ବ୍ୟାଙ୍କ ଅଧିକାରୀଙ୍କୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ: ସିବିଆଇ, ସିଭିସି ଓ ସିଏଜିକୁ ଡରନାହିଁ

ନୂଆଦିଲ୍ଲୀ: ୩ଟି ‘ସି’ ଅର୍ଥାତ୍ ସିବିଆଇ, ସିଭିସି ଏବଂ ସିଏଜିକୁ ନେଇ ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ କୌଣସି ଭୟ ରହିବା ଉଚିତ ନୁହେଁ। ବିଜ୍ଞ ତଥା ଠିକ୍ ବାଣିଜ୍ୟିକ ନିଷ୍ପତ୍ତି ନେଇ ଏସବୁ ସଂସ୍ଥା ପ୍ରତି ଥିବା ଭୟକୁ ମନରୁ ପୋଛିଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି। ଠିକ୍ ବାଣିଜ୍ୟିକ ନିଷ୍ପତ୍ତି ନେଉଥିବା ବ୍ୟାଙ୍କ ଅଧିକାରୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ତଦନ୍ତକାରୀ ଅଧିକାରୀମାନେ ସେମାନଙ୍କୁ କୌଣସି ପ୍ରକାର ହଇରାଣ କରିବେ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବ୍ୟାଙ୍କ ଅଧିକାରୀମାନେ ଅଯଥାରେ ହଇରାଣ ‌ହେଉଥିବାରୁ ସେମାନେ ଠିକ୍ ନିଷ୍ପତ୍ତି ମଧ୍ୟ ନେଉନାହାନ୍ତି। ତେବେ ସିବିଆଇ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଆଜି ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ଏକ ଆଲୋଚନା ହୋଇଛି। ଭୟ ସମ୍ପର୍କରେ ବ୍ୟାଙ୍କ ଅଧିକାରୀମାନଙ୍କୁ କୁହାଯାଇଛି। ଏହାଦ୍ବାରା ଦେଶରେ ବ୍ୟାଙ୍କ ଗୁଡ଼ିକର ଋଣ ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସରକାରୀ ବ୍ୟାଙ୍କ ମୁଖ୍ୟମାନଙ୍କର ଏକ ସମୀକ୍ଷା ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ଏଭଳି ଆଶ୍ବାସନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ଅର୍ଥମନ୍ତ୍ରୀ କହିଛନ୍ତି, ସିବିଆଇ ନିଜଆଡ଼ୁ କୌଣସି ମାମଲା ବ୍ୟାଙ୍କ ବିରୋଧରେ ନେଇ ନଥାଏ। ବ୍ୟାଙ୍କ ପକ୍ଷରୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇ ଥାଏ। ତିନି କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯେକୌଣସି ପ୍ରକାର ସନ୍ଦେହଜନକ କାରବାର ପ୍ରଥମେ ବ୍ୟାଙ୍କର ଆଭ୍ୟନ୍ତରୀଣ ଅଡିଟ୍ କମିଟି ଦେଖିଥାଏ। ଏହାପରେ ସେହି ମାମଲାକୁ ବ୍ୟାଙ୍କ ନିୟାମକ ବା ରିଜର୍ଭ ବ୍ୟାଙ୍କ ନିକଟକୁ ପଠାଯାଇଥାଏ। ତାହା ପରେ ଯାଇ ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ଦିଆଯାଇଥାଏ। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାବେଳେ ତଦନ୍ତକାରୀ ସଂସ୍ଥାମାନେ ସମ୍ବେଦନଶୀଳ ରହିବେ। ବିଫଳତା ପ୍ରକୃତରେ ବ୍ୟବସାୟିକ ଜନିତ କିମ୍ବା ତ୍ରୁଟି କାରଣରୁ ହୋଇଛି ତାହାକୁ ଦେଖିବେ। ଏଥିସହିତ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ସରକାରୀ ବ୍ୟାଙ୍କ ଗୁଡ଼ିକ ସିବିଆଇର ଏକ ନିର୍ଦ୍ଦିଷ୍ଟ ଇ-ମେଲ୍ ଆଇଡିରେ ଏଫଆଇଆର୍‌ର ଇ-ଫାଇଲିଂ କରିବେ। ସେହିଭଳି ତଦନ୍ତକାରୀ ସଂସ୍ଥାର କୌଣସି ଅଧିକାରୀ ଯଦି ଅଯଥା ହଇରାଣ କରୁଥାନ୍ତି ସେ ସମ୍ପର୍କରେ ଅଭିଯୋଗ ରଖିବା ପାଇଁ ଏକ ଉତ୍ସଗୀକୃତ ଟେଲିଫୋନ ନମ୍ବର ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ଏଥିସହିତ ପୁରୁଣା ଭିଜିଲାନ୍ସ ମାମଲା ଗୁଡ଼ିକର ଅନୁଧ୍ୟାନ କରିବା ପାଇଁ ସାଧାରଣ ପରିଚାଳକ ସ୍ତରର ଅଧିକାରୀମାନଙ୍କୁ ନେଇ କମିଟି ଗଠନ କରିବାକୁ ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥମନ୍ତ୍ରୀ ଆସନ୍ତା ମାସ ଫେବ୍ରୁଆରି ୧ ତାରିଖରେ ବଜେଟ୍ ଆଗତ କରିବା ଯୋଜନା ରହିଛି। ଏହା ପୂର୍ବରୁ ଆଜି ପ୍ରଥମ ଥର ପାଇଁ ବ୍ୟାଙ୍କ ଅଧିକାରୀ ଓ ସିବିଆଇ ଅଧିକାରୀମାନଙ୍କର ବୈଠକ ଡାକିଥିଲେ। ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ ଋଣ ଦେବାକୁ ନେଇ ଭୟ ରହୁଥିବାରୁ ତାହାକୁ ଦୂର କରିବା ସହିତ ସେମାନଙ୍କ ବିଶ୍ବାସ ବଢ଼ାଇବା ପାଇଁ ଏହି ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର