ଜିଏସ୍‌ଟି କ୍ଷତିପୂରଣ: ୨ ଲକ୍ଷ କୋଟିର ଅଭାବ, ଏବର୍ଷ ବି ଋଣ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍‌ରେ ଜିଏସ୍‌ଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କାରୁ କମ୍ ରହିବ ବୋଲି ସରକାର ଆକଳନ କରିଛନ୍ତି। ଏହାର ପୂର୍ବ ୯ ମାସ ଧରି କ୍ରମାଗତ ଭାବେ ଲକ୍ଷେ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜିଏସ୍‌ଟି ସଂଗ୍ରହ ହେଊଥିଲା। କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା ଲାଗି ବିଭିନ୍ନ ରାଜ୍ୟରେ ଲଗାଯାଇଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ବ୍ୟାହତ ହୋଇଛି। ସେଥିପାଇଁ ଜିଏସ୍‌ଟି ସଂଗ୍ରହ କମିବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଆଉ ଏକ ବଡ଼ ସମସ୍ୟାକୁ ଜନ୍ମ ଦେଇଛି। ତାହା ହେଉଛି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ଯେଉଁ ସେସ୍‌ ଆଦାୟ କରାଯାଏ ତାହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତେଣୁ କ୍ରମାଗତ ଦ୍ବିତୀୟ ବର୍ଷ ଲାଗି କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବେ ବୋଲି କୁହାଯାଉଛି।

ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ଅଢ଼େଇରୁ ତିନି ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଦେବାକୁ ପଡ଼ିପାରେ। କିନ୍ତୁ ସେସ୍‌ ଜରିଆରେ ଏକ ଲକ୍ଷ କୋଟି ଟଙ୍କା ସଂଗ୍ରହ ହେବ ବୋଲି ବଜେଟ୍‌ରେ ଆକଳନ କରାଯାଇଛି। ଏକ୍ଷେତ୍ରରେ ଦୁଇ ଲକ୍ଷ କୋଟି ଟଙ୍କାର ଅଭାବ ଦେଖାଦେବ। ୨୦୨୦ରେ ରାଜ୍ୟଗୁଡ଼ିକୁ ୧.୦୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଦେବାକୁ ପଡ଼ିଥିଲା। ଏବେ ଯେତିକି ପରିମାଣର ଇ-ୱେଲ୍ ବିଲ୍ ଜାରି କରାଯାଉଛି ସେଥିରୁ ଏହା ପୂର୍ବାନୁମାନ କରାଯାଇଛି ଯେ ଏପ୍ରିଲ୍ ତୁଳନାରେ ମେ’ରେ ଜିଏସ୍‌ଟି ସଂଗ୍ରହ ୩୦% ହ୍ରାସ ପାଇବ। ଶିଳ୍ପ ବହୁଳ ରାଜ୍ୟଗୁଡ଼ିକରେ ଅର୍ଥନୈତିକ କାର୍ଯ୍ୟକଳାପ ଏକ ପ୍ରକାର ବନ୍ଦ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ଜୁଲାଇ ପରେ ଚାହିଦାରେ ଉନ୍ନତି ପରିଲକ୍ଷିତ ହେବ। ଲୋକମାନେ ସାମଗ୍ରୀ ଓ ସେବାକୁ ବ୍ୟବହାର କରିବା ଆରମ୍ଭ କଲେ ପୁଣି ଥରେ ଜିଏସ୍‌ଟି ଆଦାୟରେ ଉତ୍ସାହ ଫେରିବ।

କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ରାଜ୍ୟରେ ସବୁ କିଛି ସ୍ବାଭାବିକ ହେବା ପରେ ଅର୍ଥନୀତିରେ ସଧାର ହେବ ବୋଲି ଆଶା କରାଯାଉଛି।
ଚଳିତ ବର୍ଷ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଦ୍ବାରା ଜିଏସ୍‌ଟି ସଂଗ୍ରହ କେତେ ପ୍ରଭାବିତ ହେବ ତାହାର ଆକଳନ କରିବା ଲାଗି ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍‌କୁ ଦାୟିତ୍ବ ଦିଆଯାଇଛି। ସେହି ରିପୋର୍ଟକୁ ଚଳିତ ମାସ ୨୮ରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଉପସ୍ଥାପନ କରାଯିବ। ଏହି ବୈଠରେ ଜିଏସ୍‌ଟି କ୍ଷତିପୂରଣ ଦେବା ସମୟ ସୀମାକୁ ଆଉ ୫ ବର୍ଷ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ଦାବି କରିବେ ବୋଲି କୁହାଯାଉଛି। ୨୦୧୭ ଜୁଲାଇରେ ଯେତେବେଳେ ପ୍ରଥମେ ଜିଏସ୍‌ଟି ଲାଗୁ ହେଲା ସେହି ସମୟରେ ନିଷ୍ପତ୍ତି ହୋଇଥିଲା ଯେ ପ୍ରଥମ ପାଞ୍ଚ ବର୍ଷ ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଟିକସ ହାନି ଜନିତ କ୍ଷତିପୂରଣ ପ୍ରଦାନ କରିବେ। ସେଥିରେ ଆଉ ପାଞ୍ଚ ବର୍ଷର ବୃଦ୍ଧି ପାଇଁ ସରକାର ରାଜି ହେବେ ବୋଲି ମନେ ହେଉନାହିଁ। କାରଣ ପୂର୍ବବର୍ଷ କ୍ଷତିପୂରଣ ରାଶିକୁ ନେଇ ସରକାର ଯେଉଁଭଳି ଭାବେ ଋଣ ନେବା ଲାଗି ରାଜ୍ୟଗୁଡ଼ିକୁ ବାଧ୍ୟ କରୁଥିଲେ ତାହା ବିଚାରକୁ ନେଲେ କ୍ଷତିପୂରଣ ପ୍ରଦାନରେ ଆଉ ପାଞ୍ଚ ବର୍ଷର ବୃଦ୍ଧି ସହଜ ନିଷ୍ପତ୍ତି ‌ହେବ ନାହିଁ।

ସମ୍ବନ୍ଧିତ ଖବର