ରିଜର୍ଭ ବ୍ୟାଙ୍କର କରୋନା ପ୍ରଭାବ ମୁକାବିଲା, ଦିନରାତି କାମ କରୁଛନ୍ତି ୧୫୦ ଅଧିକାରୀ

ନୂଆଦିଲ୍ଲୀ: ଦେଶରେ ଏବେ ‌ କରୋନା ଆତଙ୍କ ଦେଖାଦେଇଛି। ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଅର୍ଥନୀତିର ‌ ଏମିତି କୌଣସି କ୍ଷେତ୍ର ନାହିଁ ଯାହା କରୋନା ଯୋଗୁଁ ପ୍ରଭାବିତ ହୋଇନାହିଁ। ତେବେ‌ ଅର୍ଥନୀତି ଉପରେ କରୋନାର ପ୍ରଭାବକୁ କମ୍ କରିବା ଏବଂ ଅର୍ଥ ବ୍ୟବସ୍ଥାକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି। ଏକ ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ଏକ ସିକ୍ରେଟ୍‌ ଟିମ୍‌ କୌଣସି ଅଜଣା ସ୍ଥାନରୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। କରୋନା ପାଇଁ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ମଧ୍ୟ ଡିଜିଟାଲ କାରବାରକୁ ସ୍ବାଭାବିକ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ପ୍ରଚେଷ୍ଟା ଜାରି ରଖିଛି। ବ୍ୟାଙ୍କର ଡେବ୍‌ଟ, ରିଜର୍ଭ ମ୍ୟାନେଜମେଣ୍ଟ ସହିତ ଅନ୍ୟାନ୍ୟ ବିଭାଗର ପ୍ରାୟ ୧୫୦ ଜଣ ଅଧିକାରୀକୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ ଦିନରାତି ୨୪ ଘଣ୍ଟା କାମ କରୁଛି। ଡିଜିଟାଲ ବ୍ୟାଙ୍କିଂ ଏବଂ ଚେକ୍ କ୍ଲିୟରିଂ ଭଳି ସେବା ଯେଭଳି କୌଣସି ପ୍ରକାରେ ପ୍ରଭାବିତ ନୁହୁଏ ତାହା ଉପରେ ରିଜର୍ଭ ବ୍ୟାଙ୍କ ସର୍ବାଧିକ ଗୁରୁତ୍ବ ଦେଉଛି। ଗତ ୧୯ ତାରିଖରୁ ଏହି ଟିମ୍ ଗଠନ କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ଛାଡ଼ିଲେ ପ୍ରାୟ ଅନ୍ୟ ସବୁ କର୍ମଚାରୀ ଘରୁ କାମ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ୧୫୦ ଜଣିଆ ଟିମ୍‌କୁ ଦୁଇ ଭାଗ କରାଯାଇଛି। ଗୋଟିଏ ଟିମ୍‌ ‌ ଚେକ୍ କ୍ଲିୟରିଂ ଦାୟିତ୍ବ ସମ୍ଭାଳୁଥିବାବେଳେ ଅନ୍ୟ ଟିମ୍‌କୁ ସବୁବେଳେ ସଜାଗ ରଖାଯାଇଛି। ଏହି ଅଧିକାରୀମାନଙ୍କୁ ହୋଟେଲରେ ରଖିବା ବ୍ୟବସ୍ଥା କରାଯାଇଛି। ମୂଳ ଡାଟା ସେଣ୍ଟର ନିକଟରେ ‌ସେମାନଙ୍କୁ ହୋଟେଲରେ ରଖାଯାଇଛି। ଏପରିକି ଏହି ଅଧିକାରୀମାନଙ୍କ ସହିତ ସେହି ହୋଟେଲର ସପୋର୍ଟ ଷ୍ଟାଫ୍ ମାନଙ୍କୁ ମଧ୍ୟ ପୃଥକାବାସରେ ରଖାଯାଇଛି।

କୋଭିଡ-୧୯ର ପ୍ରଭାବକୁ କମ୍ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ପୂର୍ବରୁ ସୂଚନା ଦେଇଥିଲା। ଗତ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଓପନ ମାର୍କେଟ ଅପରେସନ ମାଧ୍ୟମରେ ଅତିରିକ୍ତ ୩୦ ହଜାର କୋଟି ଟଙ୍କାର ବଣ୍ଡ୍ କିଣିବାକୁ ନି‌ଷ୍ପତ୍ତି ନେଇଛି। ଦୁଇଟି ପର୍ଯ୍ୟାୟରେ ଏହି ଅପରେସନ ‌ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏହାର ୩ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ୧୦ ହଜାର କୋଟି ଟଙ୍କା ଓପନ ମାର୍କେଟ ଅପରେସନ ମାଧ୍ୟମରେ ସଂଗ୍ରହ କରିଥିଲା। ଏହି ପଦକ୍ଷେପ ଦ୍ବାରା ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ସ୍ଥିରତା ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆଶା ରଖିଛି। କରୋନା ମୁକାବିଲା ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ କରୁଥିବାବେଳେ ରିଜର୍ଭ ବ୍ୟାଙ୍କ ଭିନ୍ନ ପନ୍ଥା ଆପଣାଇ ଆସୁଛି।

ସମ୍ବନ୍ଧିତ ଖବର