ଲକ୍‌ଡାଉନ୍‌ ବଦଳାଇଦେଲା କିଣାକିଣି ଅଭ୍ୟାସ

ଚ୍ୟବନପ୍ରାସ, ରେଡି ଟୁ-ଇଟ୍‌ ଫୁଡ୍‌, ଆପ୍ଲାଏନ୍‌ସେସ୍‌ ବହୁତ କିଣିଲେ
ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌ ଭଳି ସେବା ସବ୍‌ସ୍କ୍ରାଇବ୍ କଲେ
ସୁନା ବନ୍ଧକ ରଖି ଋଣ ନେଲେ

ନୂଆଦିଲ୍ଲୀ : କରୋନା ସଙ୍କଟର ମୁକାବିଲା ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ୍ ଲୋକମାନଙ୍କ କିଣାକିଣି ଅଭ୍ୟାସ ଓ ମନୋରଞ୍ଜନର ମାଧ୍ୟମରେ ବଡ଼ଧରଣର ପରିବର୍ତ୍ତନ ଆଣିଛି। ଲୋକମାନେ ଏହି ସମୟରେ ବିପୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଉତ୍ପାଦ ଓ ହର୍ବାଲ୍ ସାମଗ୍ରୀ କିଣିଛନ୍ତି। ଏହା ବ୍ୟତୀତ ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ବନ୍ଦ ରହିଥିବା କାରଣରୁ ରେଡି ଟୁ ଇଟ୍‌ ଓ ଶୀଘ୍ର ତିଆରି କରି ଖାଇ ହେଉଥିବା ପ୍ୟାକେଟ୍‌ ଖାଦ୍ୟ, ଚକୋଲେଟ୍‌ ଓ ବିସ୍କୁଟ୍ ଆଦି କିଣିଛନ୍ତି। ଘର କାମରେ ସହାୟକ ହେଉଥିବା ଆପ୍ଲାଏନ୍ସ ମଧ୍ୟ କିଣିବାକୁ ଲୋକମାନେ ଭୁଲି ନାହାନ୍ତି। ଗତ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ଚ୍ୟାବନପ୍ରାସ ବିକ୍ରିରେ ୭୦୦ ପ୍ରତିଶତ ବୃଦ୍ଧି ହୋଇଛି। କେବଳ ଜୁନ୍‌ରେ ଚ୍ୟବନପ୍ରାସ୍ ବିକ୍ରି ୨୮୩ ପ୍ରତିଶତ ବଢ଼ିଛି। ଏହା ଦ୍ବାରା ଡାବର୍ ଓ ହିମାଳୟା ଭଳି କଂପାନି ଉପକୃତ ହୋଇଛନ୍ତି। କିଟ୍‌କାଟ୍‌ ଓ ମଂଚ୍‌ ଚକୋଲେଟ୍‌ ବିକ୍ରି ମଧ୍ୟ ବଢ଼ିଛି। ପାର୍ଲେ-ଜି, ବ୍ରିଟାନିଆର ବିଭିନ୍ନ ବିସ୍କୁଟ ଏବଂ ନୁଡୁଲସ୍‌ ଆଦିର ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ବାବା ରାମଦେବଙ୍କ କଂପାନି ପତଞ୍ଜଳି ଆୟୁର୍ବେଦର ବିକ୍ରି ମଧ୍ୟ ଗତ ଏପ୍ରିଲ୍‌ ଓ ଜୁନ୍ ମଧ୍ୟରେ ବହୁତ ବଢ଼ିଥିବା ଜଣାପଡ଼ିଛି।

ଘର କାମରେ ସହାୟକ ହେଉଥିବା ଆପ୍ଲାଏନ୍ସକୁ ମଧ୍ୟ ଲୋକମାନେ ବିପୁଳ ମାତ୍ରାରେ କିଣିଛନ୍ତି। ଜୁସର, ମିକ୍ସଚର ଗ୍ରାଇଣ୍ଡର, ଟୋଷ୍ଟର, ଡିସ୍‌ୱାସର୍‌, ‌ହେୟାର ଟ୍ରିମର୍‌, ପୁରୁଷମାନେ ବ୍ୟବହା‌ର କରୁଥିବା ଗ୍ରୁମିଂ କିଟ୍‌, ମାଇକ୍ରୋଓଭେନ୍, ଭାକ୍ୟୁମ କ୍ଲିନର୍‌ ଆଦିର ବିକ୍ରି ମଧ୍ୟ ଲକ୍‌ଡାଉନ୍‌ ସମୟରେ ବହୁତ ବଢ଼ିଛି। କେବଳ ସେତିକି ନୁହେଁ ଲୋକମାନଙ୍କ ମନୋରଞ୍ଜନ ଗ୍ରହଣ କରିବାର ମାଧ୍ୟମ ମଧ୍ୟ ଏହି ସମୟରେ ବଦଳିଯାଇଛି। ନେଟ୍‌ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଭଳି ସଂସ୍ଥାର ସବ୍‌ସ୍କ୍ରିପ୍‌ସନ୍ ବହୁତ ବଢ଼ିଛି। ଜି୫ର ସବ୍‌ସ୍କ୍ରିପ୍‌ସନ୍ ୩୩% ବୃଦ୍ଧି ପାଇଛି। ଫ୍ଲିପ୍‌କାର୍ଟରେ ଲାପ୍‌ଟପ୍ ସର୍ଚ୍ଚ କରିବା ପରିମାଣ ଦୁଇ ଗୁଣା ବଢ଼ିଛି। ଏସବୁ କିଣାକିଣି ଭିତରେ ଲୋକମାନେ ଟଙ୍କା ଯୋଗାଡ଼ କରିବା ଲାଗି ସୁନା ବନ୍ଧକ ରଖିବା ଭଳି କଠୋର ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ବିଶେଷ କରି ଜୀବିକା ହରାଇଥିବା ଗରିବ ଲୋକମାନେ ଏଭଳି କଠିନ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ଏହାର ପ୍ରଭାବରେ ସୁନା ଋଣ ଦେଉଥିବା ସଂସ୍ଥା ମୁଥୁଟ ଫାଇନାନ୍ସ, ମଣପୁରମ ଗୋଲ୍‌ଡ ଲୋନ୍‌ ଭଳି ସଂସ୍ଥାର ବ୍ୟବସାୟ ବହୁତ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର