ବଜେଟ୍‌ରେ ଦଳିତ, ଆଦିବାସୀଙ୍କ ପାଇଁ କମ୍ ବ୍ୟୟବରାଦ

ଭୁବନେଶ୍ବର : ୨୦୨୧-୨୨ ବଜେଟ୍‌ରେ ଦେଶର ଦଳିତ ଓ ଆଦିବାସୀ ବର୍ଗଙ୍କ ପାଇଁ କମ୍ ବ୍ୟୟବରାଦ କରାଯାଇଥିବାରୁ ଏହି ଗୋଷ୍ଠୀ କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ଲୋହିଆ ଏକାଡେମିରେ ଆମ୍ବେଦର-ଲୋହିଆ ବିଚାର ମଞ୍ଚ ଓ ଏନ୍‌ସିଡିଏଚ୍‌ଆର୍‌, ନୂଆଦିଲ୍ଲୀ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳିତ ଓ ଆଦିବାସୀଙ୍କ ପରିପ୍ରେକ୍ଷରୁ କେନ୍ଦ୍ର ବଜେଟ୍‌ର ବିଶ୍ଳେଷଣ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ବଜେଟ୍‌ରେ ଅନୁସୂଚିତ ଜାତିଙ୍କ ପାଇଁ ୧,୨୬,୨୫୯ କୋଟି ଟଙ୍କା ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୭୯,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥି ମଧ୍ୟରୁ ୭୬,୨୨୭ କୋଟି ଟଙ୍କା ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେବ।

ମାଟ୍ରିକ ପରୀକ୍ଷା ପରବର୍ତୀ ବୃତ୍ତି ପାଇଁ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୩୪୧୫.୬୨ କୋଟି ଟଙ୍କା ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୧୯୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବର୍ଷକୁ ଏବବାଦରେ ୭୦୦୦ କୋଟି ଟଙ୍କା‌ ଦେବା ଲାଗି ପ୍ରତିଶ୍ରୁତି ଦେବା ସତ୍ତ୍ବେ ସରକାର ଏତେ କମ୍ ବ୍ୟୟବରାଦ କରିବା ଚିନ୍ତାର ବିଷୟ ବୋଲି ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି। କେନ୍ଦ୍ରର ୪୧ଟି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ୩୩୦ଟି ସ୍କିମ୍‌ରେ ଅନୁସୂଚିତ ଜାତି ପାଇଁ ୧,୨୬,୨୫୯ କୋଟି ଟଙ୍କା ଓ ଅନୁସୂଚିତ ଜନଜାତି ପାଇଁ ୭୯,୯୪୨ କୋଟି ଟଙ୍କା ଦେଇଛନ୍ତି। ଦଳିତ ଓ ଆଦିବାସୀ ମହିଳାଙ୍କ ସୁରକ୍ଷା ଲାଗି ମାତ୍ର ୬୦୦ କୋଟି ଟଙ୍କା ଦିଆଯାଇଛି।

କୋଭିଡ୍‌-୧୯ର ଆଗ ଧାଡ଼ିର ଯୋଦ୍ଧା ସଫେଇ କର୍ମଚାରୀମାନଙ୍କ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଲୋହିଆ ଏକାଡେମି ବିଚାର ମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ, ସାଧାରଣ ସମ୍ପାଦକ କିସାନ ପଟ୍ଟନାୟକ, ସମ୍ବାଦକ ତପନ ସାମଲ, ଏନ୍‌ସିଡିଏଚ୍‌ଆର୍‌ ସଂଗଠନର ଆଦିକନ୍ଦ ସିଂହ ଓ ଅଭିମନ୍ୟୁ ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର