ଏମ୍‌ବିଏ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ

ନୂଆଦିଲ୍ଲୀ: ୧୯୯୧ ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ଆରମ୍ଭ ହେବା ପରେ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବ୍ୟାପକ ହେବାରେ ଲାଗିଥିଲା। ଏଥିଯୋଗୁଁ ନିଯୁକ୍ତି ବଜାରରେ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଚାହିଦା ବଢ଼ି ଯାଇଥିଲା। କମ୍ପାନି ଗୁଡ଼ିକ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ମୋଟାଅଙ୍କର ଦରମା ଦେଇ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ନିଯୁକ୍ତି ଦେଉଥିଲେ। ଏହି ଶିକ୍ଷା ହାସଲ କରିଥିବା ଛାତ୍ରଛାତ୍ରୀମାନେ କମ୍ପାନିକୁ ଆଗକୁ ନେବାରେ ସକ୍ଷମ ହେବା ଆଶାରେ ଏହା କରାଯାଉଥିଲା। ଫଳରେ ମ୍ୟାନେଜମେଣ୍ଟ ଶିକ୍ଷାର ଚାହିଦା ଯଥେଷ୍ଟ ବଢ଼ିଯାଇଥିଲା। ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀମାନେ ଉଭୟ ଉଚ୍ଚ ବେତନ ଏବଂ ମର୍ଯ୍ୟାଦା ହାସଲ କରି ପାରୁଥିଲେ। କିନ୍ତୁ ଦୁଇ ଦଶନ୍ଧି ପରେ ଏହି ପାଠ ଏହାର ମର୍ଯ୍ୟାଦା ହରାଇବା ଆରମ୍ଭ କରିଛି।

ନିଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ତଥ୍ୟରୁ ଜଣାଯାଇଛି ଯେ, ୨୦୧୬-୧୭ରେ ପଚାଶ ପ୍ରତିଶତରୁ ଅଧିକ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ନିଯୁକ୍ତି ମିଳିନାହିଁ। କେବଳ ୪୭ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇବାକୁ ସକ୍ଷମ ହୋଇଛନ୍ତି। ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ୪ ପ୍ରତିଶତ କମ୍‌ ଛାତ୍ରଛାତ୍ରୀ କ୍ୟାମ୍ପସ ନିଯୁକ୍ତି ପାଇଛନ୍ତି। କେବଳ ସେତିକି ନୁହେଁ, ଗତ ପାଞ୍ଚବର୍ଷ ମଧ୍ୟରେ ଏହି ନିଯୁକ୍ତି ସବୁଠୁ କମ୍‌ ବୋଲି ଜଣାଯାଇଛି। ଏପରିକି ମ୍ୟାନେଜମେଣ୍ଟରେ ପିଜି ଡିପ୍ଲୋମାଧାରୀଙ୍କ ଅବସ୍ଥା ଆହୁରି ଖରାପ। ଏକ୍ଷେତ୍ରରେ କ୍ୟାମ୍ପସ ନିଯୁକ୍ତି ୧୨ ପ୍ରତିଶତ ହ୍ରାସ ଘଟିଛି। ଆଇଆଇଏମ୍‌ରୁ ମ୍ୟାନେଜମେଣ୍ଟ ଡିଗ୍ରି ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଏଥିରେ ହିସାବକୁ ନିଆଯାଇ ନାହିଁ। କାରଣ ଆଇଆଇଏମ୍‌ଗୁଡ଼ିକ ଏଆଇସିଟିଇ ଅନୁବନ୍ଧିତ ସଂସ୍ଥା ନୁହଁନ୍ତି।

ଭାରତରେ ଏମ୍‌ବିଏ ଡିଗ୍ରିଧାରୀଙ୍କ ସଂଖ୍ୟା ଚାହିଦା ତୁଳନାରେ ଯଥେଷ୍ଟ ବଢ଼ିଯାଇଛି। ଦେଶରେ ପ୍ରାୟ ୫୦୦୦ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ରହିଛି। ଏଗୁଡ଼ିକରୁ ୨୦୧୬-୧୭ରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦେଶର ଶୀର୍ଷ ୨୦ଟି କଲେଜକୁ ବାଦ୍‌ ଦେଲେ ଭାରତରେ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଉତ୍ତୀର୍ଣ୍ଣ ହେବା ପରେ ମାତ୍ର ୭ ପ୍ରତିଶତ ଛାତ୍ରଛାତ୍ରୀ ସଙ୍ଗେ ସଙ୍ଗେ ଚାକିରି ପାଉଛନ୍ତି ବୋଲି ଗତବର୍ଷ ଶିଳ୍ପସଂଘ ଆସୋଚାମ୍‌ ଏହାର ଏକ ରିପୋର୍ଟରେ କହିଥିଲା। ଶିକ୍ଷାନୁଷ୍ଠାନ ଗୁଡ଼ିକ ଶିକ୍ଷାଦାନର ମାନରେ ଗୁଣବତ୍ତା ନରଖିବା, ଭିତ୍ତିଭୂମି ଉପଲବ୍ଧ ନହେବା, କ୍ୟାମ୍ପସ ପ୍ଲେସମେଣ୍ଟରେ କମ୍‌ ବେତନ ମିଳିବା ଆଦିକୁ ଏହାର କାରଣଭାବେ ଦର୍ଶାଯାଇଛି। ଏପରିକି ଇଞ୍ଜିନିଅରିଂ କଲେଜ ଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଦେଖାଦେଇଛି। ଏଆଇସିଟିଇ ପକ୍ଷରୁ କୁହାଯାଇଛି ଶିଳ୍ପରେ ନିଯୁକ୍ତି ଉପଯୋଗୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ବାହାର କରିବା ଲାଗି ଉଭୟ ମ୍ୟାନେଜମେଣ୍ଟ ଓ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ଉନ୍ନତି ଅଣାଯିବାକୁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର