କମିଲା ବିକାଶର ଗତି

ଅଭିବୃଦ୍ଧି ହାର ୭.୧%କୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ବିକାଶର ଗତି କମିଯାଇଛି। ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ଦେଶର ଅଭିବୃଦ୍ଧି ହାର ୮.୨% ଥିଲା। ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ତାହା ୭.୧%କୁ ଖସିଯାଇଛି। ଖଣି କ୍ଷେତ୍ରର ପ୍ରଦର୍ଶନ ନୈରାଶ୍ୟଜନକ ରହିବା ଯୋଗୁ ଦେଶର ବିକାଶ ଗତି ବାଧାପ୍ରାପ୍ତ ହୋଇଛି। ଅଭିବୃଦ୍ଧି ହାର କମିଥିଲେ ମଧ୍ୟ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ବଜାୟ ରଖିଛି। କାରଣ, ୬.୫% ଅଭିବୃଦ୍ଧି ସହ ଚୀନ୍‌ ଏବେବି ଭାରତ ଠାରୁ ପଛୁଆ ରହିଛି। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, କୃଷି ଅଭିବୃଦ୍ଧି ୩.୮%କୁ ଖସିଯାଇଛି ଯାହା ପୂର୍ବ ତ୍ରୟମାସରେ ୫.୩% ଥିଲା। ଅଭିବୃଦ୍ଧିରେ ଦେଖାଦେଇଥିବା ହ୍ରାସ ପାଇଁ କିଛି ଅର୍ଥନୀତି ବିଶାରଦ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ର ନଗଦ ସଙ୍କଟକୁ ଦାୟୀ କରୁଛନ୍ତି। ସେମାନେ କହିଛନ୍ତି ଯେ, ଏନ୍‌ବିଏଫ୍‌ସିରେ ନଗଦ ସଙ୍କଟ ରହିବା ଯୋଗୁ ପୁଞ୍ଜିନିବେଶ ପ୍ରଭାବିତ ହୋଇଛି। ଅନ୍ୟ ଏକ ବର୍ଗର ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ, ଗ୍ରାହକମାନେ କମ୍ କିଣାକିଣି କରିଥିବାରୁ ଅଭିବୃଦ୍ଧି ହାର କମିଯାଇଛି। ତେବେ, ସିଏସ୍‌ଓ ତଥ୍ୟ କହୁଛି ଯେ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବରରେ କୃଷି କ୍ଷେତ୍ର ୫.୩%, ମାନୁଫାକ୍‌ଚରିଂ ୭.୪% ଖଣି ବିଯୁକ୍ତାତ୍ମକ ୨.୪% ଓ ନିର୍ମାଣ କ୍ଷେତ୍ର ୮.୭% ଅଭିବୃଦ୍ଧି ହାସଲ କରିଛି। ବିଦ୍ୟୁତ, ଗ୍ୟାସ୍, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ସେବା କ୍ଷେତ୍ର ୯.୨% ଅଭିବୃଦ୍ଧି ହାସଲ କରିଛି। ସେହି ସମୟରେ ହୋଟେଲ୍‌, ବାଣିଜ୍ୟ, ପରିବହନ ଓ ଯୋଗାଯୋଗ କ୍ଷେତ୍ରର ଅଭିବୃଦ୍ଧି ସାମାନ୍ୟ କମିଛି।

ପ୍ରଥମ ତ୍ରୟମାସରେ ଥିଲା ୮.୨%
ତଥାପି ଚୀନ୍‌ ଠାରୁ ଆଗରେ

ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପରିମାଣ ଟଙ୍କାରେ ହିସାବ କଲେ ୩୩ ଲକ୍ଷ ୯୮ ହଜାର କୋଟି ଟଙ୍କା ହେଉଛି ଯାହାର ବର୍ଷକ ପୂର୍ବରୁ ୩୧ ଲକ୍ଷ ୭୨ ହଜାର କୋଟି ଟଙ୍କା ଥିଲା। କିନ୍ତୁ, ୨୦୧୧-୧୨ର ମୂଲ୍ୟକୁ ନେଇ ହିସାବ କଲେ ମୋଟ ମୂଲ୍ୟ ଯୁକ୍ତ (ଜିଭିଏ) ପରିମାଣ ୩୧ ଲକ୍ଷ ୪୦ ହଜାର କୋଟି ଟଙ୍କା ହେଉଛି। ବର୍ଷକ ପୂର୍ବରୁ ତାହାର ପରିମାଣ ୨୯.୩୮ ଲକ୍ଷ କୋଟି ଟଙ୍କା ଥିଲା। ଉଲ୍ଳେଖଯୋଗ୍ୟ, ଜିଡିପିର ନୂଆ ହିସାବ ଅନୁସାରେ ସାଧାରଣ ଜିଡିପି ତଥ୍ୟ ସହିତ ଜିଭିଏ ତଥ୍ୟ ମଧ୍ୟ ଜାରି କରାଯାଉଛି।

ସମ୍ବନ୍ଧିତ ଖବର