କରୋନା ଲାଗି ଭାରତ ପ୍ରଭାବିତ ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚୀନ୍‌ରେ ଦେଖାଦେଇଥିବା କରୋନା ଭୂତାଣୁ ଆତଙ୍କ ଭାରତକୁ ବିଶେଷ ପ୍ରଭାବିତ କରିବ ନାହିଁ। କିନ୍ତୁ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କରୋନା ଲାଗି ଭାରତର ଔଷଧ ଓ ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ର ପ୍ରଭାବିତ ହେବ। କାରଣ ଏହି କ୍ଷେତ୍ରରେ ଚୀନ୍‌ରୁ ଆସୁଥିବା ସାମଗ୍ରୀଗୁଡ଼ିକୁ କଞ୍ଚାମାଲ ଭାବେ ବ୍ୟବହାର କରାଯାଏ। ଔଷଧ କଂପାନିଗୁଡ଼ିକ ସାଧାରଣତଃ ତିନି ଚାରି ମାସର କଞ୍ଚାମାଲ ମଗାଇ ରଖିଥାନ୍ତି। ତେଣୁ ଏହି କଂପାନିଗୁଡ଼ିକ କରୋନା ଭୂତାଣୁର ପ୍ରଭାବ ଯୋଗୁଁ ବିଶେ‌ଷ ପ୍ରଭାବିତ ହୋଇନପାରନ୍ତି। ଚୀନ୍‌ର ଯେଉଁ ଅଞ୍ଚଳଗୁଡ଼ିକରେ କରୋନା ପ୍ରଭାବ ନାହିଁ ସେଠାରୁ ମଧ୍ୟ କଞ୍ଚାମାଲ ମଗାଇବାର ସୁଯୋଗ ରହିଥିବା ଶକ୍ତିକାନ୍ତ କହିଛନ୍ତି। ତେବେ କରୋନାକୁ ଅଣଦେଖା କରିହେବ ନାହିଁ ବୋଲି ସେ କହିଛନ୍ତି। ସାରା ବିଶ୍ବର ପ୍ରତିଟି ନୀତି ନିର୍ଧାରକଙ୍କୁ ଏହା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ପଡ଼ିବ। ସାର୍‌ସ ଠାରୁ କରୋନା ଅଧିକ ଭୟଙ୍କର ହୋଇଛି। ଏବେ ବିଶ୍ବ ଅର୍ଥନୀତି ପ୍ରତି ଚୀନ୍‌ର ଅବଦାନ ବହୁତ ବଢ଼ିଯାଇଥିବାରୁ ସେଠାରେ ଦେଖାଦେଇଥିବା ସମସ୍ୟାର ପ୍ରଭାବ ନିଶ୍ଚିତ ରୂପେ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି ଶକ୍ତିକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର