ଏପ୍ରିଲ-ଅକ୍ଟୋବର ମାସରେ ଭାରତର ସୁନା ଆମଦାନୀ ୯% ହ୍ରାସ

ନୂଆଦିଲ୍ଲୀ : କ୍ରମାଗତଭାବେ ଗତ ୫ ମାସ ହେଲା ଭାରତର ସୁନା ଆମଦାନୀ କମିଚାଲିଛି । ଏପରିକି ଦୀପାବଳି ସିଜିନରେ ମଧ୍ୟ ସୁନା ବିକ୍ରି ଆଶାନୁରୂପ ହୋଇପାରିନାହିଁ । ଏହା ଫଳରେ ଗତ ଏପ୍ରିଲ-ଅକ୍ଟୋବର ମାସରେ ଭାରତର ସୁନା ଆମଦାନୀ ୯ ପ୍ରତିଶତ ହ୍ରାସ ପାଇଛି । କେବଳ ଅକ୍ଟୋବର ମାସରେ ସୁନା ଆମଦାନୀ ୫୭ ପ୍ରତିଶତ କମିଥିଲା ।

ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଅକ୍ଟୋବର ମାସରେ ସୁନା ଆମଦାନୀ ୯ ପ୍ରତିଶତ ହ୍ରାସ ପାଇ ୧୭.୬୩ ବିଲିୟନ ଡଲାର ( ପ୍ରାୟ ୧.୨୫ ଲକ୍ଷ କୋଟି) ରେ ପହଞ୍ଚିଛି । ୨୦୧୮-୧୯ର ଏପ୍ରିଲ-ଅକ୍ଟୋବରରେ ଭାରତର ସୁନା ଆମଦାନୀ ୧୯.୪ ବିଲିୟନ ଡଲାର ଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ହେଉଛି ବିଶ୍ୱର ୨ୟ ବୃହତ୍ତମ ସୁନା ଗ୍ରାହକ । ଆର୍ଥକ ମାନ୍ଦାବସ୍ଥା ଯୋଗୁଁ ଭାରତର ସୁନା ଚାହିଦା କମୁଥିବାରୁ ଆମଦାନୀ କମୁଛି । ତେବେ ଏହା ଦେଶର ଅର୍ଥନୀତି ପାଇଁ ଏକ ଶୁଭ ସୂଚନା ବୋଲି କୁହାଯାଇପାରେ । କାରଣ ଭାରତୀୟଙ୍କ ସୁନା ମୋହ ଯୋଗୁଁ ସରକାର ପ୍ରତିବର୍ଷ କୋଟି କୋଟି ଡଲାର ବୈଦେଶିକ ମୁଦ୍ରା ବ୍ୟୟ କରିଥାଏ । ସୁନା ଆମଦାନୀ କମୁଥିବାରୁ ଭାରତକୁ କମ ବୈଦେଶିକ ମୁଦ୍ରା ବ୍ୟୟକରିବାକୁ ପଡୁଛିି ।

ସମ୍ବନ୍ଧିତ ଖବର