ସାର ଦାମ୍ ନ ବଢ଼ାଇବାକୁ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଅଣ ୟୁରିଆ ସାରର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ନ ବଢ଼ାଇବା ପାଇଁ ସରକାର ଆଜି କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୁଣା ଦରରେ ବିକ୍ରି କରିବା ଲାଗି ସେମାନଙ୍କୁ କୁହାଯାଇଛି। ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଅଣ ୟୁରିଆ ସାର ମଧ୍ୟରେ ଡିଏପି, ଏମଓପି ଏବଂ ଏନପିକେ ସାର ରହିଛି। ଏସବୁ ସାରର ମୂଲ୍ୟକୁ ନିୟନ୍ତ୍ରଣମୁକ୍ତ କରାଯାଇଛି। ସାର କମ୍ପାନି ଗୁଡ଼ିକ ଏହାର ଦର ଧାର୍ଯ୍ୟ କରିଥାନ୍ତି। ପରେ ପ୍ରତିବର୍ଷ ସରକାର କମ୍ପାନି ଗୁଡ଼ିକୁ ସବ୍‌ସିଡି ପ୍ରଦାନ କରିଥାନ୍ତି। କୋଭିଡ ପାଇଁ କୃଷକମାନଙ୍କ ଆର୍ଥିକ ସ୍ଥିତି ଖରାପ ରହିଛି। ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସାର ଦର ବଢ଼ିଲେ କୃଷକମାନଙ୍କ ଉପରେ ଏହାର ବୋଝ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ସରକାର ସାର କମ୍ପାନି ଗୁଡ଼ିକୁ ଏଭଳି ନିର୍ଦ୍ଦେଶ‌ ଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର