ବିମାନ ଇନ୍ଧନ ଦର ୧୨ ପ୍ରତିଶତ କମିଲା: ସପ୍ତାହେ ହେଲା ପେଟ୍ରୋଲ, ଡିଜେଲ ଦର ସ୍ଥିର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡ଼ିକ ଆଜି ବିମାନ ଇନ୍ଧନ (ଏଟିଏଫ୍‌) ଦରରେ ପ୍ରାୟ ୧୨ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟ ୬୬୮୭ ଟଙ୍କା ୭୫ ପଇସା ହ୍ରାସ ଘୋଷଣା କରାଯିବା ଫଳରେ ଏହାର ଦର ୫୦,୧୭୧ ଟଙ୍କା ୨୬ ପଇସାକୁ କମିଯାଇଛି। ଗତ ୨୦୧୭ ସେପ୍ଟେମ୍ବରଠାରୁ ବିମାନ ଇନ୍ଧନର ଏହା ସର୍ବନିମ୍ନ ଦର। ଏଥିସହିତ ଗତ ଫେବ୍ରୁଆରିରୁ ବିମାନ ଇନ୍ଧନକୁ କ୍ରମାଗତଭାବେ ତୃତୀୟ ଥର ପାଇଁ ତେଲ କମ୍ପାନି ଗୁଡ଼ିକ ହ୍ରାସ କରିଛନ୍ତି। ୩ ଥରକୁ ମିଶାଇଲେ ବିମାନ ଇନ୍ଧନ ଦର କିଲୋଲିଟର ପିଛା ୧୪,୧୫୨ ଟଙ୍କା ୫୦ ପଇସା ବା ପ୍ରାୟ ୨୨ ପ୍ରତିଶତ ହ୍ରାସ ଘଟିଛି। ବିମାନର ପରିଚାଳନା ଖର୍ଚ୍ଚରେ ଇନ୍ଧନର ଅଂଶ ୪୦ ପ୍ରତିଶତ ହୋଇଥିବାବେଳେ ଏୟାରଲାଇନ ଶିଳ୍ପକୁ ଏହା ବଡ଼ ରିହାତି ହୋଇଛି। ପୂର୍ବରୁ ବିମାନ ଇନ୍ଧନର ମୂଲ୍ୟ ପେଟ୍ରୋଲ, ଡିଜେଲ ସମେତ ଅଣ ସବସିଡିରେ ମିଳୁଥିବା କିରାସିନି ତୁଳନ‌ାରେ କମ୍ ଥିବାବେଳେ ଏବେ ଏହି ପାର୍ଥକ୍ୟ ଆହୁରି ବଢ଼ିଯାଇଛି। ଅନ୍ୟପକ୍ଷରେ ଗତ ୭ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି। ଉତ୍ପାଦ ଶୁଳ୍କ ବୃଦ୍ଧି ପରେ କମ୍ପାନି ଗୁଡ଼ିକ ପ୍ରାୟ ଦିନେ ଦୁଇଦିନ ପାଇଁ ପେଟ୍ରୋଲ, ଡିଜେଲ ଦର କମାଇଥିଲେ। କିନ୍ତୁ ୧୬ ତାରିଖରୁ ଦର ସ୍ଥିର ରହିଛି। ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୭ ଦିନ ହେଲା ୬୮ ଟଙ୍କା ୫୮ ପଇସାରେ ଥିବାବେଳେ ଡିଜେଲ ଦର ୬୬ ଟଙ୍କା ୭୦ ପଇସାରେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର