ଏଲ୍‌ଆଇସିର ୧୦% ଅଂଶଧନ ବିକ୍ରିହେବ!

ଆସନ୍ତା ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ତାଲିକାଭୁକ୍ତ ହେବ

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରୁ ସରକାର ନିଜର ୧୦ ପ୍ରତିଶତ ଅଂଶଧନ ବିକ୍ରି କରିବା ସମ୍ଭାବନା ରହିଛି। ଆସନ୍ତା ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଏହାକୁ ଷ୍ଟକ୍ ମାର୍କେଟ୍‌ରେ ତାଲିକାଭୁକ୍ତ କରାଯାଇପାରେ। ଅର୍ଥ ସଚିବ ରାଜୀବ କୁମାର ଆଜି ‌ଏଭଳି ସୂଚନା ଦେଇଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଗତକାଲି ଉପସ୍ଥାପନ କରିବା ସମୟରେ ଏଲ୍‌ଆଇସିର ଅଂଶଧନ ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍ ଅଫର୍‌) ମାଧ୍ୟମରେ ବିକ୍ରି କରିବେ ବୋଲି କହିଥିଲେ। ତେଣୁ ଅଂଶଧନ ବିକ୍ରି ଏବଂ ଷ୍ଟକ ମାର୍କେଟରେ ତାଲିକାଭୁକ୍ତ କରିବାର ଏକ ପ୍ରକ୍ରିୟା ରହିଛି। ଏଥିପାଇଁ ଆଇନଗତ ପରିବର୍ତ୍ତନର ଆବଶ୍ୟକତା ପଡ଼ିବ। ଆଇନଗତ ପରିବର୍ତ୍ତନ ପାଇଁ ଆଇନ ମନ୍ତ୍ରାଳୟର ପରାମର୍ଶ ଆବଶ୍ୟକ ହେବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେଣୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏଲ୍‌ଆଇସିକୁ ତାଲିକାଭୁକ୍ତ କରିବା ଯୁକ୍ତିଯୁକ୍ତ ମନେହେଉଛି ବୋଲି ସେ କହିଛନ୍ତି। ଏଲ୍ଆଇସିକୁ ତାଲିକାଭୁକ୍ତ କରିଲେ ଅଧିକ ସ୍ବଚ୍ଛତା ଆସିବ। ଲୋକମାନେ ଏହାର ଅଂଶଧନ କ୍ରୟରେ ଭାଗ ନେଇପାରିବେ ଏବଂ ଇକ୍ବିଟି ବଜାର ମଧ୍ୟ ସୁଦୃଢ଼ ହେବ। ତେବେ କେତେ ପ୍ରତିଶତ ଅଂଶଧନ ସରକାର ଏଲ୍‌ଆଇସିରୁ ପ୍ରତ୍ୟାହାର କରିବେ ବୋଲି ପ୍ରଶ୍ନରେ ଶ୍ରୀ କୁମାର କହିଥିଲେ ଏହା ୧୦ ପ୍ରତିଶତ ହୋଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଏ ନେଇ କିଛି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷ ଲାଗି ପୁଞ୍ଜି ପ୍ରତ୍ୟାହାରରୁ ୨ ଲକ୍ଷ ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। କେବଳ ଏଲ୍‌ଆଇସି ଏବଂ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି କରି ପ୍ରାୟ ୯୦ ହଜାର କୋଟି ଟଙ୍କା ସଂଗ୍ରହ ଆଶା ରଖିଛନ୍ତି। ଏଲ୍‌ଆଇସିରେ ସରକାରଙ୍କର ୧୦୦ ପ୍ରତିଶତ ଅଂଶଧନ ଥିବାବେଳେ ଆଇଡିବିଆଇ ବ୍ୟାଙ୍କରେ ୪୬.୫ ପ୍ରତିଶତ ଅଂଶଧନ ରହିଛି। ଏଲ୍‌ଆଇସିର ଅଂଶଧନ ବିକ୍ରିକୁ ନେଇ ପୁଞ୍ଜି ବଜାର ନିବେଶକମାନେ ଉତ୍ସାହିତ ଅଛନ୍ତି। ଏହାକୁ ସେମାନେ ଚଳିତ ଦଶନ୍ଧିର ବଡ଼ ଆଇପିଓ ବୋଲି ଆଖ୍ୟା ଦେଉଛନ୍ତି। ସାଉଦି ଆରବର ସାଉଦି ଆରାମ୍‌କୋକୁ ତାଲିକାଭୁକ୍ତ ହେବା ସହିତ ଏଲ୍‌ଆଇସିକୁ ତୁଳନା କରାଯାଉଛି। ଏଲ୍‌ଆଇସି ଦେଶର ସର୍ବବୃହତ୍ ସରକାରୀ ଜୀବନ ବୀମା କମ୍ପାନି। ଜୀବନ ବୀମା ବଜାରରେ ଏହାର ୭୦ ପ୍ରତିଶତରୁ ଅଧିକ ଅଂଶଧନ ରହିଛି। ପଲିସି ସଂଖ୍ୟା ଦୃଷ୍ଟିରୁ ଏଲ୍‌ଆଇସିର ବଜାରଅଂଶ ୭୬.୨୮ ପ୍ରତିଶତ ହୋଇଥିବାବେଳେ ପ୍ରଥମ ବର୍ଷ ପ୍ରିମିୟମ ଦୃଷ୍ଟିରୁ ବଜାରଅଂଶ ୭୧ ପ୍ରତିଶତ।

ସମ୍ବନ୍ଧିତ ଖବର