ଭାରତୀୟ ଗ୍ରାହକଙ୍କ ପ୍ରଥମ ପସନ୍ଦ ବଡ଼ ସ୍କ୍ରିନ୍ ଟିଭି ଓ ଅଧିକ ଷ୍ଟୋରେଜ୍ ଥିବା ଫ୍ରିଜ୍

ଭୁବନେଶ୍ବର: ଟିଭି, ୱାସିଂ ମେସିନ୍ ଭଳି ଉତ୍ପାଦ କିଣିବା ବେଳେ ଗ୍ରାହକମାନେ ପ୍ରିମିୟମ୍ ଓ ବଡ଼ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ଲୋକମାନେ ବଡ଼ ସ୍କ୍ରିନ୍ ଟିଭି ଥିବା, ଅଧିକ ଷ୍ଟୋରେଜ୍ କ୍ଷମତା ଥିବା ଫ୍ରିଜ୍ ଓ ସ୍ମାର୍ଟ ଟିଭି କିଣିବା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ବୋଲି ବିଶ୍ବର ପ୍ରମୁଖ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କଂପାନି ସାମସଙ୍ଗ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଜି ରସୁଲଗଡ଼ ଠାରେ ଥିବା ସାମସଙ୍ଗ୍‌ କାର୍ଯ୍ୟାଳୟରେ କଂପାନିର ଉପସଭାପତି ଋଷି ସୁରି କହିଛନ୍ତି, ଓଡ଼ିଶାର ଗ୍ରାହକମାନେ ବଡ଼ ଏବଂ ପ୍ରିମିୟମ୍ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ଚଳିତ ପାର୍ବଣ ଋତୁରେ ଏହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି। ପ୍ରିମିୟମ୍ ଉତ୍ପାଦ ବଳରେ ଆମେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ଆଗକୁ ବଢ଼ୁଛୁ। ଆମର ବିଶ୍ବାସ ରହିଛି ଯେ ଏହି ପାର୍ବଣ ଋତୁରେ ଆମେ ଉଚ୍ଚ ସ୍ତରରେ ଆମର ବ୍ୟବସାୟକୁ ବଜାୟ ରଖିବୁ। ସେ କହିଲେ, ଓଡ଼ିଶାରେ ଆମର ଟିଭି ଓ ହୋମ୍ ଆପ୍ଲାଏନ୍‌ସେସ୍‌ ବିକ୍ରି ଦ୍ରୁ୍ତ ଗତିରେ ଆଗକୁ ବଢ଼ୁଛି। ଟିଭି, ମାଇକ୍ରୋଓଭେନ୍ ଓ ଟପ୍ ଲୋଡିଂ ୱାସିଂ ମେସିନ୍ କ୍ଷେତ୍ରରେ ଆମେ ଅନ୍ୟ କଂପାନି ଠାରୁ ବହୁତ ଆଗରେ ରହିଛୁ। ଟିଭିରେ ଆମର ବଜାର ଅଂଶ ୩୧%, ମାଇକ୍ରୋୱେଭ୍ ‌ଓଭେନ୍‌ରେ ୩୪% ଓ ଟପ୍ ଲୋଡିଂ ୱାସିଂମେସିନ୍ ବର୍ଗରେ ୩୬% ବଜାର ଅଂଶ ରହିଛି। ଫ୍ରଷ୍ଟ୍‌ ଫ୍ରି ରେଫ୍ରିଜରେଟର ବଜାରର ୬୨% ଅଂଶ ସାମସଙ୍ଗ୍‌ କବ୍‌ଜାରେ ରହିଛି। କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବଜାରରେ କୌଣସି ମାନ୍ଦାବସ୍ଥା ନାହିଁ ବୋଲି ଶ୍ରୀ ସୁରି କହିଛନ୍ତି। ଆମେ ଭାରତୀୟ ଗ୍ରାହକଙ୍କ ପାଇଁ ଉନ୍ନତ ପ୍ରଯୁକ୍ତି ଏବଂ ଉତ୍ତମ ମାନର ଉତ୍ପାଦ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେଉଛୁ।

ସମ୍ବନ୍ଧିତ ଖବର