‘ଆଇଆର୍‌ଡିଏଆଇ’ର ନୂଆ ଅଧ୍ୟକ୍ଷ ଦେବାଶିଷ ପଣ୍ଡା

ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥି ସହିତ ଆର୍ଥିକ ଜଗତର ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଥିବା ଓଡ଼ିଆଙ୍କ ତାଲିକା ବୃଦ୍ଧି ପାଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଓଡ଼ିଶାର ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ମାଇଲେକ୍ ଦେବବ୍ରତ ପାତ୍ର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୭ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ଶ୍ରୀ ପଣ୍ଡା ଚଳିତ ବର୍ଷ ଜାନୁଆରିରେ ଆର୍ଥିକ ସେବା ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ଏହି ପଦରେ ସେ ଦୁଇ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଆଇଆର୍‌ଡିଏଆଇ ହେଉଛି ବୀମା ଶିଳ୍ପର ନିୟାମକ ସଂସ୍ଥା। ପଲିସିଧାରକମାନଙ୍କ ସ୍ବାର୍ଥ ରକ୍ଷା ସମେତ ବୀମା କଂପାନିଗୁଡ଼ିକ ସ୍ବଚ୍ଛତା ଓ ନିୟମ ପାଳନ ଉପରେ ଆଇଆରଡିଏଆଇ ନଜର ରଖିଥାଏ।

କେନ୍ଦ୍ର ସରକାରଙ୍କ ପାଇଁ ଅର୍ଥ ସେବା ସଚିବ ଭାବେ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ପଣ୍ଡା ଅତିରିକ୍ତ ସଚିବ ଦାୟିତ୍ବରେ ଥିବା ବେଳେ ବୀମା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବିଭାଗର ଦେଖାଶୁଣା କରୁଥିଲେ। ଆଇଆରଡିଏଆଇରେ ସେ ସରକାରଙ୍କ ମନୋନୀତ ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବହୁ ସରକାରୀ ବ୍ୟାଙ୍କ ଓ ବୀମା କଂପାନିର ବୋର୍ଡରେ ସେ କାର୍ଯ୍ୟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ବୋର୍ଡରେ ମଧ୍ୟ ସେ ଥିଲେ। ଉତ୍ତରପ୍ରଦେଶରେ ସେ ପ୍ରମୁଖ ସଚିବ, ଗୃହ, କୃଷି ଓ ସମନ୍ବୟ ବିଭାଗ, ରେସିଡେଣ୍ଟ୍‌ କମିସନର ଓ ଗ୍ରେଟର ନୋଏଡା କର୍ତ୍ତୃପକ୍ଷର ସିଇଓ ଭାବେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଏମ୍‌ସ-ନୂଆଦିଲ୍ଲୀର ଡେପୁଟି ଡାଇରେକ୍ଟର (ପ୍ରଶାସନ) ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ଶ୍ରୀ ପଣ୍ଡାଙ୍କ ପୂର୍ବରୁ ସୁଭାଷ ଶେଖର ଖୁଣ୍ଟିଆ ଆଇଆର୍‌ଡିଏଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ ମେ’ରେ ସେ ଅବସର ଗ୍ରହଣ କରିବା ପରଠାରୁ ଏହି ପଦ ୯ ମାସ ଧରି ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଶ୍ରୀ ପଣ୍ଡା କାର୍ଯ୍ୟ କରିବେ। ତିନି ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ୨୦୨୧ ଏପ୍ରିଲ୍‌ରେ ଖାଲି ପଦ ପୂରଣ କରିବା ଲାଗି ଆବେଦନ ଆହ୍ବାନ କରାଯାଇଥିଲା। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ପଦ ଦୌଡ଼ରେ ମଧ୍ୟ ଦେବାଶିଷଙ୍କ ନାମ ଥିଲା କିନ୍ତୁ ସେହି ପଦ ମାଧବୀ ପୁରୀ ବୁଚ୍‌ଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର