ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ନିର୍ଦେଶ:୪୫ ଦିନ ଭିତରେ ବଡ଼ ଋଣ ଗ୍ରାହକଙ୍କ ପାସ୍‌ପୋର୍ଟ ତଥ୍ୟ ଦିଅ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ପରେ ଅର୍ଥ ମନ୍ତ୍ରାଳୟ ସତର୍କତା ପ୍ରକାଶ କରିବା ଆରମ୍ଭ କରିଦେଇଛି। ମୋଟ ଅଙ୍କର ଋଣ ନେଇଥିବା ବ୍ୟକ୍ତିଙ୍କର ପାସପୋର୍ଟର ବିସ୍ତତ ତଥ୍ୟ ରଖିବା ଲାଗି ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କ ଗୁଡ଼ିକୁ ନିର୍ଦେଶ ଦେଇଛି। ଋଣ କରିଥିବା ବ୍ୟକ୍ତିମାନେ ଯେଭଳି ଦେଶଛାଡ଼ି ଚାଲିଯିବାରେ ସକ୍ଷମ ନହୁଅନ୍ତି ସେଥିପାଇଁ ଏହି ନିର୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ୫୦ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବା ସମସ୍ତ ବ୍ୟକ୍ତିମାନଙ୍କ ପାସପୋର୍ଟର ବିସ୍ତତ ତଥ୍ୟ ୪୫ ଦିନ ମଧ୍ୟରେ ସଂଗ୍ରହ କରିବାକୁ କୁହାଯାଇଛି। ମୋଟା ଅଙ୍କର ଋଣ ନେଇଥିବା ବ୍ୟକ୍ତିଙ୍କର ଯଦି ପାସପୋର୍ଟ ନଥାଏ ତାହେଲେ ସେମାନଙ୍କଠାରୁ ପାସପୋର୍ଟ ନଥିବାର ଘୋଷଣାନାମା ସଂଗ୍ରହ କରିବାକୁ କୁହାଯାଇଛି। ଏତଦ୍‌ବ୍ୟତୀତ ଋଣ ଆବେଦନ ଫର୍ମରେ ଯେଭଳି ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ରହିବ ସେ ନେଇ ଉକ୍ତ ଫର୍ମରେ ଆବଶ୍ୟକ ପରିବର୍ତନ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ବ୍ୟାଙ୍କ ଗୁଡ଼ିକ ନିକଟରେ ରହିଥିଲେ ସେମାନେ ଉପଯୁକ୍ତ ଏଜେନ୍ସିଙ୍କୁ ସେସବୁ ବ୍ୟକ୍ତିମାନଙ୍କ ସଂପର୍କରେ ତଥ୍ୟ ଦେଇପାରିବେ। ଫଳରେ ସେହି ବ୍ୟକ୍ତିମାନେ ଆଉ ଦେଶଛାଡ଼ି ବାହାରକୁ ଯାଇପାରିବେ ନାହିଁ। ବ୍ୟାଙ୍କ ନିକଟରେ ଋଣ ନେଇଥିବା ବ୍ୟକ୍ତିଙ୍କର ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ରହୁ ନଥିବାରୁ ସେମାନେ ଦେଶ ଛାଡ଼ି ଚାଲିଯିବା ସହଜ ହେଉଛି। ନିରବ ମୋଦିଙ୍କଠାରୁ ଆରମ୍ଭ କରି ମେହୁଲ ଚୋକ୍‌ସି, ବିଜୟ ମାଲ୍ୟାଙ୍କ ଭଳି ଋଣ ଖିଲାପୀ ଏବେ ଦେଶଛାଡ଼ି ବାହାରେ ରହୁଛନ୍ତି।

ସମ୍ବନ୍ଧିତ ଖବର