‘ଭାରତ ବିଲ୍ ପେମେଣ୍ଟ୍‌ ସିଷ୍ଟମ୍‌’ରେ ମିଳିବ ମୋବାଇଲ୍‌ ରିଚାର୍ଜ ସୁବିଧା

ମୁମ୍ବାଇ: ଭାରତ ବିଲ୍‌ ପେମେଣ୍ଟ୍ ସିଷ୍ଟମ୍ (ବିବିପିଏସ୍‌)‌ରେ ଅଗଷ୍ଟ ଶେଷ ସୁଦ୍ଧା ମୋବାଇଲ୍‌ ରିଚାର୍ଜ ସୁବିଧା ମିଳିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହା ଦ୍ବାରା ଦେଶର କୋଟି କୋଟି ଗ୍ରାହକ ସୁବିଧାରେ ସେମାନଙ୍କ ମୋବାଇଲ୍‌ ରିଚାର୍ଜ କରିପାରିବେ। ୨୦୧୯ ସେପ୍ଟେମ୍ବରରେ ବିଲ୍‌ ପେମେଣ୍ଟ୍‌ ଲାଗି ବିବିପିଏସ୍‌ରେ ଅନେକ ସୁବିଧା ଦିଆଯାଇଥିଲା। ଏଭଳିକି ଗ୍ରୋସରି ବିଲ୍ ଦାଖଲ କରିବାର ସୁବିଧା ମିଳିଥିଲା। କିନ୍ତୁ ଏଥିରେ ମୋବାଇଲ୍‌ ରିଚାର୍ଜ କରିହେଉନାହିଁ। ଏବେ ବ୍ୟବହାରକାରୀମାନେ କେବଳ ଡିଟିଏଚ୍‌, ଗ୍ୟାସ୍, ବିଦ୍ୟୁତ ଓ ପାଣି ବିଲ୍ ପଇଠ କରିପାରୁଛନ୍ତି। ବିବିପିଏସ୍‌ର ବିଲ୍‌ ବର୍ଗକୁ ସମ୍ପ୍ରସାରଣ କରାଯାଉଥିବା ବେଳେ ଏଥିରେ ପ୍ରିପେଡ୍ ମୋବାଇଲ୍‌ ବର୍ଗକୁ ଯୋଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି। ସ୍ବେଚ୍ଛାଧୀନ ଭାବେ ଏହା ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ ବୋଲି ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାରରେ ଜଣାଇଛି। ଭାରତରେ ୧୧୦ କୋଟିରୁ ଅଧିକ ପ୍ରିପେଡ୍ ମୋବାଇଲ୍‌ ରହିଛି। ରିଚାର୍ଜ ସୁବିଧା ଉପଲବ୍ଧ ହେଲେ ବିବିପିଏସ୍‌ର ବ୍ୟବହାରକାରୀମାନେ ଉପକୃତ ହେବେ। ଭାରତ ବିଲ୍ ପେମେଣ୍ଟ୍‌ ସିଷ୍ଟମ୍ ହେଉଛି ଏକ ଇଣ୍ଟରଅପରେବଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା।

ଏଥିରେ ବ୍ୟବହାରକାରୀମାନଙ୍କୁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ପେମେଣ୍ଟ୍‌ କରିବାର ସୁବିଧା ମିଳୁଛି। ଅଫଲାଇନ୍‌ର ଅର୍ଥ ହେଉଛି କିଛି ନିର୍ଦିଷ୍ଟ ଏଜେଣ୍ଡ୍‌ମାନଙ୍କ ଜରିଆରେ ପେମେଣ୍ଟ୍‌ ସେବା ମିଳୁଛି। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଏହା ପରିଚାଳିତ ହେଉଛି। ଏଥିରେ ବିବିଧ ପ୍ରକାରର ପେମେଣ୍ଟ୍‌ ବିକଳ୍ପ ଓ ପେମେଣ୍ଟ୍‌ ସଫଳ ହୋଇଥିବା ବାର୍ତା ତୁରନ୍ତ ମିଳୁଛି।

ସମ୍ବନ୍ଧିତ ଖବର