ପେଟ୍ରୋଲ୍, ଡିଜେଲ୍‌ ଦାମ୍ ଏବେ କମିବନି; ଟିକସ କମାଇବାକୁ ମନା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍ ଉପରୁ ଟିକସ ହ୍ରାସ କରିବା ଲାଗି ସରକାରଙ୍କ କୌଣସି ଯୋଜନା ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ତାହା ସ୍ପଷ୍ଟ କରିଛନ୍ତି। ଟିକସ ସମ୍ପର୍କରେ ସେ କହିଛନ୍ତି ଯେ ଅତୀତରେ ଉପା ସରକାରଙ୍କ ଅମଳରେ ଯେଉଁ ତୈଳ ବଣ୍ଡ୍ ଜାରି କରାଯାଇଥିଲା ସେ ବାବଦ ପେମେଣ୍ଟ୍‌ ଦେବାକୁ ପଡ଼ୁଥିବାରୁ ଟିକସ କମ୍ କରିବାର ସମ୍ଭାବନା ସୀମିତ ହୋଇଯାଇଛି। ତେବେ ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ଲାଗି ରହିଥିବା ବିକଳ୍ପ ଏବେବି ଖୋଲା ରହିଛି ବୋଲି ସେ କହିଛନ୍ତି। ଯେହେତୁ ପେଟ୍ରୋଲିୟମ ଉତ୍ପାଦରୁ ରାଜ୍ୟଗୁଡ଼ିକର ସିଂହଭାଗ ଆୟ ହେଉଛି ତେଣୁ ଏହାକୁ ଜିଏସ୍‌ଟିରେ ସାମିଲ କରି ରାଜ୍ୟଗୁଡ଼ିକ ରାଜସ୍ବ ହରାଇବାକୁ ଚାହୁନାହାନ୍ତି।

କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଅମଳରେ ସରକାରୀ ତେଲ କଂପାନିଗୁଡ଼ିକ ପାଇଁ ତୈଳ ବଣ୍ଡ୍ ଜାରି କରାଯାଇଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାରରୁ ଅଧିକ ଥିବା ବେଳେ ଲୋକମାନଙ୍କୁ କଂପାନିଗୁଡ଼ିକ କମ୍ ମୂଲ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କରୁଥିଲେ। ଆନ୍ତର୍ଜାତିକ ମୂଲ୍ୟ ଓ ଦେଶ ଭିତରେ ତେଲ ଦରରେ ଯେଉଁ ଅନ୍ତର ରହୁଥିଲା ତାହା ପୂରଣ କରିବା ଲାଗି ତେଲ ତୈଳ ବଣ୍ଡ୍ ଜାରି କରାଯାଇଥିଲା। ସଙ୍ଗେ ସଙ୍ଗେ କଂପାନିଗୁଡ଼ିକୁ ସବ୍‌ସିଡି ନଦେଇ ବଣ୍ଡ୍‌ ଜରିଆରେ ଅତି ଚତୁରତାର ସହ ସରକାର ଅତୀତରେ ଆର୍ଥିକ ଆହ୍ବାନର ମୁକାବିଲା କରିଥିଲେ। ଯେହେତୁ ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯାଉନଥିଲା ତେଣୁ ବିତ୍ତୀୟ ନିଅଣ୍ଟକୁ ତାହା ପ୍ରଭାବିତ କରିନଥିଲା। ସେହି ସମୟରେ ଯେଉଁ ବଣ୍ଡ୍‌ ଜାରି କରାଯାଇଥିଲା ସେଥିପାଇଁ ବର୍ତ୍ତମାନର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ପେମେଣ୍ଟ୍ କରୁଥିବା ଦାବି କରୁଛି। ସେଥିପାଇଁ ଟଙ୍କା ଯୋଗାଡ଼ କରିବା ଲାଗି ଟିକସ କମ୍ କରାଯାଇପାରୁନାହିଁ ବୋଲି ଅର୍ଥମନ୍ତ୍ରୀ କହୁଛନ୍ତି। ଉପା ସରକାର ମୋଟ ୧ ଲକ୍ଷ ୩୪ ହଜାର କୋଟି ଟଙ୍କାର ତୈଳ ବଣ୍ଡ୍ ଜାରି କରିଛି। କିନ୍ତୁ ଗତ ୭ ବର୍ଷର ଶାସନ କାଳ ଭିତରେ ଏନ୍‌ଡିଏ ସରକାର ତେଲରୁ ୨୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ କରିସାରିଲାଣି।

ଆଜି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଯଦି ତୈଳ ବଣ୍ଡ୍ ଲାଗି ପେମେଣ୍ଟ୍ କରିବାକୁ ପଡ଼ୁନଥାନ୍ତା ତେବେ ଆମେ ଟିକସ ହ୍ରାସ କରିବା ସ୍ଥିତିରେ ରହିଥାନ୍ତୁ। ତୈଳ ବଣ୍ଡ୍ ଜାରି କରି ପୂର୍ବ ସରକାର ଆମ କାର୍ଯ୍ୟକୁ ଜଟିଳ କରିଦେଇଛନ୍ତି। ଯଦିବି ମୁଁ କିଛି କରିବାକୁ ଚାହୁଛି ମୋତେ ତୈଳ ବଣ୍ଡ୍‌ ପେମେଣ୍ଟ୍‌ କରିବା ପରେ ହିଁ ଯାହା କିଛି କରିବାକୁ ପଡ଼ୁଛି। ବିଗତ ସାତ ବର୍ଷ ଭିତରେ ତୈଳ ବଣ୍ଡ୍ ବାବଦରେ ଏନ୍‌ଡିଏ ସରକାର ୭୦,୧୯୫.୭୨ କୋଟି ଟଙ୍କାର ପେମେଣ୍ଟ୍ କରିଛନ୍ତି। ମୋଟ ୧.୩ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ୍‌ ମଧ୍ୟରୁ ମାତ୍ର ୩୫୦୦ କୋଟି ଟଙ୍କାର ମୂଳଧନ ପରିଶୋଧ ହୋଇଛି। ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ତୈଳ ବଣ୍ଡ୍ ପାଇଁ ସରକାର ୧୦ ହଜାର କୋଟି ଟଙ୍କା ବ୍ୟୟ କରିବେ। ୨୦୨୨-୨୩ରେ ୩୧,୫୦୦ କୋଟି ଟଙ୍କା, ୨୦୨୩-୨୪‌ରେ ୫୨,୮୬୦.୧୭ କୋଟି ଟଙ୍କା ଓ ୨୦୨୫-୨୬ରେ ୩୬,୯୧୩ କୋଟି ଟଙ୍କା ଗଣିବାକୁ ହେବ।

ସମ୍ବନ୍ଧିତ ଖବର