ଆଇସିଏଆଇର ଦୁଇଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ: ‘ଅର୍ଥନୀତି ବଢ଼ିଲେ ଟିକସ ବଢ଼ିବ’

ପ୍ରତ୍ୟକ୍ଷ, ପରୋକ୍ଷ ଟିକସ ଉପରେ ଦେଶର ଶତାଧିକ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ଙ୍କ ମାନସମନ୍ଥନ

ଭୁବନେଶ୍ବର: ଭାରତ ସରକାର ବର୍ତ୍ତମାନ ସମସ୍ତଙ୍କୁ ଯେଭଳି ବିଶ୍ବାସକୁ ନନେଇ ନାଗରିକତା ସଂଶୋଧନ ଆଇନ ବା ସିଏଏ କାର୍ଯ୍ୟକାରୀ କରିଲେ ଜିଏସ୍‌ଟିକୁ ମଧ୍ୟ ସେହିଭଳି ତରବରିଆ ଭାବେ କାର୍ଯ୍ୟକାରୀ କରିଥିଲେ। ଏହାଦ୍ବାରା ଟିକସ ପେସାରେ ଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟିକସ ଆଇନକୁ ଅନୁକୂଳ କରିବା ସମୟରେ କଷ୍ଟ ଆକାଉଣ୍ଟାଣ୍ଟ୍‌ମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିଭଙ୍ଗୀକୁ ଗୁରୁତ୍ବ ଦେଇ ସମାଜର ସବୁଠୁ ଅବହେଳିତ ବର୍ଗର ଲୋକମାନେ କିଭଳି ଏହାଦ୍ବାରା ଉପକୃତ ହେବେ ତାହାକୁ ଦୃଷ୍ଟି ଦେବାକୁ ରାଜ୍ୟ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କହିଛନ୍ତି। ‌

ଦି ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟାଣ୍ଟ୍‌ସ୍‌ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଟିକସ ଗବେଷଣା ବିଭାଗ ଏବଂ ଭୁବନେଶ୍ବର ଚାପ୍ଟରର ମିଳିତ ଆନୁକୂଲ୍ୟରେ କିମ୍ସ ପ୍ରେକ୍ଷାଳୟ ପରିସରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହା କହିଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଅନୁକୂଳ ଟିକସ ଆଇନ-ଆହ୍ବାନ ଓ ସୁଯୋଗ’। କଷ୍ଟ୍ ଆକାଉଣ୍ଟାଣ୍ଟ୍ ମାନଙ୍କୁ ଉଦ୍‌ବୋଧନ ଦେଇ ଭାରତରେ ୧୮୫୭ ମସିହାର ସିପାହୀ ବିଦ୍ରୋହ ପରେ ବ୍ରିଟିସ ସରକାର କିଭଳି ଟିକସ ଲାଗୁ କରିଲେ ଏବଂ ଟିକସର ଏହି ଯାତ୍ରା ଆଜି କିଭଳି ଜିଏସ୍‌ଟି (ସାମଗ୍ରୀ ଏବଂ ସେବା ଟିକସ)ରେ ପହଞ୍ଚିଛି ତାହା ଉପରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଲୋକପାତ କରିଥିଲେ। ବିବିଧତା ଭାରତର ଆତ୍ମା ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହି ପରିପ୍ରେକ୍ଷୀରେ କହିଥିଲେ। ଓଡ଼ିଶା ସରକାର ସବୁ ସମୟରେ ଟିକସ ସଂସ୍କାରକୁ ସମର୍ଥନ କରି ଆସିଛନ୍ତି ବୋଲି ସେ କହିଥିଲେ ମଧ୍ୟ ଦେଶରେ ବଢ଼ୁଥିବା ଆର୍ଥିକ ବୈଷମ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଅର୍ଥନୀତିର ଅଭିବୃଦ୍ଧି କମୁଥିବାବେଳେ ଟିକସ ଅଧିକାରୀମାନଙ୍କୁ ଅଧିକ ଟିକସ ଆଦାୟ କରିବା ପାଇଁ ଲକ୍ଷ୍ୟ ପ୍ରଦାନ କରାଯିବା ଏବଂ ଟିକସ ଦେଉଥିବା ବ୍ୟକ୍ତିମାନଙ୍କଠାରୁ ଅଧିକରୁ ଅଧିକ ଟିକସ ଆଦାୟ କରିବାକୁ ସେ ଟିକସ ଆତଙ୍କବାଦ ବୋଲି ଅଭିହିତ କରିଥିଲେ। ଅର୍ଥନୈତିକ ପ୍ରଗତି ହେଲେ ଟିକସ ରାଜସ୍ବ ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହି ଅବସରରେ ମତ ରଖିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅର୍ଥନୀତି ପାଇଁ କଷ୍ଟ୍ ଆକାଉଣ୍ଟାଣ୍ଟମାନେ ତୁଲାଉଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଟିକସ ବ୍ୟବସ୍ଥାରେ ‌ହେଉଥିବା ଦ୍ରୁତ ପରିବର୍ତ୍ତନ ସହ ପରିଚିତ ହେବା ଏବଂ ନିଜ ନିଜର ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ଏହି ସମ୍ମିଳନୀ କଷ୍ଟ୍‌ ଆକାଉଣ୍ଟାଣ୍ଟ୍ ମାନଙ୍କୁ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶାବ୍ୟକ୍ତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଆଇସିଏଆଇର ସଭାପତି ସିଏମ୍‌ଏ ବଲବିନ୍ଦର ସିଂହ ସଭାପତିତ୍ବ କରିଥିଲେ। ଆଇସିଏଆଇ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆଇ ପରୋକ୍ଷ କର ବିଭାଗ ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସଭ୍ୟ ସିଏମ୍‌ଏ ନିରଞ୍ଜନ ମିଶ୍ର, ପ୍ରତ୍ୟକ୍ଷ କର ଅଧ୍ୟକ୍ଷ ରାକେଶ ଭାଲ୍ଲା, କେନ୍ଦ୍ରୀୟ ସଭ୍ୟ ଏଚ ପଦ୍ମନାଭନ, ଆଇସିଏଆଇ ଉପସଭାପତି ମୁକେଶ ଚୌବେ, ଆଇସିଏଆଇ ଭୁବନେଶ୍ବର ଚାପ୍ଟର ଅଧ୍ୟକ୍ଷ ସିଏମଏ ଶକ୍ତିଧର ସିଂହ, ସମ୍ପା‌ଦକ ସିଏମ୍‌ଏ ହିମୋଜ ମିଶ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏଥିରେ କଷ୍ଟ୍ ଆକାଉଣ୍ଟାଣ୍ଟ୍ ମାନଙ୍କ ଦ୍ବାରା ଟିକସ ଉପରେ ଲିଖିତ କେତେକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉଦ୍‌ଘାଟନୀ ଉତ୍ସବ ପରେ ବୈଷୟିକ ଅଧିବେଶନମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଏବଂ ଦେଶର ଭିନ୍ନର ସ୍ଥାନରୁ ଆସିଥିବା ବିଶିଷ୍ଟ କଷ୍ଟ ଆକାଉଣ୍ଟାଣ୍ଟ୍ ଏବଂ ବିଶେଷଜ୍ଞମାନେ ଟିକସର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ କଷ୍ଟ୍‌ ଆକାଉଣ୍ଟାଣ୍ଟମାନେ ଏହି ଦୁଇଦିନିଆ ଅଧିବେଶନରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର