ଭାରତ ପାଇଁ ପାକିସ୍ତାନର ଚାଉଳ ରପ୍ତାନି ପ୍ରଭାବିତ

ବିଶ୍ବ ବାଣିଜ୍ୟ ସଂଗଠନରେ ପ୍ରସଙ୍ଗ ଉଠାଇବାକୁ ରପ୍ତାନିକାରୀଙ୍କ ଦାବି

ନୂଆଦିଲ୍ଲୀ: ଭାରତର ଚାଉଳ ରପ୍ତାନିକାରୀମାନେ ଲଗାତାର ପାକିସ୍ତାନର ଚାଉଳ ରପ୍ତାନିକାରୀଙ୍କୁ ଅଡ଼ୁଆରେ ପକାଉଛନ୍ତି। ଏହି ପ୍ରସଙ୍ଗ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିକଟରେ ପହଞ୍ଚିଛି। ପାକିସ୍ତାନ ସରକାର ଏଭଳି କିଛି ପଦକ୍ଷେପ ନିଅନ୍ତୁ ଯାହାଦ୍ବାରା ପାକିସ୍ତାନର ଚାଉଳ ରପ୍ତାନିକାରୀଙ୍କ ବ୍ୟବସାୟ ପ୍ରଭାବିତ ହେବନାହିଁ। ପାକିସ୍ତାନର ଇଂରାଜୀ ଖବରକାଗଜ ଡନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଉଳ ବ୍ୟବସାୟୀଙ୍କ ଏକ ପ୍ରତିନିଧି କହିଛନ୍ତି ଭାରତର ସବ୍‌ସିଡିଯୁକ୍ତ ଚାଉଳ ଯୋଗୁ ପାକିସ୍ତାନର ରପ୍ତାନି ହ୍ରାସ ପାଉଛି। ପାକିସ୍ତାନର ବ୍ୟବସାୟୀମାନେ ଭାରତୀୟ ଚାଉଳ ରପ୍ତାନିକାରୀଙ୍କ ଏହି କାର୍ଯ୍ୟକୁ ଅନ୍ତର୍ଜାତୀୟ ଖାଦ୍ୟ ସୁରକ୍ଷା ନିୟମକୁ ଉଲ୍ଲଂଘନ କରୁଛି। ଏହି ବ୍ୟବସାୟୀଙ୍କ କହିବାନୁଯାୟୀ ପାକିସ୍ତାନ ସରକାର ବିଶ୍ବ ବାଣିଜ୍ୟ ସଂଗଠନରେ ଏ ପ୍ରସଙ୍ଗ ଉଠାଇବା ଆବଶ୍ୟକ। ୨୦୨୦ ଜୁଲାଇରୁ ୨୦୨୧ ମେ ମଧ୍ୟରେ ବାସମତୀ ଏବଂ ମୋ‌େଟ କିସମର ପାକିସ୍ତାନୀ ଚାଉଳ ରପ୍ତାନି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୧୪ ପ୍ରତିଶତ ହ୍ରାସ ପାଇଛି। ପୂର୍ବବର୍ଷ ପାକିସ୍ତାନ ୩.୮୭ ନିୟୁତ ଟନ୍ ଚାଉଳ ରପ୍ତାନ୍ତି କରିଥିବାବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୩.୩ ନିୟୁତ ଟନ୍ ଚାଉଳ ରପ୍ତାନି କରିଛି।

ପାକିସ୍ତାନର ଚାଉଳ ରପ୍ତାନିକାରୀ ସଂଘର ଅଧ୍ୟକ୍ଷ ଅବଦୁଲ କୟୁମ ପରାଚାଙ୍କ କହିବାନୁଯାୟୀ, ଭାରତ ତା’ର ଚାଉଳ ହାରାହାରି ଟନ ପିଛା ୩୬୦ ଡଲାରରେ ବିକ୍ରି କରୁଛି। କିନ୍ତୁ ପାକିସ୍ତାନର ରପ୍ତାନିକାରୀମାନେ ଏଥିପାଇଁ ଟନ୍‌ପିଛା ୪୫୦ ଡଲାରରେ ବିକ୍ରି କରୁଛନ୍ତି। ଅର୍ଥାତ୍ ପାକିସ୍ତାନ ତୁଳନାରେ ଭାରତୀୟମାନେ ପାଖାପାଖି ୧୦୦ ଡଲାର କମ୍ ଦରରେ ବିକ୍ରି କରୁଛନ୍ତି। ପରାଚାଙ୍କ କହିବାନୁଯାୟୀ ଅନ୍ତରାଷ୍ଟ୍ରୀୟ ବଜାରରେ ସବ୍‌ସିଡି ଯୁକ୍ତ ଚାଉଳ ବିକ୍ରି କରିବା ଏକ ଅପରାଧ। କାମ୍ବୋଡ଼ିଆ, ମ୍ୟାନମାର, ନେପାଳ, ଥାଇଲାଣ୍ଡ, ଭିଏତନାମ ଆଦି ଦେଶର ଚାଉଳ ରପ୍ତାନି ମୂଲ୍ୟ ଟନ୍ ପିଛା ୪୨୦ରୁ ୪୩୦ ଡଲାର ରହୁଥିବାବେଳେ ଭାରତ କିଭଳି ୩୬୦ ଡଲାରରେ ବିକ୍ରି କରିପାରୁଛି। ଭାରତ ରେକର୍ଡ ପରିମାଣର ବାସମତୀ ଚାଉଳ ରପ୍ତାନି କରୁଛି। ଭାରତ ବର୍ତ୍ତମାନ ସୁଦ୍ଧା ୪.୩ ନିୟୁତ ଟନ୍ ବାସମତୀ ଚାଉଳ ରପ୍ତାନି କରିଛି। ତେଣୁ କେବଳ ପାକିସ୍ତାନ ନୁହେଁ, ଉପରୋକ୍ତ ଦେଶଗୁଡ଼ିକ ମଧ୍ୟ ଭାରତର ଶସ୍ତା ଚାଉଳ ରପ୍ତାନି ଦ୍ବାରା ପ୍ରଭାବିତ ହେଉଛନ୍ତି। ତେଣୁ ଭାରତ ବିଶ୍ବ ବଜାରକୁ ଯେଉଁ ବିପୁଳ ପରିମାଣର ଚାଉଳ ରପ୍ତାନି କରି ନିଜର ଦବ୍‌ଦବା ଜାରି ରଖିଛି ତାହାକୁ କମାଇବା ପାଇଁ ପାକିସ୍ତାନ ଏହି ପ୍ରସଙ୍ଗ ବିଶ୍ବ ବାଣିଜ୍ୟ ସଂଗଠନରେ ଉଠାଉ ବୋଲି ସେ ଦେଶର ରପ୍ତାନିକାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର