ମାଲ୍ୟାଙ୍କ ସମ୍ପତ୍ତି ବିକ୍ରିରୁ ବ୍ୟାଙ୍କ ଫେରିପାଇଲେ ୭୯୨ କୋଟି

ନୂଆଦିଲ୍ଲୀ : କିଙ୍ଗଫିସ୍‌ର ଏୟାରଲାଇନ୍ସ ମୁଖ୍ୟ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଋଣ ଠକେଇ ମାମଲାରେ ବ୍ୟାଙ୍କଗୁଡ଼ିକ ୭୯୨ କୋଟି ଟଙ୍କା ଫେରିପାଇଛନ୍ତି। ମାଲ୍ୟାଙ୍କ ଯେଉଁ ସେୟାର ଜବତ କରାଯାଇଥିଲା ତାହାକୁ ବିକ୍ରି କରିବା ପରେ ‌ସେଥିରୁ ମିଳିଥିବା ଟଙ୍କାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ବ୍ୟାଙ୍କ କନ୍‌ସୋର୍ଟିୟମ୍‌କୁ ହସ୍ତାନ୍ତର କରିଛି। ମନି ଲଣ୍ଡରିଂ ନିରୋଧୀ ଆଇନ ବଳରେ ମାଲ୍ୟାଙ୍କ ସେୟାର ଓ ଅନ୍ୟାନ୍ୟ ସମ୍ପତ୍ତିକୁ ଇଡି ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଓ ସରକାର ହରାଇଥିବା ୫୮% ଟଙ୍କା ଫେରିପାଇଛନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଛି।

ଗତ ମାସରେ ଇଡି ତରଫରୁ ବ୍ୟାଙ୍କଗୁଡ଼ିକୁ ୭,୧୮୧ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ୍ ଚୋକ୍‌ସି କରିଥିବା ଋଣ ଠକେଇର ତଦନ୍ତ କରି ଇଡି ତରଫରୁ ସେମାନଙ୍କ ବହୁ ପ୍ରକାର ସମ୍ପତ୍ତି ଜବତ କରାଯାଇଛି। ସେଗୁଡ଼ିକୁ ବିକ୍ରି କରି ବ୍ୟାଙ୍କଗୁଡ଼ିକୁ ଟଙ୍କା ଫେରସ୍ତ କରାଯାଉଛି। ମାଲ୍ୟା, ନିରବ ଓ ଚୋକ୍‌ସିଙ୍କ ମାମଲାରେ ବ୍ୟାଙ୍କଗୁଡ଼ିକ ଯେଉଁ ଟଙ୍କା ହରାଇଥିଲେ ସେଥି ମଧ୍ୟରୁ ୨୨,୫୮୫.୮୩ କୋଟି ଟଙ୍କା ଫେରିପାଇଛନ୍ତି। ଋଣ ଠକେଇ କରିଥିବା ଅଭିଯୁକ୍ତ ଜବତ ସମ୍ପତ୍ତିକୁ ବିକ୍ରି କରିବା ପରେ ଯେଉଁ ଟଙ୍କା ମିଳୁଛି ତାହାକୁ ବ୍ୟାଙ୍କଗୁଡ଼ିକୁ ଦିଆଯାଉଥିବା ବେଳେ କିଛି ଟଙ୍କା କେନ୍ଦ୍ର ସରକାରଙ୍କ ରାଜକୋଷରେ ଜମା କରାଯାଉଛି। ଏହି ଦୁଇ ମାମଲାରେ ଇଡି ତରଫରୁ ୧୮,୨୧୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

ସମ୍ବନ୍ଧିତ ଖବର