ନୀଳାଚଳକୁ ମିଳିଲା ୨୦ କୋଟି, ୯୬୪ଜଣଙ୍କୁ ନିଯୁକ୍ତି

ରବୀନ୍ଦ୍ର ଝା ନୂଆ ଏମ୍‌ଡି

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗରସ୍ଥିତ ଏକ ମାତ୍ର ରାଷ୍ଟାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାର ହଜାର ହଜାର କର୍ମଚାରୀ ନିଯୁକ୍ତି ହରାଇ ଗତ ୧୦ମାସ ହେଲା ଦରମା ପାଉନାହାନ୍ତି। ଏଭଳି ସମୟରେ ଏନ୍‌ଏମ୍‌ଡିସି ଗତକାଲି କର୍ମଚାରୀଙ୍କ ଦରମା ବାବଦକୁ ୨୦କୋଟି ଟଙ୍କା ପ୍ରଦାନ କରିଛି। ସେହିପରି କାରଖାନା ବନ୍ଦ ହେବା ଯୋଗୁଁ ଜୀବିକା ହରାଇଥିବା କର୍ମଚାରୀଙ୍କ ମଧ୍ୟରୁ ୯୬୪ଜଣଙ୍କୁ ଛତିଶଗଡ଼ର ନଗରନାର ଠାରେ ଏନ୍‌ଏମ୍‌ଡିସିର ନୂତନ ଇସ୍ପାତ କାରଖାନାରେ ନିଯୁକ୍ତି ‌ଦିଆଯାଇଛି। ଚଳିତମାସରୁ ଏହି କର୍ମଚାରୀମାନେ ସେଠାରେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାର ହେବା ପରେ ୧୦ମାସ ଧରି ଦରମା ପାଇନଥିବା କର୍ମଚାରୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ କର୍ମଚାରୀ ସଂଘ ସ୍ବାଗତ କରିଛି। ସେହିପରି ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଓ ପ୍ରଦୀପ ବଳସାମାନ୍ତ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହିତ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଶ୍ରୀ ରାୟ କହିଛନ୍ତି , ନୀଳାଚଳ ଅଚଳ ହୋଇପଡ଼ିବା ଫଳରେ ପ୍ରାୟ ୪ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଥିଲେ। ୧୦ ମାସ ହେଲା ଦରମା ନପାଇ ଭୋକ ଉପବାସରେ ଦିନ କାଟୁଥିଲେ। କିଛି ଦିନ ପୂର୍ବରୁ ହୋଇଥିବା ଭର୍ଚୁଆଲ ମିଟିଂରେ ନୀଳାଚଳର ଅଚଳାବସ୍ଥା ଓ ସ୍ଥିତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅବଗତ କରାଯାଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିରେ ଆନ୍ତରିକତା ଦେଖାଇ ତାଙ୍କ ବିଭାଗ ଏନ୍‌ଏମ୍‌ଡିସି ଜରିଆରେ ହଜାର ହଜାର କର୍ମଚାରୀଙ୍କ ଜୀବିକାକୁ ଗୁରୁତ୍ବ ଦେଇ ଅର୍ଥ ସହାୟତା ଯୋଗାଇ ଦେବା ସହିତ ନିଯୁକ୍ତି ପ୍ରଦାନ କରିଛନ୍ତି। ସେଲ୍ ମଧ୍ୟ ନୀଳାଚଳର ଉତ୍ପାଦିତ ସାମଗ୍ରୀ କିଣିବାକୁ ସମ୍ମତି ଜଣାଇଛି ବୋଲି ଶ୍ରୀ ରାୟ ସମ୍ବାଦକୁ କହିଛନ୍ତି। ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାର ଏହା ଏକ ଅଂଶ ବିଶେଷ ବୋଲି ଶ୍ରୀ ରାୟ କହିଛନ୍ତି।

ରବୀନ୍ଦ୍ର ଝା ନୂଆ ଏମ୍‌ଡି
ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ର ନୂଆ ଏମ୍‌ଡି ଭାବେ ରବୀନ୍ଦ୍ର କୁମାର ଝା ଦାୟିତ୍ବ ଗ୍ରହଣ କରିଛନ୍ତି। ବିହାରର ବିଆଇଟି ସିନ୍ଦରିରୁ ମେଟାଲର୍ଜିରେ ବିଏସ୍‌ସି ଇଞ୍ଜିନିୟରିଂ ଶିକ୍ଷା ଶେଷ କରିଥିବା ଶ୍ରୀ ଝା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର୍‌ଆଇଏନ୍‌ଏଲ୍‌)ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୬ରେ ସେ ଏନ୍‌ଆଇଏନ୍‌ଏଲ୍‌ର ଡିଜିଏମ୍‌ ଭାବେ ଯୋଗ ଦେଇଥିଲେ। କଂପାନିର ମହାପ୍ରବନ୍ଧକ (ଇସ୍ପାତ) ଭାବେ କାର୍ଯ୍ୟ କରୁଥିବା ସମୟରେ ‌୨୦୧୩ରେ ସଫଳତାର ସହ ଷ୍ଟିଲ୍‌ ମେଲ୍‌ଟିଂ ସପ୍‌କୁ କାର୍ଯ୍ୟକ୍ଷମ କରାଯାଇଥିଲା। ୨୦୧୬ରେ ତାଙ୍କୁ କାର୍ଯ୍ୟନିବାହୀ ନିର୍ଦେଶକ (ୱାର୍କସ୍‌) ପଦକୁ ପଦୋନ୍ନତି ମିଳିଥିଲା।

ସମ୍ବନ୍ଧିତ ଖବର