କରୋନା ପ୍ରଭାବ: ସୁଧୁରୁନି ସେନ୍‌ସେକ୍‌ସ, ପୁଣି ଖସିଲା ୨୭୧୩ ପଏଣ୍ଟ୍‌

ନିବେଶକ ହରାଇଲେ ୮ ଲକ୍ଷ କୋଟି, ମାସକରେ ସେନ୍‌ସେକ୍ସରେ ୧୦,୮୦୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: କରୋନା ଭୟରୁ ଷ୍ଟକ ବଜାର ବାହାରି ପାରୁନାହିଁ। ଚଳିତ ମାସ ପ୍ରାରମ୍ଭରୁ ଅସ୍ଥିର ହୋଇପଡ଼ିଥିବା ଷ୍ଟକ ବଜାର କାରବାରରେ କୌଣସି ସୁଧାର ହେଉନାହିଁ। ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ପ୍ରତିଦିନ ତଳକୁ ତଳ ଖସୁଛି। ଏହି ସ୍ଥିତିରେ କେବେ ସୁଧାର‌ ହେବ ତାହା କେହି ଆକଳନ କରିପାରୁନାହାନ୍ତି। ସାରା ବିଶ୍ବର ଷ୍ଟକ ବଜାରରେ ସେୟାର ବିକ୍ରି ଜାରି ରହିଥିବା ବେଳେ ଆଜି ଭାରତରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ନିବେଶକମାନେ ଆଜି ବିପୁଳ ପରିମାଣର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ୨୭୧୩ ପଏଣ୍ଟ୍‌ ତଳକୁ ହ୍ରାସ ପାଇ ୩୧,୩୯୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ନିବେଶକମାନଙ୍କୁ ୮ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍ଟି ୭୫୬ ପଏଣ୍ଟ୍‌ ହ୍ରାସ ପାଇ ୯୧୯୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସ ୩୦ ମାସର ସର୍ବନିମ୍ନ ସ୍ତରକୁ ଖସିଥିବା ବେଳେ ନିଫ୍‌ଟି ୩ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି।

ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ଆର୍ଥିକ ସଂସ୍ଥା ଓ ଧାତବ କଂପାନିଗୁଡ଼ିକର ସେୟାରକୁ ଅଧିକ ବିକ୍ରି କରିଥିଲେ। ଫଳରେ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଇନ୍‌ଫୋସିସ୍, ଟାଟା ଷ୍ଟିଲ୍‌, ଏଚ୍‌ଡିଏଫ୍‌ସି, ଆକ୍ସିସ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାରରେ ବଡ଼ ଧରଣର ହ୍ରାସ ଘଟିଥିଲା। କରୋନାକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା କରିବା ଲାଗି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ହାରକୁ ପ୍ରାୟ ଶୂନ ପର୍ଯ୍ୟନ୍ତ ହ୍ରାସ କରିଛି। ଦୁଇ ସପ୍ତାହ ଭିତରେ ଏହା ଦ୍ବିତୀୟ ଥର ଲାଗି ସୁଧ କମ୍ କରିଛି। ସମ୍ପତ୍ତି କିଣିବା ଲାଗି ଏହା ବଡ଼ ଧରଣର ଯୋଜନା ମଧ୍ୟ ଘୋଷଣା କରିଛି। ଶେଷ ଥର ଲାଗି ୨୦୦୮‌ ବିଶ୍ବ ମାନ୍ଦାବସ୍ଥା ସମୟରେ ଫେଡେରାଲ୍ ରିଜର୍ଭ ଏଭଳି ପଦକ୍ଷେପ ନେଇଥିଲା। ତେବେ ଏହି ସବୁ ପଦକ୍ଷେପ ନିବେଶକମାନଙ୍କ ମନୋବଳକୁ ଦୃଢ଼ କରିପାରିନାହିଁ। ବିଶ୍ବର ସମସ୍ତ ଷ୍ଟକ ବଜାର ଅସ୍ଥିର ରହିଛି। ଗତ ଜାନୁଆରି ୨୦ରେ ସେନ୍‌ସେକ୍ସ ୪୨,୨୭୩ ପଏଣ୍ଟ୍‌ ଭଳି ଉଚ୍ଚ ସ୍ତରରେ ଥିଲା। ଆଜି ତାହା ୩୧,୩୯୦ ପଏଣ୍ଟ୍‌କୁ ଖସି ଆସିଛି। ଇତି ମଧ୍ୟରେ ସେନ୍‌ସେକ୍ସରେ ପ୍ରାୟ ୧୦,୮୦୦ ପଏଣ୍ଟ୍‌ର ହ୍ରାସ ହୋଇସାରିଲାଣି। ୨୦୨୦ ଫେବ୍ରୁଆରି ପରଠାରୁ ନିବେଶକମାନେ ଷ୍ଟକ ବଜାରରେ ପ୍ରାୟ ୫୦ ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇସାରିଲେଣି। ସର୍ବାଧିକ ଟଙ୍କା ମାର୍ଚ୍ଚ ମାସରେ ହରାଇଛନ୍ତି।

ସମ୍ବନ୍ଧିତ ଖବର