ଆଇସିଆର୍‌ଆଇଇଆର୍‌ ନିର୍ଦ୍ଦେଶକ ପଦରେ ଓଡ଼ିଆ ଅର୍ଥନୀତିଜ୍ଞ ଦୀପକ ମିଶ୍ର

ନୂଆଦିଲ୍ଲୀ: ବିଶ୍ବବ୍ୟାଙ୍କରେ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଦୀପକ ମିଶ୍ର ନୂଆଦିଲ୍ଲୀସ୍ଥିତ ଗବେଷଣା ସଂସ୍ଥା ଆଇସିଆର୍‌ଆଇଇଆର୍‌ (ଇଣ୍ଡିଆନ୍ କାଉନସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ୍ ରିଲେସନ୍ସ)ର ନୂଆ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ମିଶ୍ର ଏବେ ବିଶ୍ବ ବ୍ୟାଙ୍କର ସ୍ଥୂଳ ଅର୍ଥନୀତି, ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଅଭ୍ୟାସ ବିଭାଗର ପ୍ରାକ୍ଟିସ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ଆଇସିଆରଆଇଇଆର୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥଇବା ଡ. ରଜତ କାଥୁରିଆଙ୍କ ଠାରୁ ସେ ନୂଆ ଦାୟିତ୍ବ ଗ୍ରହଣ କରିବେ। ପୂର୍ବରୁ ଶ୍ରୀ ମିଶ୍ର ବିଶ୍ବବ୍ୟାଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ବିଶ୍ବ ବ୍ୟାଙ୍କ ରିପୋର୍ଟ ୨୦୧୬(ଡିଜିଟାଲ ଡିଭିଡେଣ୍ଡ୍ସ)ର ସହ ନିର୍ଦ୍ଦେଶକ ସହିତ ଇଥିଓପିଆ, ପାକିସ୍ତାନ, ସୁଦାନ ଓ ଭିଏତନାମର କଣ୍ଟ୍ରି ଇକୋନୋମିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି। ଦୀପକ ୨୦୦୧ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଭାରତ ପାଇଁ ବିଶ୍ବବ୍ୟାଙ୍କର କଣ୍ଟ୍ରି ଇକୋନୋମିଷ୍ଟ ମଧ୍ୟ ରହିଥିଲେ। ସେହି ସମୟରେ ସେ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିଥିଲେ। ବିଶ୍ବବ୍ୟାଙ୍କରେ ଯୋଗଦେବା ପୂର୍ବରୁ ସେ ଟାଟା ମୋଟର୍ସ, ଫେଡେରାଲ ରିଜର୍ଭ ବୋର୍ଡ ଏବଂ ମେରିଲାଣ୍ଡ ବିଶ୍ବବିଦ୍ୟାଳୟରେ କାମ କରିଛନ୍ତି।

ଓଡ଼ିଶାରେ ଜନ୍ମଲାଭ କରିଥିବା ଶ୍ରୀ ମିଶ୍ର ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅର୍ଥନୀତିରେ ଏମଏ, ମେରିଲାଣ୍ଡ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚ୍‌ଡି କରିଛନ୍ତି। ତାଙ୍କ ଗବେଷଣା ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଆଇସିଆର୍‌ଆଇଇଆର୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଡ ରାକେଶ ମୋହନ, ଡ ପାର୍ଥସାରଥୀ ସୋମ, ଡ ଅରବିନ୍ଦ ଭିରମାନି, ଡ ରାଜୀବ କୁମାର, ଡ ଆଇ ଜେ ଆହଲୁୱାଲିଆଙ୍କ ଭଳି ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର