ଗ୍ରାହକଙ୍କୁ ମିଳୁନି ତେଲ ଦର ହ୍ରାସର ଲାଭ: ଅଶୋଧିତ ତୈଳ ଦର ୧୦ ଡଲାର କମିଲାଣି, ପେଟ୍ରୋଲ୍‌ ଦାମ୍ କମୁନି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ ନିର୍ଧାରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ଇତି ମଧ୍ୟରେ ୧୦ ଡଲାର ହ୍ରାସ ପାଇ ୬୬ ଡଲାର ସ୍ତରକୁ ଖସିଆସିଛି। ଏହା ସତ୍ତ୍ବେ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଦାମ୍ ହ୍ରାସ କରୁନାହାନ୍ତି। ଡିଜେଲ୍ ମୂଲ୍ୟରେ ମାତ୍ର ଅଳ୍ପ କିଛି ପଇସାର ହ୍ରାସ ଘଟିଛି। ତୈଳ କଂପାନିଗୁଡ଼ିକ ବିଦେଶରୁ ଅଶୋଧିତ ତୈଳ ଆଣି ତାହାକୁ ଦେଶ ଭିତରେ ଥିବା ବିଶୋଧନାଗାରରେ ପ୍ରକ୍ରିୟାକରଣ କରି ସେଥିରୁ ପେଟ୍ରୋଲ୍, ଡିଜେଲ୍ ଓ ଅନ୍ୟାନ୍ୟ ପେ‌ଟ୍ରୋଲିୟମ୍ ଜାତ ସାମଗ୍ରୀ ଉତ୍ପାଦନ କରିଥିଲା। ସେଠାରୁ ତେଲ ଟାଙ୍କିଗୁଡ଼ିକୁ ପେଟ୍ରୋଲ୍ ଓ ଡିଜେଲ୍ ଯୋଗାଣ କରାଯାଏ। ଖୁଚୁରା ଭା‌ବେ ତାହା ବିକ୍ରି ହେବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ ଡିଲର୍‌ କମିସନ ଯୋଡ଼ିଦିଆଯାଏ। ଏବେ ଏକ ଲିଟର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସ ଭାଗ ପ୍ରାୟ ୬୦% ସ୍ତରରେ ରହିଛି। ଅର୍ଥାତ ୧୦୦ ଟଙ୍କାରେ ବିକ୍ରି ହେଉଥିବା ପେଟ୍ରୋଲ୍‌ର ମୂଳ ଦାମ୍ ୪୦ ଟଙ୍କା ହୋଇଥିବା ବେଳେ ସାଧାରଣ ଖାଉଟି ସରକାରଙ୍କୁ ୬୦ ଟଙ୍କାର ଟିକସ ଦେଉଛନ୍ତି। ଯଦିଓ ଗତ ୩୦ ଦିନ ଭିତରେ ପେଟ୍ରୋଲ୍ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ଏହାର ପୂର୍ବ ସମୟରେ ଲଗାତାର ଭାବେ ଦର ବଢ଼ିବା ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। କିଛି ରାଜ୍ୟରେ ଡିଜେଲ୍ ଦାମ୍ ମଧ୍ୟ ୧୦୦ ଟଙ୍କା ପାଖାପାଖି ରହିଛି।

ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ପୁଣି ବୃଦ୍ଧି ପାଇଥିବାରୁ ତୈଳ ଚାହିଦା ହ୍ରାସ ପାଇଛି। ସେଥିପାଇଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଶସ୍ତା ହୋଇଛି। ଗତ ସପ୍ତାହରେ ଏହାର ଦାମ୍ ୫ ଡଲାର ହ୍ରାସ ପାଇଥିଲା। ଗୋଟିଏ ପଟେ ଅଧିକ ତେଲ କିଣୁଥିବା ଦେଶଗୁଡ଼ିକରେ ଚାହିଦା ହ୍ରାସ ପାଇଥିବା ବେଳେ ତେଲ ଉତ୍ପାଦନ କରୁଥିବା ଦେଶ ଅଧିକ ଯୋଗାଣ କରୁଛନ୍ତି। ଅର୍ଥାତ ସେମାନେ ଅଧିକ ତେଲ ଉତ୍ପାଦନ କରି ବଜାରରେ ଉପଲବ୍ଧ କରିଛନ୍ତି। ଚାହିଦା ଠାରୁ ଯୋଗାଣ ଅଧିକ ରହିବା ଯୋଗୁଁ ଅଶୋଧିତ ତୈଳ ଦର ହ୍ରାସ ପାଉଛି। ଆସନ୍ତା ମାସରେ ବଜାରକରୁ ଅଧିକ ତେଲ ଛାଡ଼ିବାକୁ ସାଉଦି ଆରବ ଓ ରୁଷିଆ ପ୍ରସ୍ତୁତ ରହିଛନ୍ତି। ଆମେରିକାରେ ସେଲ୍‌ ଗ୍ୟାସ୍‌ ଉତ୍ପାଦନ ମଧ୍ୟ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଅଶୋଧିତ ତୈଳ ଦର ହ୍ରାସର କୌଣସି ଲାଭ ଭାରତୀୟ ଗ୍ରାହକଙ୍କୁ ମିଳୁନି। ଗତ ଜୁଲାଇ ୧୮ ପରଠାରୁ ପେଟ୍ରୋଲ୍ ଦାମ୍ ସ୍ଥିର ରହିଛି। ଦୁଇ ଦିନରେ ଡିଜେଲ୍ ମୂଲ୍ୟ ୪୦ ପଇସା କମିଛି। ଦର ନିର୍ଧାରଣ କରିବାର ସ୍ବାଧୀନତା ତେଲ କଂପାନିଗୁଡ଼ିକୁ ଦିଆଯାଇଛି। କିନ୍ତୁ ସେମାନେ ସର୍ବଦା ସେହି ନିୟମକୁ ପାଳନ କରୁନାହାନ୍ତି। ଗ୍ରାହକମାନଙ୍କୁ ତୈଳ ଦର ବୃଦ୍ଧି ବଡ଼ ଧରଣ ଝଟ୍‌କାରୁ ସୁରକ୍ଷା ଦେବା ଲାଗି ଚାରି ବର୍ଷ ପୂର୍ବେ ଦୈନିକ ଦର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର