ଓଡ଼ିଶା ଯୋଡ଼ିଲା ଲକ୍ଷେ ୫୬ ହଜାର ମୋବାଇଲ୍‌ ଗ୍ରାହକ

ଭୁବନେଶ୍ବର: ଚଳିତ ବର୍ଷ ଫେବ୍ରୁଆରିରେ ରାଜ୍ୟର ମୋବାଇଲ୍‌ ନେଟ୍‌ୱର୍କରେ ୧ ଲକ୍ଷ ୫୬ ହଜାର ୭୮୩ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି। ଫଳରେ ଓଡ଼ିଶାରେ ମୋଟ୍ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ୩.୪ କୋଟିକୁ ବୃଦ୍ଧି ପାଇଛି। ରିଲାଏନ୍ସ ଜିଓ ୧,୯୦,୬୬୩ ଓ ଏୟାରଟେଲ୍‌ ୬୬୯୦୮ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଛନ୍ତି। ଏହି ମାସରେ ଭୋଡାଫୋନ୍ ଆଇଡିଆ ରାଜ୍ୟରୁ ୬୪,୯୦୪ ଜଣ ଓ ସରକାରୀ ଦୂରସଂଚାର କଂପାନି ବିଏସ୍‌ଏନ୍‌ଏଲ୍‌ ୩୫,୮୮୪ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଫେବ୍ରୁଆରି ମାସ ସୁଦ୍ଧା ରାଜ୍ୟରେ ଏୟାରଟେଲ୍‌ର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୧୧ ଲକ୍ଷ ୧୩ ହଜାର ୪୫ରେ ପହଞ୍ଚିଛି। ସେହିପରି ଭୋଡାଫୋନ୍ ଆଇଡିଆ ପାଖରେ ରହିଛନ୍ତି ୨୪ ଲକ୍ଷ ୧୭ ହଜାର ୩୯୧ ଗ୍ରାହକ। ରିଲାଏନ୍ସ ଜିଓର ମୋଟ୍ ଗ୍ରାହକ ସଂଖ୍ୟା ୧ କୋଟି ୪୦ ଲକ୍ଷ ୫୩ ହଜାର ୧୯୪ରେ ପହଞ୍ଚିଛି। ବିଏସ୍‌ଏନ୍‌ଏଲ୍‌ ପାଖରେ ୬୪ ଲକ୍ଷ ୨୭ ହଜାର ୧୨ ଜଣ ମୋବାଇଲ୍‌ ଗ୍ରାହକ ଥିବା ଜଣାପଡ଼ିଛି। ଗ୍ରାହକ ବଜାରର ସିଂହ ଭାଗ ଅର୍ଥାତ ୪୧.୫% ଜିଓ କବ୍‌ଜାରେ ଥିବା ବେଳେ ଏୟାରଟେଲ୍‌ର ବଜାର ଅଂଶ ୩୨.୬୭%, ଭୋଡାଫୋନ୍‌ ଆଇଡିଆର ୭.୧୧% ଓ ବିଏସ୍‌ଏନ୍‌ଏଲ୍‌ର ୧୮.୯୦ ପ୍ରତିଶତ ରହିଛି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର