କୃଷିରେ ଡିଜିଟାଲ୍‌ ବିପ୍ଳବ ପାଇଁ ଆହ୍ବାନ, ଶ୍ରମଶକ୍ତିର ୬୨% କୃଷି ଉପରେ ନିର୍ଭରଶୀଳ

ଏଗ୍‌ଇଣ୍ଟେଲ୍‌‌ ଆପ୍ ଉନ୍ମୋଚିତ

ଭୁବନେଶ୍ବର: ରାଜ୍ୟର ଅର୍ଥନୀତି ପ୍ରତି ୨୧.୭% ଓ ନିଯୁକ୍ତି ପ୍ରତି ୬୨% ଭଳି ବଡ଼ ଧରଣର ଯୋଗଦାନ ପ୍ରଦାନ କରୁଥିବା କୃଷି ‌କ୍ଷେତ୍ରରେ ଡିଜିଟାଲ୍‌ ବିପ୍ଳବ ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆହ୍ବାନ ଦେଇଛନ୍ତି। ‘ଏଗ୍‌ଇଣ୍ଟେଲ୍‌’ ନାମକ ମୋବାଇଲ୍‌ ଆପ୍ ଉନ୍ମୋଚନ ପରିପ୍ରେକ୍ଷୀରେ ଆୟୋଜନ କରାଯାଇଥିବା ଏକ ୱେବିନାର୍‌ରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଯେହେତୁ ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ କୃଷି ହେଉଛି ଜୀବନଜୀବିକାର ଏକ ପ୍ରମୁଖ ଉତ୍ସ, ତେଣୁ ଏହି କ୍ଷେତ୍ରର ଡିଜିଟାଲ୍‌କରଣ ହେଲେ କାର୍ଯ୍ୟର ଢାଞ୍ଚା ବଦଳିବ ଓ ଉନ୍ନତ ତଥା କୁଶଳୀ ଶ୍ରମିକଙ୍କ ଚାହିଦା ବୃଦ୍ଧି ପାଇବ। ପ୍ରଯୁକ୍ତି ଓ ଜ୍ଞାନକୌଶଳର ବ୍ୟବହାର ବଢ଼ିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଏହି ଡିଜିଟାଲ୍‌କରଣ ପ୍ରକ୍ରିୟାରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ପଡ଼ିବ। କୃଷି ଉଦ୍ୟୋଗୀ ଭାବେ ଉଭା ହେବା ପାଇଁ ଅଳ୍ପ ଜମି ଥିବା କୃଷି ପରିବାରର ଯୁବବର୍ଗଙ୍କ ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ଏଗ୍‌ଇଣ୍ଟେଲ୍‌ର ପ୍ରତିଷ୍ଠାତା ଡକ୍ଟର ଭାଗ୍ୟଶ୍ରୀ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବିନାର୍‌ରେ ଅଂଶଗ୍ରହଣ କରି ଏଫ୍‌ଏମ୍‌ସିର କର୍ପୋରେଟ୍‌ ବ୍ୟାପାର ନିର୍ଦେଶକ ରାଜୁ କପୁର କହିଛନ୍ତି ଯେ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶା ଭଳି ରାଜ୍ୟରେ କୃଷି କ୍ଷେତ୍ରକୁ ଏକ ଆକର୍ଷଣୀୟ ଜୀବିକା କ୍ଷେତ୍ର ଭାବେ ଯୁବବର୍ଗ ଗ୍ରହଣ କରିବାକୁ ଚାହୁନାହାନ୍ତି। ସେମାନେ ଅନ୍ୟ କ୍ଷେତ୍ରଗୁଡ଼ିକ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ କୃ‌ଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ରାଜ୍ୟର ଅନେକ ଯୁବକଯୁବତୀଙ୍କ ମଧ୍ୟରେ ଆଗ୍ରହ ରହିଛି ବୋଲି ସେ କହିଛନ୍ତି। କୃଷି କ୍ଷେତ୍ରର ଡିଜିଟାଲ୍‌କରଣ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇ କହିଛନ୍ତି ଯେ କୃ‌ଷିରେ ଡିଜିଟାଲ୍ ସମାଧାନ ବ୍ୟବହାର ବଢ଼ାଇବା ଲାଗି କୃ‌ଷି ଉତ୍ପାଦକ ସଂଗଠନ (ଏଫ୍‌ପିଓ)ଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ହେବ।

ଏହି ଅବସରରେ ସଂକଳ୍ପ ଟିଭିର ପ୍ରତିଷ୍ଠାତା ଅଶୋକ ଦାସ ମଧ୍ୟ କୃଷି କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରଯୁକ୍ତି ଯଥା ଏଆଇ, ଡ୍ରୋନ୍ ଆଦିର ବ୍ୟବହାର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଦେଶର ଜନସଂଖ୍ୟାରେ ଯୁବବର୍ଗଙ୍କ ସଂଖ୍ୟା କିଭଳି ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ତାହା ସେ ବର୍ଣ୍ଣନା କରିଥିଲେ। ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ଏଗ୍‌ଇଣ୍ଟେଲ୍‌ ଆପ୍‌କୁ ଉନ୍ମୋଚନ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ କରୋମଣ୍ଡଳ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍‌ର ବରିଷ୍ଠ ଇଭିପି ଜେ ଭି ରତ୍‌ନାମ୍, ଜାଭିୟର ବିଶ୍ବବିଦ୍ୟାଳୟ ଭୁବନେଶ୍ବରର ଡିନ୍ ପ୍ରଫେସର ନିରଜ କୁମାର ଓ ଉତ୍କଳ ବିଶ୍ବବିଦ୍ୟାଳୟ ସେଣ୍ଟର୍‌ ହେଡ୍‌-ଏଗ୍ରି ବିଜ୍‌ନେସ୍ ମ୍ୟାନେଜମେଣ୍ଟ୍ ଦୀପକ ରାମ ଉପସ୍ଥିତ ଥିଲେ। ଏଗ୍‌ଇଣ୍ଟେଲ୍‌ ହେଉଛି ଏକ ଡିଜିଟାଲ୍‌ ପ୍ଲାଟଫର୍ମ ଯାହା କୃଷି କ୍ଷେତ୍ରରେ ଜ୍ଞାନକୁ ନେଇ ରହିଥିବା ଅଭାବ ଦୂର କରିବ। ଏହା ଶିଳ୍ପ ବିଶେଷଜ୍ଞ, ଶିକ୍ଷା ଜଗତ, କୃ‌ଷି ପେସାଦାର, ଚାଷୀ, ଇନ୍‌ପୁଟ୍ ଓ ସେବା ପ୍ରଦାନକାରୀ ଏବଂ ଗ୍ରାହକଙ୍କ ଭଳି ସବୁ ପ୍ରକାର ଅଂଶୀଦାରଙ୍କୁ ଯୋଡ଼ିପାରିଛି।

ସମ୍ବନ୍ଧିତ ଖବର