ଇଡି ଖୋଜୁଛି ରାଣାଙ୍କ କଳା ସାମ୍ରାଜ୍ୟ, ପ୍ରିୟଙ୍କାଙ୍କ ପେଣ୍ଟିଂକୁ ୨ କୋଟିରେ କିଣିଥିଲେ

ପରିବାର ଖୋଲିଥିଲେ ୨୦ରୁ ଅଧିକ ଜାଲ୍ କମ୍ପାନି, ଏନ୍‌ପିଏ ଲୁଚାଇବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଜରରେ ଏବେ ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ‌ରାଣା କପୁରଙ୍କ କଳା ସାମ୍ରାଜ୍ୟ। ଜାଲ୍ କମ୍ପାନି ସ୍ଥାପନଠାରୁ ଆରମ୍ଭ କରି ଏସବୁ କମ୍ପାନି ମାଧ୍ୟମରେ ରାଣା କରିଥିବା ଆର୍ଥିକ କାରବାର ସମେତ ୪୪ଟି ଦାମୀ ପେଣ୍ଟିଂ କ୍ରୟ ଏବଂ ୨୦୦୦ କୋଟି ଟଙ୍କାର ନିବେଶ ରାଶି ଉପରେ ‌ଇଡି ଏହାର ତଦନ୍ତଙ୍କୁ କେନ୍ଦ୍ରୀଭୂତ କରିଛି। ଏଥିସହିତ ରାଣା ପରିବାରର କେତେକ ସମ୍ପତ୍ତି ଲଣ୍ଡନରେ ରହିଥିବା ଇଡି ଜାଣିବାକୁ ପାଇଛି। ଏ ସମ୍ପର୍କିତ କାଗଜପତ୍ର ଇଡି ହାତରେ ଲାଗିଛି। ଉକ୍ତ ସମ୍ପତ୍ତି କ୍ରୟରେ ରାଣା ପରିବାର କରିଥିବା ନିବେଶର ଉତ୍ସକୁ ଇଡି ‌ଖୋଜୁଛି। ରାଣା କିଣିଥିବା ‌ଦାମୀ ପେଣ୍ଟିଂ ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଏକ ପେଣ୍ଟିଂ ରହିଛି। ଉକ୍ତ ପେଣ୍ଟିଂକୁ ରାଣା ୨ କୋଟି ଟଙ୍କାରେ କିଣିଥିବା ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାରତରେ ପ୍ରତ୍ୟେକ ଆର୍ଥିକ ଅପରାଧ ଗାନ୍ଧୀ ପରିବାର ସହ ଜଡ଼ିତ ବୋଲି ବିଜେପି କହିଛି। ପୂର୍ବରୁ ଶୁକ୍ରବାର ରାଣା କପୁରଙ୍କ ସହିତ ପି ଚିଦମ୍ବରମ୍‌ଙ୍କ ଫଟୋକୁ ଦେଖାଇ ବିଜେପି କଂଗ୍ରେସକୁ ଟାର୍ଗେଟ୍‌ କରିଥିଲା। ୟୁପିଏ ସରକାରଙ୍କ ଅମଳରେ ପ୍ରିୟଙ୍କାଙ୍କ ପେଣ୍ଟିଂକୁ ରାଣା କିଣିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାର ତଦନ୍ତ ଆୟକର ବିଭାଗ ମଧ୍ୟ ଆରମ୍ଭ କରିଦେଇଛି। ପ୍ରିୟଙ୍କାଙ୍କ ପେଣ୍ଟିଂକୁ ରାଣା କିଣିଥିବା ବିଷୟକୁ କଂଗ୍ରେସ ସ୍ବୀକାର କରିଥିଲେ ମଧ୍ୟ ଦଳ ସହିତ ରାଣାଙ୍କର ସମ୍ପର୍କକୁ ଅସ୍ବୀକାର କରିଛି। କଂଗ୍ରେସ ନେତା ରାଶିଦ ଅଲଭି ପ୍ରିୟଙ୍କାଙ୍କ ପେଣ୍ଟିଂକୁ ରାଣା କପୁର କିଣିବା ପ୍ରସଙ୍ଗରେ ଅସୁବିଧା କେଉଁଠି ରହିଲା ବୋଲି ପଚାରିଛନ୍ତି। ପ୍ରିୟଙ୍କା ଗାନ୍ଧି ଯଦି କୌଣସି ଜିନିଷ ବିକିବାକୁ ଚାହୁଛନ୍ତି ତାହାର କ୍ରେତା ଯେ କେହି ବି ହୋଇପାରନ୍ତି। ଯିଏ ପେଣ୍ଟିଂକୁ ଅଧିକ ଦାମ୍ ଦେଇଥିବ ସେ ‌ହିଁ ତାହାକୁ ନେଇଥିବ ବୋଲି ଅଲଭି କହିଛନ୍ତି। ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁର ଏବଂ ତାଙ୍କ ପରିବାର ୨୦ରୁ ଅଧିକ ଜାଲ୍ କମ୍ପାନି ଖୋ‌ଲିଥିଲେ। କିକ୍‌ବ୍ୟାକ୍ ଗ୍ରହଣ କରିବା ସହିତ ବେଆଇନ ସମ୍ପତ୍ତିରେ ନିବେଶ କରିବା ପାଇଁ ଏସବୁ ଜାଲ୍ କମ୍ପାନିକୁ ବ୍ୟବହାର କରାଯାଇଥିଲା ଇଡି ଜାଣିବାକୁ ପାଇଛି। ରାଣା ଯେଉଁସବୁ ଜାଲ୍ କମ୍ପାନି ଖୋଲିଥିଲେ ସେଗୁଡ଼ିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତାଙ୍କ ଦ୍ବାରା, ତାଙ୍କ ପତ୍ନୀ ଏବଂ ତିନି ଝିଅଙ୍କ ଦ୍ବାରା ପରିଚାଳିତ ହେଉଥିଲା। ୟେସ୍‌ ବ୍ୟାଙ୍କରୁ ଋଣ ନେଇଥିବା କମ୍ପାନି ଗୁଡ଼ିକ ଠାରୁ ଏସବୁ ଜାଲ୍‌ କମ୍ପାନି କିକ୍‌ବ୍ୟାକ୍ ଗ୍ରହଣ କରୁଥିଲେ।

ଏନ୍‌ପିଏ ଲୁଚାଇବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପରିଶୋଧ‌ ହେଉନଥିବା ଋଣର ସଠିକ୍ ତଥ୍ୟ ନଦେବା ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୟେସ୍‌ ବ୍ୟାଙ୍କ କାରବାର ଆରମ୍ଭ କରିବାର କିଛି ଦିନ ଭିତରେ କର୍ପୋରେଟ୍ ଜଗତର ପସନ୍ଦର ବ୍ୟାଙ୍କ ଉଭା ହୋଇଥିଲା। ଯେଉଁ କଂପାନି ଋଣ ଚାହୁଥିଲେ ୟେସ୍‌ ବ୍ୟାଙ୍କ ତାଙ୍କୁ କେବେ ନିରାଶ କରୁନଥିଲା। ରାଣାଙ୍କ ନେତୃତ୍ବରେ ଖୁବ୍‌କମ୍ ଦିନ ଭିତରେ ୟେସ୍ ବ୍ୟାଙ୍କ ସଫଳତାର ଶୀର୍ଷରେ ପହଞ୍ଚିଥିଲା। କିନ୍ତୁ, କଂପାନିଗୁଡ଼ିକର ବିପଦ ସହିତାର କ୍ଷମତାକୁ ଠିକ୍ ଭାବେ ଅନୁଶୀଳନ ନକରି ବ୍ୟାଙ୍କ କୋଟି କୋଟି ଟଙ୍କାର ଋଣ ଦେଇଥିବାରୁ ସେଥି ମଧ୍ୟରୁ ଅଧିକାଂଶ ଟଙ୍କା ଫେରିନଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ୟେସ୍‌ ବ୍ୟାଙ୍କ ଏନ୍‌ପିଏ ତଥ୍ୟ ଲୁଚାଇବା ଆରମ୍ଭ କରିଥିଲା। କିନ୍ତୁ ୨୦୧୫ରେ ରିଜର୍ଭ ବ୍ୟାଙ୍କ ତରଫରୁ ଆରମ୍ଭ କରାଯାଇଥିବା ବ୍ୟାଙ୍କଗୁଡ଼ିକର ‘ଆସେଟ୍‌ କ୍ବାଲିଟି ରିଭ୍ୟୁ’ରୁ ୟେସ୍‌ ବ୍ୟାଙ୍କର ଚାଲାକି ଧରାପଡ଼ିଯାଇଥିଲା। ବ୍ୟାଙ୍କର ୨୦୧୬-୧୭ ଆର୍ଥିକ ବର୍ଷର ଖାତାକୁ ଅନୁଶୀଳନ କରିବା ବେଳେ ୟେସ୍ ବ୍ୟାଙ୍କ ୬୩୫୫ କୋଟି ଟଙ୍କାର ଏନ୍‌ପିଏ ଲୁଚାଇଥିବା‌ ଧରାପଡ଼ିଥିଲା। ବ୍ୟାଙ୍କ ନିଜର ଆର୍ଥିକ ଫଳାଫଳ ଘୋଷଣା କରି ମୋଟ୍‌ ଏନ୍‌ପିଏ ୨୦୧୮ କୋଟି ଟଙ୍କା ଥିବା ଜଣାଇଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଅନୁଶୀଳନ କରିବା ପରେ ୟେସ୍ ବ୍ୟାଙ୍କର ମୋଟ୍ ଏନ୍‌ପିଏ ୮୩୭୩.୮ କୋଟି ଟଙ୍କା ଥିବା ଜଣାପଡ଼ିଥିଲା। ସେହିଦିନ ଠାରୁ ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଥିଲା। ବ୍ୟାଙ୍କରେ ରାଣା କପୁରଙ୍କ କାର୍ଯ୍ୟକାଳକୁ ରିଜର୍ଭ ବ୍ୟାଙ୍କ କମାଇ ଦେଇଥିଲା। ୨୦୧୯ ଜାନୁଆରି ୩୧ରେ ଅବସର ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲା। ବ୍ୟାଙ୍କରୁ ବିଦାୟ ନବୋ ପରେ ଗତବର୍ଷ ନଭେମ୍ବରରେ ରାଣା ନିଜର ସମସ୍ତ ସେୟାର୍‌କୁ ବିକ୍ରି କରିଦେଇଥିଲେ।

ସମ୍ବନ୍ଧିତ ଖବର