ନୂଆଦିଲ୍ଲୀ: ରିଟର୍ଣ୍ଣ ଦାଖଲ କରୁ ନଥିବା ଏବଂ ପୂର୍ବରୁ ରିଟର୍ଣ୍ଣ ଦାଖଲ କରୁଥିବା ଏବଂ ଏବେ ବନ୍ଦ କରିଦେଇଥିବା ବ୍ୟକ୍ତିମାନେ ଏହି ଆୟକର ବିଭାଗର ନଜରକୁ ଆସିଯାଇଛନ୍ତି। ଏହି ବର୍ଗର ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗକୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ କୁହାଯାଇଛି। ଆୟକର ବିଭାଗର ନନ୍-ଫାଇଲର୍ସ ମନିଟରିଂ ସିଷ୍ଟମ୍ (ଏନଏମଏସ)ରୁ ୨୦୧୩ରୁ ୨୦୧୭ ମଧ୍ୟରେ ଟିକସ ରିଟର୍ଣ୍ଣ ଭରୁ ନଥିବା ୨୦.୪ ନିୟୁତ ବା ୨ କୋଟି ୪୦ ଲକ୍ଷ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ଏମାନଙ୍କ ମଧ୍ୟରୁ ୨.୫ ନିୟୁତ ଲୋକ ରିଟର୍ଣ୍ଣ ଦାଖଲ କରିବାରେ ହେଳା କରିଛନ୍ତି। ଅର୍ଥାତ୍ ଏମାନେ ନିରନ୍ତର ରିଟର୍ଣ୍ଣ ଦାଖଲ କରିନାହାନ୍ତି। ଏମାନଙ୍କୁ ଆୟକର ଭାଷାରେ ‘ଡ୍ରପ୍ଡ ଫାଇଲର୍ସ’ କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିଟର୍ଣ୍ଣ ଦାଖଲ କରୁ ନଥିବା ଏବଂ ପୂର୍ବରୁ ଦାଖଲ କରି ପରେ ବନ୍ଦ କରିଦେଇଥିବା ବ୍ୟକ୍ତିମାନଙ୍କୁ ଆମେ ନୋଟିସ ପଠାଉଛୁ। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି। ସାଧାରଣତଃ ରିଟର୍ଣ୍ଣ ଦାଖଲ କରୁ ନଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆୟକର ଆଇନର ଧାରା ୨୭୧ ଏଫ୍ ଅଧୀନରେ ଜରିମାନା କାର୍ଯ୍ୟାନୁଷ୍ଠାନ ନେବାର ପ୍ରାବଧାନ ରହିଛି। ସେହିଭଳି ବିଳମ୍ବରେ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆୟକର ଆଇନର ଧାରା ୨୩୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଅଗଷ୍ଟ ୩୧ ତାରିଖ ପରେ ଏବଂ ଡିସେମ୍ବର ୩୧ ତାରିଖ ପୂର୍ବରୁ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥାଏ। ସେହିଭଳି ଯେଉଁମାନେ ଡିସେମ୍ବର ୩୧ ପରେ ରିଟର୍ଣ୍ଣ ଦାଖଲ କରିଥାନ୍ତି ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ତେବେ କମ୍ ଟିକସ ଦେଉଥିବା ବ୍ୟକ୍ତି, ଯେଉଁମାନଙ୍କର ମୋଟ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ରହିଥାଏ ସେମାନଙ୍କଠାରୁ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଏନଏମଏସ ଡାଟାବେସ୍ ଆଧାରରେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହି ତଥ୍ୟକୁ ଆୟକର ଆକଳନ କରୁଥିବା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଦେଶରେ ଟିକସଦାତାଙ୍କ ଆଧାର ବଢ଼ାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଭଲଭାବେ ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଏନଏମଏସ ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ, ୨୦୧୩ରୁ ରିଟର୍ଣ୍ଣ ଦାଖଲ କରୁ ନଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୪ରେ ରିଟର୍ଣ୍ଣ ଦାଖଲ କରି ନଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୨୨ ନିୟୁତ ଥିବାବେଳେ ୨୦୧୫ରେ ଏହା ୬.୭୫ ନିୟୁତରେ ପହଞ୍ଚିଛି। ତେବେ ରିଟର୍ଣ୍ଣ ଦାଖଲ ବନ୍ଦ କରିଦେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୧୭-୧୮ରେ ୨.୫୨ ନିୟୁତ ଥିବାବେଳେ ୨୦୧୬-୧୭ରେ ଏହା ୨.୮୩ ନିୟୁତ ରହିଥିଲା। ଜଣେ ଆୟକର ଅଧିକାରୀ ରିଟର୍ଣ୍ଣ ଦାଖଲ କରି ନଥିବା ବ୍ୟକ୍ତିଙ୍କ ବିରୋଧରେ ୩ ମାସରୁ ୨ ବର୍ଷ ସମୟ ମଧ୍ୟରେ ଜରିମାନା ଆଦାୟ ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିଥାନ୍ତି। ତେବେ ଟିକସଯୋଗ୍ୟ ଆୟରାଶି ଯଦି ୨୫ ଲକ୍ଷ ଟଙ୍କା ଅତିକ୍ରମ କରେ ତାହେଲେ ଏହି ଅବଧି ବଢ଼ିପାରିବା ବ୍ୟବସ୍ଥା ରହିଛି।