ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସାଇରସ୍‌ଙ୍କ ଚ୍ୟାଲେଞ୍ଜ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟାଟା-ସାଇରସ୍‌ ମିସ୍ତ୍ରୀ ମାମଲାରେ କିଛି ଦିନ ତଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଥିଲେ ତାହାକୁ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ସାଇରସ୍‌ ମିସ୍ତ୍ରୀ ଆଜି ଚ୍ୟାଲେଞ୍ଜ୍‌ କରି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଗତ ମାର୍ଚ୍ଚ ୨୬ରେ ଏହି ମାମଲାରେ ସୁପ୍ରିମକୋର୍ଟ ସାଇରସଙ୍କ ସମସ୍ତ ଆବେଦନକୁ ଖାରଜ କରିବା ସହ ଟାଟା ସପକ୍ଷରେ ରାୟ ଦେଇଥିଲେ। ୨୦୧୬ରେ ଟାଟାର ବୋର୍ଡ ବୈଠକରେ ହଠାତ୍‌ ସାଇରସଙ୍କୁ ଅଧ୍ୟକ୍ଷ ପଦରୁ ବିଦା କରାଯିବା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏଭଳି ଭାବେ ଲଜ୍ଜିତ କରି ବିଦା କରିବା ବିଷୟକୁ ସାଇରସ୍‌ ସହଜରେ ଗ୍ରହଣ କରିପାରିନଥିଲେ।

ଟାଟାର ଉକ୍ତ ନିଷ୍ପତ୍ତି ବିରୋଧରେ ସେ ଆଇନର ଦ୍ବାରସ୍ଥ ହୋଇଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ଆଇନ ଲଢ଼େଇ ଲଢ଼ିବା ପରେ ନ୍ୟାସନାଲ୍ କଂପାନି ଲ’ ଆ‌ପିଲିଟି ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି)ରେ ତାଙ୍କୁ ଆଶ୍ବସ୍ତି ମିଳିଥିଲା। ସାଇରସ୍‌ଙ୍କୁ ଟାଟାର ଅଧ୍ୟକ୍ଷ ପଦରେ ପୁନଃ ଅବସ୍ଥାପିତ କରିବା ଲାଗି ଏନ୍‌ସିଏଲ୍‌ଏଟି ରାୟ ଶୁଣାଇଥିଲେ। ସେହି ରାୟକୁ ଟାଟା ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ସେହି ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ ଯେଉଁ ସବୁ ଆଇନଗତ ପ୍ରଶ୍ନ ରହିଥିଲା ତାହାର ଉତ୍ତର ଦେଇ କୋର୍ଟ ଟାଟା ସପକ୍ଷରେ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଏ ଓ ବିଚାରପତି ଏ ଏସ ବୋପନ୍ନା ଓ ଭି ସୁବ୍ରମଣିଅନଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଇରସଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସାଇରସଙ୍କୁ ୨୦୧୨ ଡିସେମ୍ବରରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସେ ୨୦୧୬ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସେହି ପଦରେ କାର୍ଯ୍ୟ କରିଥିଲେ। ତାଙ୍କୁ ବିବାଦୀୟ ପରିସ୍ଥିତିରେ ବିଦା କରାଯାଇଥିଲା।

ଟାଟା ସନ୍ସର ବିଭିନ୍ନ କଂପାନିର ନିର୍ଦେଶକ ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ସେହି ସମୟରେ ଟିସିଏସ୍‌ର ମଙ୍ଗ ସମ୍ଭାଳିଥିବା ଏନ୍ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ ଟାଟା ସନ୍ସରେ ଅଂଶଧନ ରଖିଥିବା ସାଇରସଙ୍କ ପରିବାରର ଦୁଇଟି କଂପାନି ନ୍ୟାସନାଲ୍‌ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଥିଲେ। ସଂଖ୍ୟାଲଘୁ ନିବେଶକଙ୍କୁ ଟାଟାରେ ଦବାଇ ରଖିବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର