ମାଗଣା ଭିସା ଅବଧି ଆଉ ବର୍ଷେ ବଢ଼ାଅ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ

ଋଣ ପାଇଁ ସଂସ୍ଥାର ଆୟ ବିଚାରକୁ ନିଆଯାଉ, ୪ ବର୍ଷର ମୋରାଟୋରିଅମ୍ ସୁବିଧା ଦିଆଯାଉ

ଭୁବନେଶ୍ବର: ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ ଶିଳ୍ପ ଲାଗି ଯେଉଁ ପ୍ୟାକେଜ୍ ଘୋଷଣା କରିଥିଲେ ତାହାକୁ ଓଡ଼ିଶା ହୋଟେଲ୍‌ ଓ ରୋସ୍ତୋରାଁ ସଂଘ (ହାରୋ) ପକ୍ଷରୁ ସ୍ବାଗତ କରାଯାଇଛି। ତେବେ ପ୍ୟାକେଜ୍‌ରେ କେତେକ ପରିବର୍ତ୍ତନ ଆଣିବା ଲାଗି ସଂଘ ପ୍ରସ୍ତାବ ଦେଇଛି। ଏନେଇ ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଜଣାଇଛନ୍ତି ଯେ ୫ ଲକ୍ଷ ମାଗଣା ଭିସା ଘୋଷଣା‌ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାର ଅବଧି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରଖାଯାଇଛି। ଏବେବି ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଜାରି ରହିଥିବା ବେଳେ ତୃତୀୟ ଲହର ଆସିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ସୁବିଧାର ଅବଧିକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇବାକୁ ସେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସେହିପରି ଟ୍ରାଭେଲ୍ ଏଜେଣ୍ଟ୍ ଓ ଟୁର ଅପରେଟରମାନଙ୍କ ଲାଗି ଯେଉଁ ଋଣ ସୁବିଧା ଘୋଷଣା କରାଯାଇଛି ସେଥିରେ ମଧ୍ୟ କିଛିଟା ପରିବର୍ତ୍ତନ ଆଣିବାକୁ ହାରୋ ତରଫରୁ ପ୍ରସ୍ତାବ ଦିଆଯାଇଛି। ଟ୍ରାଭେଲ୍ ଶିଳ୍ପରେ ସୁଧାର ପାଇଁ ତିନି ବର୍ଷ ସମୟ ଲାଗିଯିବ ବୋଲି ଆକଳନ କରାଯାଇଥିବା ବେଳେ ସୁଧ ମୁକ୍ତ ଋଣ ଓ ବ୍ୟବସାୟର ପୁନରୁଦ୍ଧାର ଲାଗି କିଛି ଠୋସ୍ ପଦକ୍ଷେପ ଘୋଷଣା କରାଯିବ ବୋଲି ଟ୍ରାଭେଲ୍ ଶିଳ୍ପ ଆଶା ରଖିଥିଲା। ମାତ୍ର ଟ୍ରାଭେଲ୍ ଏଜେଣ୍ଟ୍‌ ଓ ଟୁର ଅପରେଟରମାନଙ୍କ ଲାଗି ଋଣର ସୀମା ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଉଚିତ ମାନଦଣ୍ଡ ନୁହେଁ। କଂପାନିର ତିନି ବର୍ଷର ବାଲାନ୍ସ ସିଟ୍ ଅନୁସାରେ ଆୟ ବିଚାରକୁ ନେଇ ଋଣ ସୀମା ଧାର୍ଯ୍ୟ କରାଯିବା ଦରକାର ବୋଲି ହାରୋ ପକ୍ଷରୁ କୁହାଯାଇଛି। ଯେହେତୁ ନିକଟ ଭବିଷ୍ୟତ‌ରେ ଏହି ଶିଳ୍ପରେ ସୁଧାରର ଖୁବ୍‌ କମ୍ ସମ୍ଭାବନା ରହିଛି ତେଣୁ ଟୁର ଅପରେଟର ଓ ଟ୍ରାଭେଲ୍ ଏଜେଣ୍ଟ୍‌ମାନେ ଋଣ ପରିଶୋଧ କରିବାରେ ଅସୁବିଧା ସାମ୍ନା କରିବେ ବୋଲି ହାରୋ ପକ୍ଷରୁ କୁହାଯାଇଛି।

ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲ୍‌ଜିଏସ୍‌)-୧ ଓ ଇସିଏଲ୍‌ଜିଏସ୍‌-୨ରେ ମୋରାଟୋରିଅମ୍ ଅବଧି ବଢ଼ାଇବାକୁ ହୋଟେଲ୍ ଶିଳ୍ପ ଦାବି କରିଥିଲା। ଲକ୍‌ଡା‌ଉନ୍ ସମୟରେ ପର୍ଯ୍ୟଟନ ଓ କର୍ପୋରେଟ୍ ଟ୍ରାଭେଲର୍‌ଙ୍କ ବିନା ହୋଟେଲ୍‌ଗୁଡ଼ିକ ପ୍ରାୟ ବନ୍ଦ ରହିଛି। ତେଣୁ ହୋଟେଲ୍‌ ଶିଳ୍ପର ପୁନରୁଦ୍ଧାର ଲାଗି ୪ ବର୍ଷର ମୋରାଟୋରିଅମ୍ ଘୋଷଣା କରିବା ଲାଗି ହାରୋ ତରଫରୁ ଅନୁରୋଧ କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଜାପାନ, ଥାଇଲ୍ୟାଣ୍ଡ୍, ଫିଲିପାଇନ୍ସ, ସିଙ୍ଗାପୁର, ହଂକଂ, ମାଲେସିଆ, ଶ୍ରୀଲଙ୍କା, ନେପାଳ ଓ ଚୀନ୍ ସହ ଭାରତ ଯେଭଳି ପ୍ରତିଦ୍ବନ୍ଦ୍ବିତା କରିପାରିବ ସେଥିପାଇଁ ବିଶ୍ବସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ବିକଶିତ କରିବା ଉପରେ ଜୋର ଦେବା ଲାଗି ସେ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର