‘ସିଏମାନେ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ହେବା ଦରକାର’

ଭୁବନେଶ୍ୱର: ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ) ବୃତ୍ତିଧାରୀମାନେ ଦେଶର ଅର୍ଥନୈତିକ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ହେବା ଦରକାର। କେବଳ କ୍ଲାଏଣ୍ଟ୍‌ଙ୍କୁ ସୁହାଇବା ଭଳି କାମ କଲେ ଚଳିବ ନାହିଁ। ସିଏ ବୃତ୍ତିରେ ଥିବା ବ୍ୟକ୍ତିମାନେ କ୍ଲାଏଣ୍ଟ୍‌ ବଦଳରେ ଦେଶର ବ୍ୟବସ୍ଥା ପ୍ରତି ଅଧିକ ବିଶ୍ୱସ୍ତ ହେବା ଦରକାର ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ସିଏ ବିଦ୍ୟାର୍ଥୀ ସମ୍ମିଳୀନକୁ ଉଦ୍‌ଘାଟନ କରିବା ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଅନେକ ସଂସ୍ଥା ଖରାପ ବାଲାନ୍‌ସ ସିଟ୍‌ ସତ୍ତ୍ୱେ ସିଏମାନଙ୍କ ସହାୟତାରେ ବ୍ୟାଙ୍କଠାରୁ ଋଣ ହାସଲ କରିବାରେ ସଫଳ ହେଉଛନ୍ତି। ଯେହେତୁ ସଂସ୍ଥାର ଆର୍ଥିକ ସ୍ଥିତି ଭଲ ନଥାଏ ତେଣୁ ପରବର୍ତି ସମୟରେ ସେହି ଋଣ ଅର୍ଥ ପରିଶୋଧ ହୋଇପାରେ ନାହିଁ ଏବଂ ଦେଶର ଅର୍ଥନୀତି ଏହା ଦ୍ୱାରା ପ୍ରଭାବିତ ହୁଏ। ଯାହାର ପରିମାଣ ଦେଶବାସୀଙ୍କୁ ଭୋଗିବାକୁ ପଡ଼େ। ଯଦି ସିଏମାନେ ଏଭଳି ଭୁଲ କାମ କରିବାରୁ କ୍ଲାଏଣ୍ଟ୍‌ମାନଙ୍କୁ ଅଟକାଇ ଦେବେ ତେବେ ଦେଶର ଅର୍ଥନୀତିକୁ ଏଭଳି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମୂଲ୍ୟବୋଧ, ସଚ୍ଚୋଟତା ଏବଂ ଉତ୍କର୍ଷକୁ ସମସ୍ତ ବିଦ୍ୟାର୍ଥୀ ଗୁରୁତ୍ୱ ପ୍ରଦାନ କରିବା ଦରକାର। ମୂଲ୍ୟବୋଧକୁ ସଂରକ୍ଷିତ ରଖିବା ପାଇଁ ପ୍ରୟାସ କରିବା, ସେବା ପ୍ରଦାନ ବେଳେ ସଚ୍ଚୋଟ ମନୋଭାବ ରଖିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ଲକ୍ଷ୍ୟ ରଖିବା ଦିଗରେ ବିଦ୍ୟାର୍ଥୀମାନେ ଯତ୍ନବାନ ହେବା ଦରକାର ବୋଲି ସେ କହିଛନ୍ତି। ସିଏ ଛାତ୍ରଛାତ୍ରୀମାନେ ନିଜର ବୃତ୍ତିକୁ ଭଲ ଭାବେ ବୁଝିବା ଦରକାର। ସେମାନଙ୍କର ସ୍ୱାକ୍ଷର କେତେ ମୂଲ୍ୟବାନ ତାହା ସେମାନେ ଜାଣିବା ଦରକାର ବୋଲି ସେ କହିଛନ୍ତି।

ଆଇସିଏଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ରଶ୍ମୀ ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି। ସମୟାନୁର୍ତିତା ଜୀବନରେ କେତେ ମୂଲ୍ୟବାନ ତାହା ସେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଛନ୍ତି। ଶାଖାର ଉପାଧ୍ୟକ୍ଷ ଇଆଇସିଏଏସ୍‌ଏର ଉପାଧ୍ୟକ୍ଷ ରାଜା ନାରାୟଣ ତ୍ରିପାଠୀ ଛାତ୍ରଛାତ୍ରୀମାନେ କେଉଁ ବିଷୟ ପ୍ରତି ଗୁରୁତ୍ୱ ପ୍ରଦାନ କଲେ ଜୀବନରେ ସଫଳତା ପାଇବା ତାହା ବର୍ଣ୍ଣନା କରିଛନ୍ତି।
ଏହି ଅବସରରେ ବୋର୍ଡ ଅଫ୍‌ ଷ୍ଟଡିଜ୍‌ର ଅଧ୍ୟକ୍ଷ ଅତୁଲ କୁମାର ଗୁପ୍ତା, ଇଆଇସିଏଏସ୍‌ଏର ଉପାଧ୍ୟକ୍ଷା ସୋନୁ ଜୈନ ଏବଂ ଆଇସିଏଆଇ ଭୁବନେଶ୍ୱର ଶାଖାର ସମ୍ପାଦକ ସୁଜ୍ଞାନ କୁମାର ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର