ଜିଏସ୍‌ଟି ପରିଷଦ ବୈଠକ ୨୦ରେ, ଇ-ଇନ୍‌ଭଏସ୍‌ ଉପରେ ବଡ଼ ନିଷ୍ପତ୍ତି ନିଆଯାଇପାରେ

ନୂଆଦିଲ୍ଲୀ: ଚଳିତ ମାସ ୨୦ରେ ଜିଏସ୍‌ଟି ପରିଷଦର ବୈଠକ ବସିବ। ସେଥିରେ ଇ-ଇନ୍‌ଭଏସ୍‌କୁ ନେଇ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହା ହେଉଛି ଏକ ଅନଲାଇନ୍ ପୋର୍ଟାଲ୍ ଯାହାକୁ ୫୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କଂପାନିଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯିବ। ଜିଏସ୍‌ଟି ଚୋରିକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ। ବିଶେଷ କରି କଂପାନି କଂପାନି ଭିତରେ ହେଉଥିବା କିଣାବିକା ଉପରେ ଏହା ଜରିଆରେ ନଜର ରଖାଯିବ। କଂପାନିଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ବିବରଣୀକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଥିଲା ଯେ ୨୦୧୭-୧୮ରେ ୬୮ ହଜାରରୁ ଅଧିକ କଂପାନି ୫୦ କୋଟି ଟଙ୍କାରୁ ଅଧିକ କାରବାର ପ୍ରଦର୍ଶନ କରିଥିଲେ। କଂପାନି କଂପାନି ଭିତରେ କାରବାର (ବି୨ବି)ରେ ଏହି କଂପାନିଗୁଡ଼ିକର ଯୋଗଦାନ ୩୦% ଭଳି ଉଚ୍ଚ ସ୍ତରରେ ରହିଥିବା ବେଳେ ମୋଟ ଜିଏସ୍‌ଟିକୁ ସେମାନଙ୍କ ଯୋଗଦାନ ହେଉଛି ମାତ୍ର ୧.୦୨%। ଇନ୍‌ଭଏସ୍‌ର ଦୁରୂ‌ପଯୋଗ କରାଯାଉଥିବା ଏଥିରୁ ଜଣାପଡ଼ିଥିଲା। ଏହା ଉପରେ ଲଗାମ କଷିବା ପାଇଁ ଇ-ଇନଭଏସ୍‌ର ପରିକଳ୍ପନା କରାଯାଇଛି। ଯେଉଁ ସଂସ୍ଥା ଇ-ଇନ୍‌ଭଏସ୍‌ ହାସଲ କରିବେ ସେମାନଙ୍କୁ ଇନ୍‌ଭଏସ୍‌ ଅପଲୋଡ୍‌ କରିବାକୁ ପଡ଼ିବ ନାହିଁ। ସେମାନେ ରିଟର୍ଣ୍ଣ ମଧ୍ୟ ଦାଖଲ କରିବେ ନାହିଁ। ଏହି ବ୍ୟବସ୍ଥାକୁ ଆସନ୍ତା ସେପ୍ଟେମ୍ବର ଠାରୁ ଲାଗୁ କରିବା ଉପରେ ସରକାର ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର