ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ମେଗା ଟ୍ରେଡ୍ ଫେୟାର ୧୯ରୁ

୧୦ ଦେଶ, ୧୫ ରାଜ୍ୟ ଭାଗ ନେବେ, ୨୦୦ ଷ୍ଟଲ୍‌ ଖୋଲିବ

ଭୁବନେଶ୍ବର : ଚଳିତ ମାସ ୧୯ ତାରିଖରୁ ଜନତା ‌ମୈଦାନ ଠାରେ ଆରମ୍ଭ ହେବ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ମେଗା ଟ୍ରେଡ୍ ଫେୟାର ଓ ହୋମ୍ ଆଣ୍ଡ୍ ଡେକର୍‌ ଫେୟାର। ଜି ଏସ୍‌ ମାର୍କେଟିଂ, କ୍ରେଡାଇ, ୟୁସିସିଆଇ ଓ ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିର ମିଳିତ ସହଯୋଗରେ ଏହି ମେଳାର ୧୭ତମ ସଂସ୍କରଣକୁ ଆୟୋଜନ କରାଯିବ। ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ ବୋଲି ଜି ଏସ୍‌ ମାର୍କେଟିଂର ଅଧ୍ୟକ୍ଷ ପ୍ରକାଶ ଶାହ କହିଛନ୍ତି। ସେ କହିଛନ୍ତି ଏଥର ମେଳାରେ ୧୦ଟି ଦେଶ ଓ ୧୫ଟି ରାଜ୍ୟ ଯୋଗ ଦେବେ। ବାଲାଂଦେଶ, ଆଫଗାନିସ୍ତାନ, ଇରାନ, ଥାଇଲ୍ୟାଣ୍ଡ୍‌, ଦୁବାଇ, ଲେବାନନ, ମାଲେସିଆ, ଭାରତରେ ଥିବା ପାକିସ୍ତାନ ସାମଗ୍ରୀର ବିତରକ ଓ ଟୁନିସିଆର ବ୍ୟବସାୟୀମାନେ ଅଂଶଗ୍ରହଣ କରି ସେମାନଙ୍କ ସ୍ବତନ୍ତ୍ର ସାମଗ୍ରୀ ପ୍ରଦର୍ଶିତ କରିବେ। ଏହି ମେଳାର ଆୟୋଜକ ରାଜ୍ୟ ଓଡ଼ିଶା ହୋଇଥିବା ବେଳେ ବିହାର ହେଉଛି ସହଯୋଗୀ ରାଜ୍ୟ। ଫୋକସ୍‌ ଦେଶ ହେଉଛି ଆଫଗାନିସ୍ତାନ ଓ ଇରାନ। ମେଳାରେ ମୋଟ ୨୦୦ ଷ୍ଟଲ୍‌ ଲାଗିବ। ହୋମ୍ ଆଣ୍ଡ୍‌ ଡେକର୍‌ ଫେୟାର୍‌ରେ ରିଅଲ ଇଷ୍ଟେଟ୍‌, ହାଉସିଂ ଫାଇନାନ୍ସ ସଂସ୍ଥା, ବ୍ୟାଙ୍କ, ଲାଇଟ୍‌, ଆସବାବପତ୍ର, ଇଣ୍ଟେରିୟର ଡିଜାଇନର ଓ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ୍‌ଗୁଡ଼ିକ ଷ୍ଟଲ୍‌ ଖୋଲିବେ ବୋଲି ଶ୍ରୀ ଶାହ କହିଛନ୍ତି। ୧୯୯୪ରୁ ନିଜର ଯାତ୍ରା ଆରମ୍ଭ କରିଥିବା ଜି ଏସ୍‌ ମାର୍କେଟିଂ ଦେଶର ବିଭିନ୍ନ ସହରରେ ବର୍ତ୍ତମାନ ସୁଦ୍ଧା ୨୨୪ ମେଳା ଆୟୋଜନ କରିସାରିଲାଣି। ଏହା କୋଲକାତା, ପାଟନା, ରାଞ୍ଚି, ସିଲିଗୁଡ଼ି, ବିଶାଖାପାଟଣା, ଗ୍ରେଟର ନୋଏଡା ଓ ଅହମ୍ମଦାବାଦ ଭଳି ସହରରେ ମେଳା ଆୟୋଜନ କରୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ ଓ ଲକ୍ଷ୍ନୌ ସହରରେ ପ୍ରଥମ ଥର ଲାଗି ଟ୍ରେଡ୍‌ ଫେୟାର ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଶାହ କହିଛନ୍ତି।

ସମ୍ବନ୍ଧିତ ଖବର