୨୦ ହଜାର କର୍ମଚାରୀଙ୍କ ଚାକିରି ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିବ ଜେଟ୍ ଏୟାରୱେଜର ପାଇଲଟ ସଂଗଠନ

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍ ପାଇଲଟ୍ ସଂଗଠନ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ(ଏନଏଜି)ର ସଦସ୍ୟ ଥିବା ପାଇଲଟମାନେ ଆଜି ମୁମ୍ବାଇରେ ଥିବା ଜେଟ୍ ଏୟାରୱେଜ୍ ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ରୀତ ହୋଇ ଏକ ବୈଠକରେ ଯୋଗ ଦେଇଥିଲେ। ସେମାନେ ଜେଟକୁ   ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଅନୁରୋଧ କରିବାର ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଜେଟ୍ ଏୟାରୱେଜର  ବିମାନ ପୁଣି ଚାଲିବ ଏବଂ କର୍ମଚାରୀମାନେ ଦରମା ପାଇ ପାରିବେ ବୋଲି କୁହାଯାଇଛି। ଏସଂପର୍କରେ ଏନଏଜିର ଉପାଧ୍ୟକ୍ଷ ଆଦିମ ବଲିୟାନ୍ କହିଛନ୍ତି ଯେ ସେମାନେ ଜେଟ୍ ଏୟାରୱେଜର ୨୦ହଜାର କର୍ମଚାରୀଙ୍କ ଚାକିରି ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ନିବେଦନ କରିବେ।

ଏଠାରେ ସୂଚନାଯୋଗ୍ୟ ଜେଟକୁ ବଞ୍ଚାଇବା ପାଇଁ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ୍ କଂପାନିରୁ ବିଦାୟ ନେଇଛନ୍ତି ଏବଂ ମାଲିକାନା ଅଂଶଧନକୁ ବ୍ୟାଙ୍କଗୁଡ଼ିକ ହାତକୁ ଟେକିଦେଇଛନ୍ତି। ଜେଟକୁ ବଞ୍ଚାଇ ରଖିବା ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମାର୍ଚ ୨୫ରେ କୁହାଯାଇଥିଲା। ଏପର୍ଯ୍ୟନ୍ତ ସେହି ଟଙ୍କା ମିଳିନାହିଁ। ପାଣ୍ଠି ଅଭାବ ଯୋଗୁ କଂପାନି ବିମାନ ପାଇଁ ତେଲ କିଣିପାରୁନାହିଁ। ତିନି ମାସ ହେଲା ଜେଟର ପାଇଲଟ୍ ଏବଂ ଇଞ୍ଜିନିୟରମାନେ ଦରମା ପାଇନାହାନ୍ତି। ଲିଜ୍ ସୂତ୍ରରେ ବିମାନ ଦେଇଥିବା ସଂସ୍ଥାଗୁଡ଼ିକୁ ପେମେଣ୍ଟ୍ ଦେଇନପାରିବାରୁ ସେମାନେ ଦେଇଥିବା ବିମାନଗୁଡ଼ିକୁ ଫେରାଇ ନେଇଛନ୍ତି। ଜେଟରେ ୧୬୦୦୦ ପାଖାପାଖି କର୍ମଚାରୀ କାମ କରୁଛନ୍ତି। ସେମାନଙ୍କୁ ଦରମା ଦେବାରେ କଂପାନି ସମସ୍ୟା ସାମ୍ନା କରୁଛି।

ସମ୍ବନ୍ଧିତ ଖବର