍ସ ମାସକ ଭିତରେ ୩୬ ହଜାର ପଏଣ୍ଟ୍‌ ସ୍ତରକୁ ଖସିଆସିଛି।

ସମ୍ବନ୍ଧିତ ଖବର