ପେଟ୍ରୋଲ୍‌ ଦର ବେଲଗାମ, ୧୦ ଦିନରେ ବଢ଼ିଲାଣି ୫ ଟଙ୍କା ୫୪ ପଇସା

ଭୁବନେଶ୍ବର: ଦେଶରେ କ୍ରମାଗତ ୧୦ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୪୭ ପଇସା ଏବଂ ଡିଜେଲ ଦର ୫୬ ପଇସା ବଢ଼ିଛି। ଏଥିଯୋଗୁଁ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ଟପି ୭୭ ଟଙ୍କା ୨୬ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ୭୩ ଟଙ୍କା ଟପି ୭୩ ଟଙ୍କା ୪୪ ପଇସା ଛୁଇଁଛି। ଗତ ଦଶଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୫୪ ପଇସା ଓ ଡିଜେଲ ଦର ୫ ଟଙ୍କା ୭୧ ପଇସା ମହଙ୍ଗା ହୋଇଗଲାଣି। ଗତ ୧୪ ତାରିଖରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬୨ ପଇସା ଓ ଡିଜେଲ ଦର ୬୪ ପଇସା ବୃଦ୍ଧି ଘଟିଥିଲା। ଦେଶରେ ୨୦୧୭ ଜୁନ ମାସରୁ ଦୈନିକ ତେଲ ଦର ସଂଶୋଧନ ହେବା ପରଠାରୁ ଏହା ଥିଲା ସର୍ବାଧିକ ଦୈନିକ ଦର ବୃଦ୍ଧି। ସେହିଦିନ ଭୁବନେଶ୍ବରରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୩ ପଇସା ଲେଖାଏଁ ବଢ଼ିଥିଲା। କିନ୍ତୁ ଆଜି ଦିଲ୍ଲୀରେ ଡିଜେଲ ଦରର ଦୈନିକ ବୃଦ୍ଧି ଗତ ୧୪ ତାରିଖର ରେକର୍ଡକୁ ଭାଙ୍ଗି ଦେଇଛି। ଆଜି ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୯୩ ପଇସା ବୃଦ୍ଧି ଘଟିଛି। ଗତକାଲି ଡିଜେଲ ଦର ଦିଲ୍ଲୀରେ ୭୪ ଟଙ୍କା ୨୬ ପଇସା ଥିବାବେଳେ ଆଜି ଏହା ୭୫ ଟଙ୍କା ୧୯ ପଇସାରେ ପହଞ୍ଚିଯାଇଛି।

ସରକାର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବା ସହିତ ଆଜି ବିମାନ ଇନ୍ଧନ ଦର ମଧ୍ୟ ବୃଦ୍ଧି କରିଛନ୍ତି। ତୈଳ କମ୍ପାନି ଗୁଡ଼ିକ ଚଳିତମାସରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଏଟିଏଫ୍ ମୂଲ୍ୟରେ ୧୬.୩ ପ୍ରତିଶତ ବା ୫୪୯୪ ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି। ଫଳରେ କିଲୋଲିଟର ପିଛା ଏଟିଏଫ୍ ମୂଲ୍ୟ ୩୯,୦୬୯ ଟଙ୍କା ୮୭ ପଇସାରେ ପହଞ୍ଚିଛି। ପୂର୍ବରୁ ଚଳିତମାସ ପହିଲାରେ ତୈଳ କମ୍ପାନି ଗୁଡ଼ିକ ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ରେକର୍ଡ ୫୬.୫ ପ୍ରତିଶତ ବା ୧୨,୧୨୬ ଟଙ୍କା ୭୫ ପଇସା ବୃଦ୍ଧି କରିଥିଲେ। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସାଧାରଣ ଗ୍ରାହକଙ୍କ ସମେତ ବିରୋଧୀ ଦଳଗୁଡ଼ିକୁ ବ୍ୟଥିତ କରିବାରେ ଲାଗିଛି। ପେଟ୍ରୋଲିୟମ ଉତ୍ପାଦ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ବିଭିନ୍ନ ପରିବହନ ସେବା ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି। ପୂର୍ବରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ସେସ୍ ବୃଦ୍ଧି କରି ତେଲ ଦର ବଢ଼ାଇଥିଲେ। ଏହାପରେ ରାଜ୍ୟ ସରକାରଗୁଡ଼ିକ ଭାଟ୍ ବଢ଼ାଇ ଏହାକୁ ଆହୁରି ମହଙ୍ଗା କରିଦେଲେ। ତେବେ ଲକ୍‌ଡାଉନ୍ ପୂର୍ବରୁ ତେଲ ଦରବୃଦ୍ଧିକୁ ଅପରିବର୍ତ୍ତିତ ରଖିଥିବା ତେଲ କମ୍ପାନି ଗୁଡ଼ିକ ତାଙ୍କ ପାଳି ଆରମ୍ଭ କରିଦେଲେ। କରୋନା ମହାମାରୀବେଳେ ଲୋକଙ୍କ ଉପରେ ତେଲ ଦରବୃଦ୍ଧିର ବୋଝ ଲଦି ଚାଲିଛନ୍ତି। ସରକାର ଓ କମ୍ପାନି ଗୁଡ଼ିକ ତେଲ ଦର ବୃଦ୍ଧି ବାବଦରେ ଅଧିକ ରାଜସ୍ବ ପାଇଲେ ମଧ୍ୟ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିବ। ତେଲ ଦର ବିଶେଷକରି ଡିଜେଲ ଦର ବୃଦ୍ଧି ପାଇବା କାରଣରୁ ବିଭିନ୍ନ ସାମଗ୍ରୀର ଦରଦାମ ଓ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ରହିଛି। ସେହିଭଳି ଏଟିଏଫ୍ ଦର ବୃଦ୍ଧି ପରେ ବିମାନ କମ୍ପାନି ‌ଓ ଯାତ୍ରୀମାନଙ୍କର ଚିନ୍ତା ମଧ୍ୟ ବଢ଼ିଯାଇଛି। ବିମାନ ପରିଚାଳନାର ମୋଟ ଖର୍ଚ୍ଚରେ ଏଟିଏଫ୍‌ର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଥାଏ। ତେଣୁ ଏଟିଏଫ୍‌ ଦର ବୃଦ୍ଧି କମ୍ପାନି ଗୁଡ଼ିକୁ ବିମାନ ଭଡ଼ା ବୃଦ୍ଧି ପାଇଁ ବାଧ୍ୟ କରିପାରେ।

ସମ୍ବନ୍ଧିତ ଖବର