ତେଲ କଂପାନିଙ୍କ ସିଏସ୍‌ଆର୍‌ କାର୍ଯ୍ୟକ୍ରମ: ସିଏସ୍‌ସି ଯୋଗାଇବେ ସାନିଟାରି ନାପ୍‌କିନ୍‌

ଭୁବନେଶ୍ବର: ତିନି ସରକାରୀ ତେଲ କଂପାନି ଇଣ୍ଡିଆନ ଅଏଲ୍, ଭାରତ ପେ‌ଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ ସାନିଟାରି ନାପ୍‌କିନ୍ ଅଭିଯାନ ପ୍ରସ୍ତୁତ କରାଯାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୯୩ଟି ବ୍ଲକ୍‌ରେ ଥିବା ଗରିବ ମହିଳାଙ୍କ ପାଖରେ ସାନିଟାରି ନାପ୍‌କିନ୍ ପହଞ୍ଚାଇବା। ସେଥିପାଇଁ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି)ଗୁଡ଼ିକରେ ୧୦୦ଟି ସାନିଟାରି ନାପ୍‌କିନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ‌ସେବାବଦରେ ୨.୯୪ କୋଟି ଟଙ୍କା ବିନିଯୋଗ ହେବ। ପ୍ରତିଟି ୟୁନିଟ୍‌ରେ ଦିନକୁ ୧୨୦୦-୨୦୦୦ ପ୍ୟାଡ୍ ଉତ୍ପାଦନ କରାଯାଇପାରିବ। ଆଠଟି ପ୍ୟାଡ୍‌ ଥିବା ପ୍ୟ‌ାକେଟ୍‌କୁ ୪୨ ଟଙ୍କା ଦରରେ ବିକ୍ରି କରାଯିବ। ଏହି ନାପ୍‌କିନ୍‌ର ନାମ ହେଉଛି ‘ଉଜ୍ଜ୍ବଳା ସାନିଟାରି ନାପ୍‌କିନ୍‌’। ଆସନ୍ତା ରବିବାର ଦିନ ଆୟୋଜନ କରାଯିବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉନ୍ମୋଚନ କରିବେ। ଏହି ଅବସରରେ ସିଏସ୍‌ସିର ରାଜ୍ୟ ମୁଖ୍ୟ ସ୍ବର୍ଣ୍ଣପ୍ରଭା ସିଂହ, ଇଣ୍ଡିଆନ୍ ଅଏଲ୍‌ର ଜିଏମ୍ ସଞ୍ଜୟ କୁମାର ଝା, ବିପିସିଏଲ୍‌ର ରାଜ୍ୟ ମୁଖ୍ୟ (ଏଲ୍‌ପିଜି) ସଞ୍ଜୟ ଶର୍ମା, ଏଚ୍‌ପିସିଏଲ୍‌ର ଡିଜିଏମ୍ ଧର୍ମେନ୍ଦ୍ର ବେହୁରା ଓ ଇଣ୍ଡିଆନ୍‌ ଅଏଲ୍‌ର ବରିଷ୍ଠ ପ୍ରବନ୍ଧକ ଶ୍ରୀନିବାସ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର