ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି : କମ୍ପାନି ଦେଲା ସ୍ପଷ୍ଟୀକରଣ; ବନ୍ଦ ହେବ ନାହିଁ ବିଏସଏନଏଲ୍
ଗୁଜବକୁ ବିଶ୍ୱାସ ନ କରିବାକୁ ଗ୍ରାହକଙ୍କୁ ପରାମର୍ଶ
ଭୁବନେଶ୍ବର : ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ବିଏସଏନଏଲ ବନ୍ଦ ହେବନି । ବିଏସଏନଏଲ ଖୁବଶୀଘ୍ର ବନ୍ଦ ହେବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ଗୁଜବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଠାରୁ ଜାତୀୟ ସମେତ ଆଞ୍ଚଳିକ ଗଣମାଧ୍ୟମଗୁଡିକରେ ବିଏସଏନଏଲ କ୍ଷତିରେ ଚାଲୁଛି ଓ ଏହାକୁ ଖୁବଶୀଘ୍ର ସରକାର ବନ୍ଦ କରିପାରନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଏସଏନଏଲ ବନ୍ଦ ହେବା ନେଇ ଖବର ପ୍ରସାରିତ ହେବା ପରେ ଏ ନେଇ କମ୍ପାନିର ଓଡ଼ିଶା ଶାଖା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ବିଏସଏନଏଲ କମ୍ପାନି ବନ୍ଦ ଖବର ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଏସଏନଏଲ ଓଡ଼ିଶା ଶାଖା ସିଜିଏମ ସତ୍ୟାନନ୍ଦ ନାୟକ । ବିଏସଏନଏଲ ହେଉଛି କେନ୍ଦ୍ରୀୟ ସରକାରୀ ସଂସ୍ଥା । ତେଣୁ ଏହା ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । ଲଗାତାର ଭାବେ କମ୍ପାନି ଏହାର ନେଟୱାର୍କକୁ ଲ୍ୟାଣ୍ଡଲାଇନ. ବ୍ରଡବ୍ୟାଣ୍ଡ, ଘର ପର୍ଯ୍ୟନ୍ତ ଫାଇବର କେବୁଲ, ମୋବାଇଲ ସେବା ଦ୍ୱାରା ପରିବର୍ଦ୍ଧିତ କରୁଛି ।
ଗତ କିଛିଦିନ ମଧ୍ୟରେ ବିଏସଏନଏଲର ଓଡିଶା ଶାଖା ବଲାଙ୍ଗୀରରେ ୪ଜି ସେବା ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ସୋନପୁର, କଳାହାଣ୍ଡି ଓ ନୂଆପଡାରେ ମଧ୍ୟ ଏହି ସେବା ଆରମ୍ଭ କରିବ । ଏପରିକି ବଲାଙ୍ଗୀରରେ ବିଏସଏନଏଲ ଗ୍ରାହକ ମାନେ କମ୍ପାନିର ୪ଜି ସେବାକୁ ପ୍ରଂଶସା କରିବା ସହ ଏହା ଅନ୍ୟ ଟେଲିକମ କମ୍ପାନି ଠାରୁ ମଧ୍ୟ ଭଲ ସେବା ଯୋଗାଉଥିବା କହିଛନ୍ତି । ବିଏସଏନଏଲ ସବୁବେଳେ ଲୋକଙ୍କ ସହ ଅଛି ଓ ଆଗକୁ ମଧ୍ୟ ଗ୍ରାହକ ମାନଙ୍କୁ ଭଲ ସେବା ଯୋଗାଇଦେବାକୁ ପ୍ରୟାସ ଚଳାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ଏହାପୂର୍ବରୁ ଭାରତୀୟ ବଜାରରେ ଜିଓର ଏଣ୍ଟ୍ରି ପରେ ବିଏସଏନଏଲ ଲଗାତାର ଭାବେ ୩ ବର୍ଷ ହେଲା କ୍ଷତିରେ ଚାଲୁଛି ଓ ଖୁବଶୀଘ୍ର ସରକାର ଏହାକୁ ବନ୍ଦ କରିପାରନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି ଗତ ୩ ବର୍ଷ ହେଲା ବିଏସଏନଏଲ କ୍ଷତିରେ ଚାଲୁଥିବା ବେଳେ କମ୍ପାନି ଅଧିକାରୀ ମାନେ ଏ ନେଇ ଟେଲିକମ ସଚିବ ଅରୁଣା ସୁନ୍ଦରରାଜନଙ୍କ ସହ ଆଲୋଚନା କରିଥିଲେ ଓ ଏହି ଆଲୋଚନା ପରେ ଦୁଇଟି ନିସ୍କର୍ଷ ସାମ୍ନାକୁ ଆସିଥିବା ଖବର ପ୍ରକାଶ ପାଇଥିଲା । ପ୍ରଥମତଃ କ୍ଷତିରେ ଚାଲୁଥିବା ବିଏସଏନଏଲକୁ ବଞ୍ଚାଇବା ଲାଗି କମ୍ପାନିର ପୁଞ୍ଜି ପ୍ରତ୍ୟାହାର କରିବା ସହ ଏହାକୁ ନୂତନ ପାଣ୍ଠି ଦେବା ଓ ଅନ୍ୟ ବିକଳ୍ପ ଉପରେ ବିଚାର କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏଥିରେ ସଫଳ ନ ହେଲେ ସରକାର କମ୍ପାନିକୁ ବନ୍ଦ କରିବାକୁ ଚିନ୍ତା କରିପାରନ୍ତି ବୋଲି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ଏହି ଆଲୋଚନାରେ ବିଏସଏନଏଲର ସିଏମଡି ଅନୁପମ ଶ୍ରୀବାସ୍ତବ ଟେଲିକମ ସଚିବ ସୁନ୍ଦରରାଜନଙ୍କ ନିକଟରେ କମ୍ପାନିର ଆର୍ଥିକ ସ୍ଥିତି, ମୋଟ କ୍ଷତି ପରିମାଣ, ଜିଓ ଆସିବା ପରେ ବିଏସଏନଏଲ ଉପରେ ପଡିଥିବା ପ୍ରଭାବ, କର୍ମଚାରୀଙ୍କ ପାଇଁ ସମ୍ଭାବ୍ୟ ଭିଆରଏସ ସ୍କିମ ଓ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେବାନିବୃତି ଯୋଜନା ନେଇ ରିପୋର୍ଟ ଉପସ୍ଥାପନା କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହାକୁ ତର୍ଜମା କରିବା ପରେ କମ୍ପାନିକୁ ନେଇ ସମସ୍ତ ପ୍ରକାର ବିକଳ୍ପ ଉପରେ ବିଚାର କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାଛଡା କ୍ଷତିର ଭରଣା କରିବାକୁ ବିଏସଏନଏଲର ଯେଉଁ ସବୁ କୋଠା ରହିଛି ତାହାକୁ ବ୍ୟବହାର କରି ପାଣ୍ଠି ଯୋଗାଡ କରିବା ପାଇଁ ଉଦ୍ୟମ କରିବାକୁ ମଧ୍ୟ କମ୍ପାନିକୁ ସରକାର ପରାମର୍ଶ ଦେଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ବିଏସଏନଏଲ ବନ୍ଦ ହେବା ନେଇ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ କମ୍ପାନି ଗ୍ରାହକ ମାନଙ୍କ ପାଇଁ ସୂଚନା ଜାରି କରି କହିଛି ଏହା ସମ୍ପୂର୍ଣ୍ଣ ମିଛ ଓ ଏଭଳି ଗୁଜବ ଉପରେ ଗ୍ରାହକମାନେ ଆଦୌ ବିଶ୍ୱାସ ନ କରନ୍ତୁ ।