ମଣ୍ଡି ଉପରେ କୃଷକଙ୍କ ନିର୍ଭରଶୀଳତା କମିବ, ସରକାର ଆଣିବେ ନୂଆ ଆଇନ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୃଷି କ୍ଷେତ୍ର ପାଇଁ ଘୋଷଣା କରିଥିବା ବିଭିନ୍ନ ଘୋଷଣା ମଧ୍ୟରେ ଏକ ବଡ଼ ଘୋଷଣା ହେଉଛି କୃଷକମାନଙ୍କୁ ଏପିଏମସି ବା କୃଷିଜାତ ଉତ୍ପାଦ ମାର୍କେଟିଂ କମିଟି ନିୟନ୍ତ୍ରଣରୁ ମୁକ୍ତ କରିବା । ଏଥିପାଇଁ ସରକାର ଏକ ନୂଆ କେଦ୍ରୀୟ ଆଇନ ଆଣିବେ ।
ଏହି ଆଇନ ପ୍ରଣୟନ ହେବା ପରେ କୃଷକମାନଙ୍କୁ ଆଉ କେବଳ ଏପିଏମସି ମଣ୍ଡି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ନିଜ ଇଚ୍ଛା ଅନୁସାରେ ବଜାରରେ ବା ବାହାର ରାଜ୍ୟରେ ନିଜର କୃଷିଜାତ ଉତ୍ପାଦ ବିକ୍ରି କରିପାରିବେ ।

ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ କୃଷକମାନେ ନିଜର ସାମଗ୍ରୀ ବିକ୍ରି କରିବାକୁ ନିଜ ରାଜ୍ୟରେ ଥିବା ମଣ୍ଡିରେ ଲାଇସେନ୍ସପ୍ରାପ୍ତ ଟ୍ରେଡରଙ୍କୁ ବିକ୍ରି କରିପାରୁଥିଲେ । କିନ୍ତୁ ଘୋଷିତ ନୂଆ ନିୟମ ଅନୁସାରେ ଏଣିକି କୃଷକମାନେ ମଣ୍ଡିରେ ଥିବା ଲାଇସେନ୍ସପ୍ରାପ୍ତ ଟ୍ରେଡରଙ୍କୁ ବିକ୍ରି କରିବାକୁ ବାଧ୍ୟ ରହିବେନାହିଁ, ବରଂ ସେମାନେ ନିଜ ଇଚ୍ଛା ଅନୁସାରେ ବଜାରରେ ଏପରିକି ବାହାର ରାଜ୍ୟରେ ଆକର୍ଷଣୀୟ ଦରରେ ନିଜ ସାମଗ୍ରୀକୁ ବିକ୍ରି କରିପାରିବେ । ଅର୍ଥାତ କୃଷକମାନେ ନିଜର କୃଷିଜାତ ସାମଗ୍ରୀକୁ ବଡ଼ ରିଟେଲ କମ୍ପାନି, କୃଷିଜାତ ଉତ୍ପାଦ ସଂଗଠନ(ଏଫପିଓ) କିମ୍ବା ସମବାୟ ସଂସ୍ଥାକୁ ସିଧାସଳଖ ବିକ୍ରି କରିପାରିବେ । ଏଥିପାଇଁ ସେମାନଙ୍କୁ ନିଜ ସାମଗ୍ରୀକୁ ମଣ୍ଡିକୁ ଆଣିବାକୁ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର