ମୁହଁ ଖୋଲିଲେ ଗଡ଼କରୀ, ପେଟ୍ରୋଲ୍‌ ନେଇ ଲୋକଙ୍କ ମନରେ ବିଦ୍ରୋହ

ନୂଆଦିଲ୍ଲୀ: ଏକ ଲିଟର ପେଟ୍ରୋଲ୍ କିଣିବା ଲାଗି ଲୋକମାନଙ୍କୁ ୧୦୦ ଟଙ୍କାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଥିବା ବେଳେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଜଣେ ସଦସ୍ୟ ମୁହଁ ଖୋଲିଛନ୍ତି। ସେ ହେଉଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ। ଦେଶର ପ୍ରଥମ ବାଣିଜ୍ୟିକ ଏଲ୍‌ଏନ୍‌ଜି ପ୍ଲାଣ୍ଟ୍‌କୁ ନାଗପୁରରେ ଉଦ୍‌ଘାଟନ କରିବା ସମୟରେ ସେ ସ୍ବୀକାର କରିଛନ୍ତି ଯେ ଯେଉଁଭଳି ଭାବେ ପେଟ୍ରୋଲ୍ ମୂଲ୍ୟରେ ବୃଦ୍ଧି ଘଟିଛି ତାହାକୁ ନେଇ ଲୋକମାନଙ୍କ ମନରେ ରାଗ ସୃଷ୍ଟି ହୋଇଛି। ସେମାନଙ୍କ ମନରେ ବିଦ୍ରୋହ ଭାବନା ଦେଖାଦେଇଛି। ତେବେ ବିକଳ୍ପ ଇନ୍ଧନ ଯଥା ଏଲ୍‌ଏନ୍‌ଜି, ସିଏନ୍‌ଜି ଓ ଇଥାନଲ୍‌ ଆଦିକୁ ଅଧିକ ବ୍ୟବହାର କଲେ ଲୋକମାନଙ୍କ ମନରେ ଥିବା ରାଗକୁ ଶାନ୍ତ କରାଯାଇପାରିବ ବୋଲି ସେ କହିଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି ଯେ ଗାଡ଼ି ପାଇଁ ଯଦି ଇଥାନଲ୍‌କୁ ଇନ୍ଧନ ଭାବେ ବ୍ୟବହାର କରାଯିବ ତେବେ ପ୍ରତି ଲିଟର ପିଛା ଲୋକମାନଙ୍କୁ ୨୦ ଟଙ୍କାର ଆଶ୍ବସ୍ତି ମିଳିବ। ଆମ ଭଳି ଦେଶ ପେଟ୍ରୋଲ୍‌, ଡିଜେଲ୍ ଓ ପେଟ୍ରୋଲିୟମ୍ ସାମଗ୍ରୀ ଆମଦାନି କରିବାରେ ୮ ଲକ୍ଷ କୋଟି ଟଙ୍କା ବ୍ୟୟ କରୁଛି। ଏହା ଏକ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି। ଆମଦାନି ଉପରେ ରହିଥିବା ନିର୍ଭରଶୀଳତା କମ୍ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି। କମ୍ ପ୍ରଦୂଷଣକାରୀ ଓ ସ୍ବଦେଶୀ ଇଥାନଲ୍‌, ଜୈବ ସିଏନ୍‌ଜି, ଏଲ୍‌ଏନ୍‌ଜି ଓ ହାଇଡ୍ରୋଜେନ୍ ଇନ୍ଧନକୁ ପାରମ୍ପରିକ ପେଟ୍ରୋଲ୍‌ର ବିକଳ୍ପ ଭାବେ ଦେଖାଯାଉଛି ବୋଲି ସେ କହିଛନ୍ତି। ଦେଶରେ ଫ୍ଲେକ୍ସ ଇଞ୍ଜିନ ବିଶିଷ୍ଟ ଗାଡ଼ି ତିଆରି କରିବା ଲାଗି କଂପାନିଗୁଡ଼ିକୁ କୁହାଯିବ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଫ୍ଲେକ୍ସ ଇଞ୍ଜିନ ହେଉଛି ଏଭଳି ଏକ ଆଧୁନିକ ପ୍ରକାରର ଇଞ୍ଜିନ ଯେଉଁଥିରେ ପାରମ୍ପରିକ ପେଟ୍ରୋଲ୍ କିମ୍ବା ଡିଜେଲ୍ ବ୍ୟତୀତ ଅନ୍ୟ ଯେକୌଣସି ପ୍ରକାରର ବିକଳ୍ପ ଇନ୍ଧନକୁ ମଧ୍ୟ ବ୍ୟବହାର କରିହେବ। ବ୍ୟବହାରକାରୀ ନିଜ ଇଚ୍ଛା ଅନୁସାରେ ଇନ୍ଧନ ଚୟନ କରିପାରିବେ। ଆମେରିକା, ବ୍ରାଜିଲ୍ ଓ କାନାଡାରେ ଏହି ମଡେଲ୍ ସଫଳ ହୋଇଛି।

ସମ୍ବନ୍ଧିତ ଖବର