ବିଦ୍ୟୁତ ଚାହିଦା ରେକର୍ଡ ୨୦୦ ଗିଗାୱାଟ୍ ଟପିଲା

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ଚାହିଦା ୨୦୦ ଗିଗାୱାଟ୍‌ରୁ ଅଧିକ ସ୍ତରରେ ପହଞ୍ଚିଯାଇଛି। ମୌସୁମୀ ବର୍ଷା ବିଳମ୍ବିତ ହେଉଥିବାରୁ ‌ତାପମାତ୍ରାରେ ବୃଦ୍ଧି ଘଟିବା ଓ ବିଭିନ୍ନ ରାଜ୍ୟରେ କରୋନା କଟକଣା କୋହଳ ହେଉଥିବାରୁ ବିଦ୍ୟୁତ ଚାହିଦା ବଢ଼ୁଥିବା କୁହାଯାଇଛି। ବିଦ୍ୟୁତ ଚାହିଦା ବୃଦ୍ଧିରେ ଏହା ହେଉଛି ସର୍ବକାଳୀନ ରେକର୍ଡ। ଶକ୍ତି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ବୁଧବାର ବିଦ୍ୟୁତ ଶକ୍ତିର ଶୀର୍ଷ ଚାହିଦା ୨୦୦.୫୭ ଗିଗାୱାଟ୍‌ରେ ପହଞ୍ଚିଥିଲା। ମଙ୍ଗଳବାର ଦିନ ଚାହିଦା ୧୯୭.୦୭ ଗିଗାୱାଟ୍ ଥିଲା। କରୋନା ମହାମାରୀ ପ୍ରଭାବ ଯୋଗୁଁ ୨୦୧୯ ଜୁନ୍‌ରେ ଶୀର୍ଷ ବିଦ୍ୟୁତ ଚାହିଦା ୧୬୪.୯୮ ଗିଗାୱାଟ୍ ଥିଲା ଯାହା ୨୦୧୯ ଜୁନ୍‌ର ୧୮୨.୪୫ ଗିଗାୱାଟ୍ ତୁଳନରେ କମ୍। ମାତ୍ର ୨୦୨୧ ଜୁନ୍‌ରେ ସ୍ଥିତିରେ ଦ୍ରୁତ ସୁଧାର ଘଟିଥିଲା। ଚଳିତ ବର୍ଷ ଜୁନ୍‌ ୩୦ରେ ଶୀର୍ଷ ବିଦ୍ୟୁତ ଚାହିଦା ୧୯୧.୫୧ ଗିଗାୱାଟ୍‌ ରହିଥିଲା। ଆଜି ତାହା ଅତୀତର ସବୁ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ଲାଗି ବିଦ୍ୟୁତ ଚାହିଦା‌ ୨୦୦ ଗିଗାୱାଟ୍‌ରୁ ଅଧିକ ହୋଇଛି।

ସମ୍ବନ୍ଧିତ ଖବର